ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଭାରତରେ ସାଂଘତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାଂଘାତିକ ତଥ୍ୟ ଦେଇଛନ୍ତି। ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ ଭାରତରେ କରୋନା ଭାଇରସର ତୃତୀୟ ଲହର ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରିଛନ୍ତି। ତେବେ ଏହାକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, ଭାରତରେ କରୋନା ଭାଇରସର ତୃତୀୟ ଲହରର ସମ୍ଭାବନା ରହିଛି। ଯଦି ଭାଇରସ ନିୟମିତ ଭାବେ ତା’ର ରୂପ ବଦଳାଇବ, ତା’ହେଲେ ଏହାକୁ ରୋକିବା କଷ୍ଟକର। ଆମକୁ ଦୁଇଟି ଜିନିଷ ବୁଝିବାକୁ ପଡ଼ିବ। ଆମେ କେତେ ଶୀଘ୍ର ଲୋକଙ୍କୁ ଟିକା ଦେଇପାରୁଛି? ଓ ଭାଇରସ କେମିତି ତା’ର ରୂପ ବଦଳାଉଛି? ଯଦି ଭାଇରସ ଅଲଗା ରୂପ ଧାରଣ କରି ଟିକାକୁ ମାତ୍ ଦେବାର ସକ୍ଷମ ହୋଇଯିବ, ତା’ହେଲେ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିବ।
ତେଣୁ ଭାରତରେ ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ଏହି ଆଶଙ୍କା ରହିଥିଲେ ହେଁ ସେତେବେଳେକୁ ଆମେ ଅଧିକାଂଶ ଲୋକଙ୍କୁ ଟିକା ଦେଇ ସାରିଥିବୁ। ଯଦି ବିପୁଳ ସଂଖ୍ୟାରେ ଲୋକ ଟିକା ନେଇସାରିଥିବେ, ତା’ହେଲେ ତୃତୀୟ ଲହରରେ ସଂକ୍ରମଣ ଅଧିକ ଦେଖିବାକୁ ମିଳିବନି। ଏହାକୁ ଆମେ ସହଜରେ ମୁକାବିଲା ମଧ୍ୟ କରିପାରିବା ବୋଲି ସେ କହିଛନ୍ତି।
ଭାରତରେ ଦେଖାଯାଉଥିବା ଡବଲ ମ୍ୟୁଟାଣ୍ଟ ଉପରେ ସେ କହିଛନ୍ତି, ଗତବର୍ଷ ଭାରତରେ ଦେଖାଯାଇଥିବା ଭାଇରସର ଭାରିଆଣ୍ଟ ତୁଳନାରେ ବର୍ତ୍ତମାନର ଭାରିଆଣ୍ଟ ଅଧିକ ମାରାତ୍ମକ। ଏହା ଦ୍ରୁତଗତିରେ ସଂକ୍ରମଣ କରୁଛି। ଆପଣ ଯଦି ୧୯୧୮ ମସିହା ମହାମାରୀ କଥା ଦେଖିବେ, ତା’ହେଲେ ତା’ର ପ୍ରଥମ ୱେଭ ଅପେକ୍ଷା ଦ୍ୱିତୀୟ ୱେଭରେ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ତେଣୁ କୋଭିଡ୍ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଉପୁଜିଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।