ଆଜି ବିଶ୍ୱ ଖୁସି ଦିବସ: ୧୩୯ତମ ସ୍ଥାନରେ ଭାରତ, ୧ ନଂରେ କେଉଁ ଦେଶ

ନୂଆଦିଲ୍ଲୀ: ଆଜି ହେଉଛି ଅନ୍ତର୍ଜାତୀୟ ଖୁସି ଦିବସ। ଏଥିପାଇଁ ଜାରି ହୋଇଛି ହାପିନେସ ରିପୋର୍ଟ। ବିଶ୍ୱର କେଉଁ ରାଷ୍ଟ୍ରରେ ଲୋକମାନେ ଅଧିକ ଖୁସି ରହୁଛନ୍ତି ଓ କେଉଁ ଦେଶ ଦୁଖୀ, ତା’ର ତଥ୍ୟ ଏହି ରିପୋର୍ଟରେ ରହିଛି। ଖୁସି ତାଲିକାରେ ଭାରତ ବହୁତ ତଳେ ରହିଛି।

ମିଳିତ ଜାତିସଂଘ ଶୁକ୍ରବାର ପ୍ରକାଶ କରିଥିବା ବିଶ୍ୱ ଖୁସି ରିପୋର୍ଟରେ ଭାରତ ୧୩୯ ତମ ସ୍ଥାନରେ ରହିଛି। ମୋଟ ୧୪୯ଟି ଦେଶକୁ ନେଇ ଏହି ସର୍ଭେ କରାଯାଇଥିବା ବେଳେ ଭାରତର ସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନ। ଏହାର ଅର୍ଥ ଏଠାରେ ଅଧିକାଂଶ ଲୋକ ଖୁସି ଅନୁଭବ କରୁନାହାନ୍ତି। ସେହିପରି ଖୁସି ତାଲିକାର ୧ନଂ ସ୍ଥାନରେ ପୂର୍ବଭଳି ଫିନଲ୍ୟାଣ୍ଡ ଶୀର୍ଷରେ ରହିଛି। କେବଳ ଚଳିତ ବର୍ଷ ନୁହେଁ ଫିନଲ୍ୟାଣ୍ଡ କ୍ରମାଗତ ୪ର୍ଥ ଥର ପାଇଁ ଖୁସି ତାଲିକାର ୧ନଂ ସ୍ଥାନ ଦଖଲ କରିଛି।

ମିଳିତ ଜାତିସଂଘ ସର୍ଭେ ବେଳେ କରୋନାର ପ୍ରଭାବ, ଲକଡାଉନ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ବିଚାରକୁ ନିଆଯାଇଥିଲା। ୨୦୧୯ ଭାରତ ଖୁସି ତାଲିକାର ୧୪୦ନଂ ସ୍ଥାନରେ ରହିଥିଲା। ଫିନଲ୍ୟାଣ୍ଡ ପଛକୁ ୱାର୍ଲଡ ହାପିନେସ୍‌ ରିପୋର୍ଟରେ ଆଇସଲ୍ୟାଣ୍ଡ, ଡେନମାର୍କ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ, ସ୍ୱିଡେନ, ଜର୍ମାନୀ, ନରୱେ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରିଆ ରହିଛନ୍ତି। ଏହି ତାଲିକାରେ ଆମେରିକା ୧୯ ତମ ସ୍ଥାନରେ ରହିଛି |


ରିପୋର୍ଟ ଅନୁଯାୟୀ ଏହି ଖୁସି ତାଲିକାରେ ପାକିସ୍ତାନ ୧୦୫ତମ ସ୍ଥାନରେ ଥିବାବେଳେ ବାଂଲାଦେଶ ଓ ଚାଇନା ଯଥାକ୍ରମେ ୧୦୧ ଏବଂ ୮୪ତମ ସ୍ଥାନରେ ରହିଛନ୍ତି। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନର ଲୋକମାନେ ଅତ୍ୟନ୍ତ ଦୁଃଖରେ ରହୁଛନ୍ତି। ଏଥିପାଇଁ ତାଲିକାର ସର୍ବଶେଷ ଅର୍ଥାତ ୧୪୯ ନମ୍ବରରେ ଏହି ଦେଶ। ଏହା ଉପରକୁ ଜିମ୍ବାୱେ (୧୪୮ତମ), ରୁୱାଣ୍ଡା (୧୪୭ ତମ), ବୋଟସୱାନା (୧୪୬ତମ) ଓ ଲେସୋଥୋ (୧୪୫ ତମ) ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।