ଭାରତରୁ ବିଦେଶକୁ ରପ୍ତାନୀ ହେଉଛି ଅଧିକ ୨ ଗୁଣା ଟିକା

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ଭିତରେ ଏହାର ରକ୍ଷା କବଚ କୁହାଯାଇଥିବା ଟିକା ଭାରତରୁ ଅନ୍ୟ ରାଷ୍ଟ୍ରକୁ ବିପୁଳ ପରିମାଣରେ ରପ୍ତାନୀ କରାଯାଉଛି। ଜାନୁଆରୀ ୧୬ରୁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ୩.୪୮ କୋଟି ଟିକାର ଡୋଜ୍‌ ଲୋକଙ୍କୁ ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ ପ୍ରାୟ ୭୦ଟି ଦେଶକୁ ମୋଟ ୫.୮୪ କୋଟିର ଡୋଜ୍‌ ଭାରତରୁ ରପ୍ତାନୀ କରାଯାଇଛି। ଏହାର ଅର୍ଥ ଦେଶ ଅପେକ୍ଷା ବିଦେଶୀକୁ ଅଧିକ ୨ ଗୁଣା ଟିକାର ଡୋଜ୍‌ ପଠାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେତେ ପରିମାଣର ଟିକା ଭାରତରୁ ବିଦେଶୀକୁ ରପ୍ତାନୀ କରାଯାଇଛି, ତା’ର ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୫୮୩.୮୫ ଲକ୍ଷ ଟିକାର ଡୋଜ୍‌ ବିଭିନ୍ନ ରାଷ୍ଟ୍ରଗୁଡ଼ିକୁ ପଠାଯାଇଛି।

ସରକାରଙ୍କ ଏଭଳି ତଥ୍ୟ ପରେ ବିଶେଷଜ୍ଞମାନେ ଭାରତରେ ଟିକାର ଅଭାବ ପରିଲ୍ଲଖିତ ହେବ ଓ ଠିକଣା ସମୟରେ ଲୋକଙ୍କୁ ଟିକା ମିଳିପାରିବ ନାହିଁ ବୋଲି ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ଭାରତରେ ଏବେ ଦୈନିକ ୧୦ ଲକ୍ଷରୁ ଅଧିକ ଲୋକଙ୍କର ଟିକାକରଣ କରାଯାଉଛି।

ମାର୍ଚ୍ଚ ୧୫ରେ ସର୍ବାଧିକ ୩ ଲକ୍ଷରୁ ଅଧିକ ଲୋକଙ୍କର ଟିକାକରଣ କରାଯାଇଥିଲା। ସବୁଠାରୁ ଅଧିକ ଲୋକଙ୍କୁ ରାଜସ୍ଥାନରେ ଟିକା ଦିଆଯାଇଛି। ଏଠାରେ ୩.୩୫ ନିୟୁତ ଟିକାର ଡୋଜ୍‌ ଲୋକଙ୍କୁ ଦିଆଯାଇଛି। ଏହା ପଛରେ ମହାରାଷ୍ଟ୍ର(୩.୩ ନିୟୁତ), ଉତ୍ତର ପ୍ରଦେଶ(୩.୧୪ ନିୟୁତ), ପଶ୍ଚିମବଙ୍ଗ(୨.୮୯ ନିୟୁତ), ଗୁଜରାଟ(୨.୮୧ ନିୟୁତ), କେରଳ(୧.୮୪ ନିୟୁତ), କର୍ଣ୍ଣାଟକା(୧.୬୮ ନିୟୁତ), ମଧ୍ୟପ୍ରଦେଶ(୧.୬୬ ନିୟୁତ), ତାମିଲନାଡୁ(୧.୬୧ ନିୟୁତ) ଓ ବିହାରରେ ୧.୫ ନିୟୁତ ଟିକାର ଡୋଜ୍‌ ଲୋକଙ୍କୁ ଦିଆଯାଇଛି।

ଏବେ ଦେଶରେ କରୋନାର ଦ୍ୱିତୀୟ ଲହରୀ ପ୍ରବେଶ କରିବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ମହାରାଷ୍ଟ୍ରର ସ୍ଥିତି ଗମ୍ଭୀର ରହିଛି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୧୭ ହଜାର ଡେଇଁଥିବା ବେଳେ ଦେଶରେ ଆଜି ପ୍ରାୟ ୨୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିପାଇଁ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ର ସରକାର ଅଧିକରୁ ଅଧିକ ଟିକା ରାଜ୍ୟଗୁଡ଼ିକୁ ଓ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବା ଦିଗରେ ଗୁରୁତ୍ୱ ଦେବା ଉଚିତ ବୋଲି ସେମାନେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।