ବିଦେଶକୁ ଚୁଟି ଚୋରା ଚାଲାଣ ଯୋଗୁ ଭାରତର କ୍ଷତି ୧୫୦ କୋଟି ଟଙ୍କା

ବର୍ଷକ ମଧ୍ୟରେ ଏଥିପାଇଁ ଭାରତ ପ୍ରାୟ ୧୫୦ କୋଟି ଟଙ୍କା ଘାଟା ସହିଥିବା ଜଣାପଡ଼ିଛି।

ନୂଆଦିଲ୍ଲୀ: ଭାରତରୁ ବିଦେଶକୁ ମଣିଷ ଚୁଟିର ରପ୍ତାନୀ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି। ଭାରତରୁ ଚୁଟିର ଚୋରା ଚାଲାଣ ଚାଇନାକୁ ହେଉଛି। ଏହି କାରଣରୁ ଚୁଟି ରପ୍ତାନୀ ଶିଳ୍ପ ଗୁଡ଼ିକ ବିପୁଳ କ୍ଷତି ସହିବାରେ ଲାଗିଛନ୍ତି। ବର୍ଷକ ମଧ୍ୟରେ ଏଥିପାଇଁ ଭାରତ ପ୍ରାୟ ୧୫୦ କୋଟି ଟଙ୍କା ଘାଟା ସହିଥିବା ଜଣାପଡ଼ିଛି। କଷ୍ଟମ ଅଧିକାରୀଙ୍କୁ ରପ୍ତାନୀ ଶିଳ୍ପର କର୍ମଚାରୀମାନେ ଏ ବିଷୟରେ ଜଣାଇବା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଛି।

ଚୋରା ଚାଲାଣ ସମ୍ପର୍କରେ ପଶ୍ଚିମବଙ୍ଗ କଷ୍ଟମ ବିଭାଗର ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ପକ୍ଷରୁ ଜିଏସଟି, ଡିଆରଆଇ ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲା। ଏବେ ଜଣାପଡ଼ିଛି ଯେ ମିଆଁମାର, ବାଂଲାଦେଶ ଓ ଭିଏତନାମକୁ ଯାଉଥିବା କନସାଇଟମେଣ୍ଟରେ ଯଥେଷ୍ଟ ହ୍ରାସ ଘଟିଛି।

ପୂର୍ବରୁ ବ୍ୟବସାୟୀମାନେ ଚୁଟି କେଜି ପିଛା ୪,୫୦୦ରୁ ୬ ହଜାର ଟଙ୍କାରେ ରପ୍ତାନୀ କରୁଥିଲେ। କିନ୍ତୁ ଏବେ ଏହା କେଜି ପିଛା ୧୪୦୦ ଟଙ୍କା ରହୁଛି। ୨୦୧୭ରୁ କ୍ରମାଗତ ଭାବେ ଚୁଟିର ୟୁନିଟ ଦର ହ୍ରାସ ପାଉଛି। ଏହି ଖବର ପରେ କଷ୍ଟମ ବିଭାଗ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁରରେ ସର୍ଭେ ଆରମ୍ଭ କରିଥିଲା।

ଏଥିରୁ ଜଣାପଡ଼ିଛି ଯେ ବିଦେଶୀକୁ ରପ୍ତାନୀ ହେଉଥିବା ଚୁଟି କେଜି ପିଛା ୨୮୦୦ରୁ ୫,୬୦୦ ଟଙ୍କାରେ ବିକ୍ରି ହେଉଛି। ଶିପିଂ ବିଲ୍ସ ମଧ୍ୟ ଉପଯୁକ୍ତ ଦାମ ଠାରୁ ବହୁତ କମ୍‌ ରହିଛି। ଭାରତରୁ ଯାଉଥିବା ସାମଗ୍ରୀ ଉପରେ ଚୀନ ୨୮% ସୀମା ଶୁଳ୍କ ଲାଗୁ କରିଛି। ହେଲେ ଚୋରା ଚାଲାଣ ହେଉଥିବା ଜିନିଷ ଉପରେ ଏଗୁଡ଼ିକ ଲାଗୁ ହେଉନାହିଁ।

ମିଆଁମାର ଓ ବାଂଲାଦେଶର ବ୍ୟବସାୟୀମାନେ ମଧ୍ୟସ୍ଥିଙ୍କ ଜରିଆରେ ଭାରତରୁ ଚୁଟି କିଣୁଛନ୍ତି। ଏହାପରେ ଏହାକୁ ଚାଇନାକୁ ଯୋଗାଇ ଦେଉଛନ୍ତି। ଚୁଟି ଚାଲାଣା ହେଉଥିଲେ ହେଁ ଟ୍ରକ୍‌ରେ କଟନ ଓ ଅନ୍ୟାନ୍ୟ ଜିନିଷ ଯାଉଛି ବୋଲି ଚେକିଂ ବେଳେ କୁହାଯାଉଛି। ଭାରତରୁ ଚୁଟି ଶସ୍ତାରେ ପାଉଥିବା ଦେଶଗୁଡ଼ିକ ଶ୍ରମିକ ଲଗାଇ ଚୁଟିକୁ ଅଲଗା କରୁଛନ୍ତି।

ଶେଷରେ ଏହାକୁ ଚାଇନାକୁ ପଠାଉଛନ୍ତି। ଚୁଟି ଜାତୀୟ ଦ୍ରବ୍ୟର ଉତ୍ପାଦନ ଓ ରପ୍ତାନୀ କରୁଥିବା ଭାରତୀୟ ଆସୋସିଏସନର ସଦସ୍ୟ ସୁନୀଲ ଇମାମୀ କହିଛନ୍ତି, ଆମ ସଦସ୍ୟମାନେ ମିଆଁମାର ଓ ଚାଇନା ଗସ୍ତ କରି ଚୁଟିର ଚୋରା ଚାଲାଣ କେମିତି ହେଉଛି, ତା’କୁ ବୁଝିବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ଭାରତରୁ ବେଧଡ଼କ ଚୁଟି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରୁ ଚୁଟିର ଚୋରା ଚାଲାଣ ହେଉଛି। ତଥାପି ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି।

ଭାରତୀୟ ବଜାରରେ ଚୁଟି ରପ୍ତାନୀର ବ୍ୟବସାୟ ପ୍ରାୟ ୬ ହଜାରରୁ ୮ ହଜାର କୋଟି ମଧ୍ୟରେ ହୋଇଥାଏ। ଏହା ମଧ୍ୟରୁ ୫% ଚୁଟି ବିଭିନ୍ନ ମନ୍ଦିରରୁ ଦାନ ସୂତ୍ରରେ ମିଳେ ଓ ବାକି ଗାଁ ଗାଁ ବୋଲି ଲୋକମାନେ ଫୋପାଡ଼ୁଥିବା ଚୁଟିକୁ ସଂଗ୍ରହ କରାଯାଏ। ଚୁଟି ଗୁଡ଼ିକୁ ୱିଗ୍‌ସ, ନକଲି ଦାଢ଼ି, ଆଇବ୍ରୋ ଓ ବେକିଂ ଇଣ୍ଡଷ୍ଟ୍ରୀରେ ବ୍ୟବହୃତ ପ୍ରୋଟିନ୍‌ ପାଇଁ ବ୍ୟବହାର କରାଯାଏ।

ଇମାମୀ କହିଛନ୍ତି, ମଣିଷ ଚୁଟି ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୬ରୁ ୮ ଲକ୍ଷ ଲୋକ କାର୍ଯ୍ୟ କରନ୍ତି। ଚୋରା ଚାଲାଣ ଯୋଗୁ ସେମାନେ ନିଯୁକ୍ତି ହରାଇଲେଣି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।