ଭାରତରେ କରୋନା ବିସ୍ଫୋରଣ: ଦେଢ଼ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ଦେଶରେ ଭୟଙ୍କର ରୂପ ଧାରଣ କରିବାକୁ ବସିଲାଣି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ପ୍ରଥମ ଲହରୀ ବେଳେ ଯେତିକି ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇ ନଥିଲା ଏବେ ତା’ଠାରୁ ଅଧିକ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି।

ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ମୁହାଁ ହୋଇଗଲାଣି। ସେହିପରି କ୍ରମାଗତ ୫ମ ଦିନ ପାଇଁ ଦେଶରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶନିବାର ୧.୪୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ଏଠାରେ ଦୈନିକ ସଂକ୍ରମଣ ପ୍ରାୟ ୬୦ ହଜାର ରହିଥିବା ବେଳେ ୨୪ ଘଣ୍ଟାରେ ୩୦୧ ଜଣଙ୍କ ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧,୪୫,୩୮୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୨,୦୫,୯୨୬ରେ ପହଞ୍ଚି ଯାଇଛି। କେବଳ ସଂକ୍ରମିତଙ୍କ ସଂଖ୍ୟା ନୁହେଁ ଏବେ ଦେଶରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଗୋଟିଏ ଦିନରେ ପ୍ରାଣଘାତୀ ଭାଇରସ କରୋନା ଆଉ ୭୯୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ ୧,୬୮,୪୩୬ ଜଣ କରୋନା ଯୋଗୁ ପ୍ରାଣ ହରାଇ ସାରିଲେଣି। ୨୪ ଘଣ୍ଟାରେ ୭୭,୫୬୭ ଜଣ ଲୋକ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ଏଯାଏ ଦେଶରେ ମୋଟ ୧,୧୯,୯୦,୮୫୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୧୦,୪୬,୬୩୧ ରହିଛି।

ଦେଶରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଦୈନିକ ସଂକ୍ରମଣ ଲକ୍ଷେ ଟପି ନଥିଲା। ହେଲେ ଚଳିତ ବର୍ଷ ଏପ୍ରିଲ ୫ରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ଲକ୍ଷେରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସଂକ୍ରମଣ ଗୋଟିଏ ଦିନ ପାଇଁ କମିଥିଲା। କିନ୍ତୁ ଏହାପରେ ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି।

ଅନ୍ୟପକ୍ଷରେ ଆଇସିଏମଆର୍‌ର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧୧,୩୭,୨୧୯ଟି ନମୁନା ପରୀକ୍ଷା କରାଯାଇଛି। ସେହିପରି ଏଯାଏ ଦେଶରେ ୨୫,୫୨,୧୪,୮୦୩ଟି ନମୁନା ପରୀକ୍ଷା କରାଯାଇଛି। ଭାରତ ବର୍ତ୍ତମାନ ବିଶ୍ୱର ୪ର୍ଥ କରୋନା ଦ୍ୱାରା ପ୍ରଭାବିତ ରାଷ୍ଟ୍ର ହୋଇଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।