ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଆଉ ୨୫୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ୪ର୍ଥ ଦିନ ପାଇଁ ଦେଶର ଦୈନିକ ସଂକ୍ରମଣ ୨୦୦୦ ଉପରେ ରେକର୍ଡ କରାଯାଇଛି। ଶୁକ୍ରବାର ୨୪୫୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଗୁରୁବାର ୨୩୮୦, ବୁଧବାର ଦେଶରେ ୨୦୬୭ ଓ ମଙ୍ଗଳବାର ୧୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେଣୁ କରୋନା ଭାଇରସ ଦେଶରେ ଧୀରେଧୀରେ ପୁଣି ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି।

ସେହିପରି ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଶୁକ୍ରବାର ୧୪,୨୪୧ ଜଣ ସକ୍ରିୟ ରୋଗୀ ରହିଥିଲେ। ଆଜି ଏଥିରେ ଅଧିକ ୮୩୮ ଜଣ ଯୋଡ଼ି ହୋଇ ଯାଇଛନ୍ତି। ଫଳରେ ଦେଶର ଆକ୍ଟିଭ କେସ୍‌ ସଂଖ୍ୟା ୧୫,୦୭୯କୁ ବଢ଼ିଛି। ଗୁରୁବାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩,୪୩୩ ରହିଥିଲା।

କରୋନା ମୃତ୍ୟୁ ତାଲିକାରେ ଆଉ ୩୩ ଜଣ ଯୋଡ଼ି ହୋଇଯାଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୨୨,୧୪୯ରେ ପହଞ୍ଚିଛି। ସେହିପରି ଦିନକରେ କରୋନାକୁ ୧୬୫୬ ଜଣ ମାତ ଦେଇଛନ୍ତି। ଫଳରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୪,୨୫,୧୭,୭୨୪କୁ ବୃଦ୍ଧି ପାଇଛି। ଦେଶର ଦୈନିକ ପଜିଟିଭିଟି ରେଟ ୦.୫୬ ରହିଛି। ସାପ୍ତାହିକ ଟିପିଆର ୦.୫୦% ରହିଥିବା ବେଳେ ଆରୋଗ୍ୟ ହାର ୯୮.୭୫% ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୧ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।