ଆଜି ବି ବଢ଼ିଲା କରୋନା ଗ୍ରାଫ: ଦିନକରେ ୨୩ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ପ୍ରଥମେ ୨୦ ହଜାର, ତା’ ପରେ ୨୨ ହଜାର ଓ ଶେଷରେ ଆଜି ଦେଶର ଦୈନିକ ସଂକ୍ରମଣ ୨୩ ହଜାର ପାର କରିଛି। ପ୍ରତିଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର ବିଷୟ ପାଲଟିଛି। ସ୍ଥିତିକୁ ଦେଖି କିଛି ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଉଛି। ତଥାପି ସଂକ୍ରମଣ ଉପରେ ବ୍ରେକ ଲାଗୁନାହିଁ।

ବିଶେଷ କରି ମହାରାଷ୍ଟ୍ରରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି କାରଣରୁ ଦେଶରେ ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସ୍ଥିତିକୁ ଦେଖି ମହାରାଷ୍ଟ୍ର ସରକାର ନାଗପୁରରେ ଲକଡାଉନ କରିଛନ୍ତି। ସେହିପରି ଗତକାଲି ଠାରୁ ଔରଙ୍ଗାବାଦରେ ନାଇଟ କର୍ଫ୍ୟୁ ଆରମ୍ଭ କରାଯାଇଛି।

କେନ୍ଦ୍ରୀୟ ଟିମ୍‌ ମଧ୍ୟ ମହାରାଷ୍ଟ୍ର ସ୍ଥିତି ଉପରେ ନଜର ରଖିଥିବା କହିଛି। ସବୁ ପ୍ରକାର ପଦକ୍ଷେପ ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏହି କାରଣରୁ ମହାରାଷ୍ଟ୍ର ସରକାର ଆଗକୁ ସମଗ୍ର ରାଜ୍ୟରେ ଲକଡାଉନ ଘୋଷଣା କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୩,୨୮୫ ଜଣଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୩, ୦୮,୮୪୬ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧,୦୯,୫୩,୩୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିନକରେ କେବଳ ୧୫,୧୫୭ ଜଣ ସୁସ୍ଥ ହୋଇଛନ୍ତି। ଏହାର ଅର୍ଥ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୧,୯୭,୨୩୭ ରହିଛି।

ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୧୭ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୮,୩୦୬ ରହିଛି। ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ମୋଟ ୨,୬୧,୬୪,୯୨୦ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।