କରୋନା ଚିକିତ୍ସା ପଦ୍ଧତି ବିରୋଧରେ ୩୫ ଡାକ୍ତରଙ୍କ ଖୋଲା ଚିଠି: ଅବାଞ୍ଛିତ ଟେଷ୍ଟିଂ ଓ ଔଷଧ କ୍ଷତିକାରକ

ମୁମ୍ବାଇ: କରୋନାର ତୃତୀୟ ଲହର ମାଡ଼ି ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଟେଷ୍ଟିଂକୁ ଜୋରଦାର କରିବାକୁ କହୁଛନ୍ତି। ସେହିପରି ବିଭିନ୍ନ ଡାକ୍ତରଙ୍କ ସୁପାରିଶ ଅନୁସାରେ ଲୋକମାନେ ମଧ୍ୟ ଅନେକ ପ୍ରକାରର ମେଡିସିନ ଖାଉଛନ୍ତି। ହେଲେ ଏପରି ଅବାଞ୍ଛିତ ଟେଷ୍ଟିଂ, ମେଡିକେସନ ଓ ହସ୍ପିଟାଲାଇଜେସନ ଉପରେ ରୋକ ଲଗାଇବାକୁ ୩୫ ଜଣ ଲବ୍ଧ ପ୍ରତିଷ୍ଠିତ ଡାକ୍ତର ଖୋଲା ଚିଠି ଲେଖିଛନ୍ତି। ସେମାନେ ଏଥିରେ ଅବାଞ୍ଛିତ ଚିକିତ୍ସା ପଦ୍ଧତି ଛାଡ଼ି ବିଜ୍ଞାନ ଭିତ୍ତିକ ତଥ୍ୟ ଆଧାରେ କାମ […]

corona

corona

Hemant Lenka
  • Published: Friday, 14 January 2022
  • Updated: 14 January 2022, 05:40 PM IST

Sports

Latest News

ମୁମ୍ବାଇ: କରୋନାର ତୃତୀୟ ଲହର ମାଡ଼ି ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଟେଷ୍ଟିଂକୁ ଜୋରଦାର କରିବାକୁ କହୁଛନ୍ତି। ସେହିପରି ବିଭିନ୍ନ ଡାକ୍ତରଙ୍କ ସୁପାରିଶ ଅନୁସାରେ ଲୋକମାନେ ମଧ୍ୟ ଅନେକ ପ୍ରକାରର ମେଡିସିନ ଖାଉଛନ୍ତି। ହେଲେ ଏପରି ଅବାଞ୍ଛିତ ଟେଷ୍ଟିଂ, ମେଡିକେସନ ଓ ହସ୍ପିଟାଲାଇଜେସନ ଉପରେ ରୋକ ଲଗାଇବାକୁ ୩୫ ଜଣ ଲବ୍ଧ ପ୍ରତିଷ୍ଠିତ ଡାକ୍ତର ଖୋଲା ଚିଠି ଲେଖିଛନ୍ତି।

ସେମାନେ ଏଥିରେ ଅବାଞ୍ଛିତ ଚିକିତ୍ସା ପଦ୍ଧତି ଛାଡ଼ି ବିଜ୍ଞାନ ଭିତ୍ତିକ ତଥ୍ୟ ଆଧାରେ କାମ କରିବାକୁ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି।

ଏହି ଚିଠିରେ ଦସ୍ତଖତ କରିଥିବା ଯଶଲୋକ ହସ୍ପିଟାଲର ଡା ସଞ୍ଜୟ ନଗରାଲ କହିଛନ୍ତି, “ବର୍ତ୍ତମାନେ ଆମେ ସବୁ କିଛି ଅଧିକ କରୁଛେ। ତେଣୁ ଏହା ବିରୋଧରେ କହିବାର ସମୟ ଆସିଛି। କୋଭିଡ ଚିକିତ୍ସାଠାରୁ ଆରମ୍ଭ କରି ଟେଷ୍ଟିଂ ଓ ହସ୍ପିଟାଲଲାଇଜେସନ ସବୁଥିରେ ଅଧିକ କିଛି କରାଯାଉଛି। ଏହି ଚିଠି ଜରିଆରେ ଆମେ କିଛି ଡାକ୍ତର ସରକାରଙ୍କ ଏପରି ଅଭ୍ୟାସରେ ଆଦୌ ଏକମତ ହୋଇପାରୁନୁ ବୋଲି ଜଣାଇବାକୁ ଚେଷ୍ଟା କରିଛୁ।”

ଏହି ଚିଠିରେ ହାର୍ବାର୍ଡ ଓ ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟରେ ଥିବା ଭାରତୀୟ ବଂଶୋଦ୍ଭବ ଡାକ୍ତରମାନେ ବି ଦସ୍ତଖତ କରିଛନ୍ତି। ଏଥିରେ କୁହାଯାଇଛି ଯେ ୨୦୨୧ରେ ଆମେ ଯେଉଁ ଭୁଲ କରିଥିଲେ, ଏବେ ୨୦୨୨ରେ ତାହା ରିପିଟ ହେଉଛି।

ଡାକ୍ତରମାନେ ଅଯଥା ମେଡିକେସନ, ଅଯଥା ଟେଷ୍ଟିଂ ଓ ଅଯଥା ହସ୍ପିଟାଲରେ ଭର୍ତ୍ତି ହେବାକୁ ଚାଲିଥିବା ଅଭ୍ୟାସକୁ ବିରୋଧ କରିଛନ୍ତି। ବର୍ତ୍ତମାନ କୋଭିଡ-୧୯ରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଶରୀରରେ ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି। ତେଣୁ ସେମାନ ବହୁତ କମ୍ କିମ୍ବା ଆଦୌ ମେଡିସିନ ଆବଶ୍ୟକ କରୁନାହାନ୍ତି। ଆମେ ଏହି ଦୁଇ ସପ୍ତାହ ହେଲା ଦେଖିବାକୁ ପାଇଛୁ ଯେ କୋଭିଡ ଚିକିତ୍ସା ପଦ୍ଧତିରେ ଅନେକ ପ୍ରକାରର କିଟ୍ସ ଓ କକଟେଲ୍ସକୁ ସାମିଲ କରାଯାଉଛି। ଏଗୁଡ଼ିକର କୌଣସି ଆବଶ୍ୟକ ନାହିଁ। ତଥାପି ଏପରି କରାଯାଉଛି।

କରୋନା ରୋଗୀଙ୍କୁ ବିଭିନ୍ନ ପ୍ରକାରର ଭିଟାମିନ ଓ ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ, ହାଇଡ୍ରୋକ୍ସିକ୍ଲୋରକୁଇନ, ପାଭିପିରାଭିର ଓ ଆଇଭେରମେକଟିନ୍‌ ଭଳି ଔଷଧ ଖାଇବାକୁ କୁହାଯାଉଛି। ଏହା ଆଦୌ ଠିକ୍‌ କଥା ନୁହେଁ। କରୋନା ଡେଲ୍ଟା ୱେଭ ସଂକ୍ରମଣ ବେଳେ ଅନାବଶ୍ୟକ ଔଷଧ ସେବନ ବିଭିନ୍ନ ପ୍ରକାରର ଫଙ୍ଗସ ରୋଗ ସୃଷ୍ଟି କରିଥିଲା ବୋଲି ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ମଧୁକର ପାଇ କହିଛନ୍ତି।

ଅଧିକାଂଶ କୋଭିଡ-୧୯ ଆକ୍ରାନ୍ତଙ୍କୁ କେବଳ ରାପିଡ ଆଣ୍ଟିଜେନ ଟେଷ୍ଟ କିମ୍ବା ଆରଟିପିସିଆର ଟେଷ୍ଟର ଆବଶ୍ୟକ। ଏଥିସହ ଅକ୍ସିଜେନ ସ୍ତର ମାପିବା ପାଇଁ ଘରେ ମଧ୍ୟ ବ୍ୟବସ୍ଥା ହୋଇପାରିବ। ହେଲେ ଆକ୍ରାନ୍ତଙ୍କୁ ସିଟି ସ୍କାନ ଓ ଦାମୀ ରକ୍ତ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି। ଏପରି ଅଯଥା ଟେଷ୍ଟ ଓ ହସ୍ପିଟାଲରେ ଭର୍ତ୍ତି ଯୋଗୁ ଲୋକଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି ହେଉଥିବା ଚିଠିରେ କୁହାଯାଇଛି।

ହାର୍ବାର୍ଡ ମେଡିକାଲ ସ୍କୁଲର ଡାକ୍ତର ସତଚିତ ବାଲସାରି କହିଛନ୍ତି, “କରୋନାକୁ ନେଇ ସାରା ବିଶ୍ୱରେ ପ୍ରଚାର ହେଉଥିବା ଭୁଲ ତଥ୍ୟକୁ ନେଇ ଆକ୍ରାନ୍ତମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ମେଡିକାଲ ପ୍ରଫେସନାଲ ଓ ସରକାରୀ ପ୍ରତିନିଧିମାନେ ଭାରତରେ କରୋନା ଆକ୍ରାନ୍ତଙ୍କୁ ଅଯଥାରେ ବିଭିନ୍ନ ପ୍ରକାରର ଔଷଧ ଖାଇବାକୁ କହିବା ବେଶ ଚିନ୍ତାଜନକ।”

ଚିଠିରେ ଏମାନଙ୍କ ବ୍ୟତୀତ ହିନ୍ଦୁଜା ହସ୍ପିଟାଲର ଡାକ୍ତର ଜାରିର, ଭୋପାଲରର ଡାକ୍ତର ଅନନ୍ତ ଭାନ, କୁପର ହସ୍ପିଟାଲର ଡାକ୍ତର ଚାରୁତା ଏମ ଓ ଆଡଭାନ୍ସଡ ମଲ୍ଟିସ୍ପେଶାଲିଟି ହସ୍ପିଟାଲର ଡାକ୍ତର ତୁଷାର ଶାହଙ୍କ ଦସ୍ତଖତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos