ବ୍ରିଟେନ୍‌ ସଂସଦରେ ଚାଷୀ ଆନ୍ଦୋଳନ ଓ ପ୍ରେସ ସ୍ୱାଧୀନତାକୁ ନେଇ ବିତର୍କ, ଭାରତ ଦେଲା କଡ଼ା ପ୍ରତିକ୍ରିୟା

ଲଣ୍ଡନ: ବ୍ରିଟେନ ସଂସଦରେ ଭାରତରେ ଚାଲିଥିବା କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନ ଓ ପ୍ରେସ ସ୍ୱାଧୀନତାକୁ ନେଇ ସୋମବାର ଜୋରଦାର ବିତର୍କ ହୋଇଛି। ଚାଷୀଙ୍କ ସୁରକ୍ଷା ଓ ପ୍ରେସ ସ୍ୱାଧୀନତା ଶୀର୍ଷକ ବିତର୍କରେ ବ୍ରିଟିଶ ସାଂସଦମାନେ ନିଜ ଇଚ୍ଛାରେ ମତ ପ୍ରକାଶ କରି ଭାରତକୁ ସମାଲୋଚନା କରିଛନ୍ତି। ତେବେ ବ୍ରିଟିଶ ସଂସଦରେ ଏପରି ଆଲୋଚନାକୁ ଜୋରାଦାର ବିରୋଧ କରିଛି ଭାରତ। ଲଣ୍ଡନରେ ଅବସ୍ଥାପିତ ଭାରତର ହାଇକମିଶନ ଏହାର ଦୃଢ଼ ପ୍ରତିବାଦ କରିଛି। ହାଇକମିଶନ ପକ୍ଷରୁ ଜାରି […]

UK

UK

Hemant Lenka
  • Published: Tuesday, 09 March 2021
  • Updated: 09 March 2021, 10:31 AM IST

Sports

Latest News

ଲଣ୍ଡନ: ବ୍ରିଟେନ ସଂସଦରେ ଭାରତରେ ଚାଲିଥିବା କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନ ଓ ପ୍ରେସ ସ୍ୱାଧୀନତାକୁ ନେଇ ସୋମବାର ଜୋରଦାର ବିତର୍କ ହୋଇଛି। ଚାଷୀଙ୍କ ସୁରକ୍ଷା ଓ ପ୍ରେସ ସ୍ୱାଧୀନତା ଶୀର୍ଷକ ବିତର୍କରେ ବ୍ରିଟିଶ ସାଂସଦମାନେ ନିଜ ଇଚ୍ଛାରେ ମତ ପ୍ରକାଶ କରି ଭାରତକୁ ସମାଲୋଚନା କରିଛନ୍ତି।

ତେବେ ବ୍ରିଟିଶ ସଂସଦରେ ଏପରି ଆଲୋଚନାକୁ ଜୋରାଦାର ବିରୋଧ କରିଛି ଭାରତ। ଲଣ୍ଡନରେ ଅବସ୍ଥାପିତ ଭାରତର ହାଇକମିଶନ ଏହାର ଦୃଢ଼ ପ୍ରତିବାଦ କରିଛି। ହାଇକମିଶନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବ୍ରିଟିଶ ସଂସଦରେ ହୋଇଥିବା ବିତର୍କକୁ ନେଇ ଆମେ ବେଶ ଦୁଃଖିତ। କାରଣ ସଂସଦରେ ଏକ ସନ୍ତୁଳିତ ବିତର୍କ ପରିବର୍ତ୍ତେ ଭିତ୍ତିହୀନ ଓ ମିଥ୍ୟା ତଥ୍ୟ ଉପରେ ଆଧାରିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସଂସଦରେ କରାଯାଇଥିବା ଦାବିରେ କୌଣସି ସତ୍ୟତା ନାହିଁ।

ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ଓ ଏହାର ଅଖଣ୍ଡତା ଉପରେ ଆକ୍ରମଣ କରିବାକୁ ବିତର୍କ ଜରିଆରେ ଚେଷ୍ଟା କରାଯାଇଛି। ବ୍ରିଟିଶ ଗଣମାଧ୍ୟମ ସମେତ ଅନେକ ବିଦେଶୀ ମିଡିଆ ଭାରତରେ ରହିଛନ୍ତି। ସେମାନେ ନିଜେ ଏହି ପ୍ରସଙ୍ଗଗୁଡ଼ିକୁ ଦେଖିଛନ୍ତି ଓ ଅନୁଭବ ମଧ୍ୟ କରିଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଆଲୋଚନା କରାଯାଇଛି। ସେହିପରି ଭାରତରେ ଗଣମାଧ୍ୟମର ସ୍ୱାଧୀନତା ନାହିଁ ବୋଲି କରାଯାଉଥିବା ଦାବି ଆଦୌ ଏକ ପ୍ରସଙ୍ଗ ନୁହେଁ। କାରଣ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ସମ୍ବିଧାନ ଅନୁସାରେ ଏଠାରେ ସମସ୍ତଙ୍କର ସ୍ୱାଧୀନତା ରହିଛି। ଭାରତକୁ ବଦନାମ କରିବା ପାଇଁ ଉଦ୍ୟମ ହୋଇଥିବାରୁ ହାଇକମିଶନ ପ୍ରତିକ୍ରିୟା ଦେଇଥିବା କଥା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।

ସୋମବାର ଦିନ ବ୍ରିଟିଶ ସଂସଦରେ ଭାରତରେ ‘ଚାଷୀ ସୁରକ୍ଷା' ଓ ‘ପ୍ରେସ ସ୍ୱାଧୀନତା' ପ୍ରସଙ୍ଗରେ ବିତର୍କ ପାଇଁ ୯୦ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଥିଲା। ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳଦନ ସମ୍ପର୍କରେ ଭାରତ ସରକାର ଦେଇଥିବା ପ୍ରତିକ୍ରିୟାକୁ ଲେବର ପାର୍ଟି, ଲିବରାଲ୍ ଡେମୋକ୍ରାଟ୍ସ ଓ ସ୍କଟଲ୍ୟାଣ୍ଡ ନ୍ୟାସନାଲ ପାର୍ଟିର ଅନେକ ସାଂସଦ ବିରୋଧ କରିଥିଲେ।

ବ୍ରିଟେନ ସରକାର ଏହାର ଜବାବ ଦେଇ କହିଥିଲେ ଯେ “ଭାରତ ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ। ଦୁଇ ଦେଶର ପ୍ରଧାନମନ୍ତ୍ରୀ ପରସ୍ପରକୁ ସାକ୍ଷାତ କରିବାର ଅଛି। ଏହି ସମୟରେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଜଣାଯିବ।”
ଭାରତୀୟ ବଂଶୋଦ୍ଭବ ସାଂସଦ ତଥା ଲିବରାଲ୍ ଡେମୋକ୍ରାଟ୍ ନେତା ଗୁରୁଚ ସିଂ ପ୍ରଥମେ ଚାଷୀଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଅନୁରୋଧ କରି ନୋଟିସ ଦେଇଥିଲେ। ଏହି ନୋଟିସ୍‌ରେ ୧୦ ଲକ୍ଷରୁ ଅଧିକ ବ୍ରିଟେନବାସୀଙ୍କ ଦସ୍ତଖତ ରହିଥିଲା। ଏହାକୁ ଆଧାର କରି ସଂସଦରେ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ଉପରରେ ଆଲୋଚନା କରିବାକୁ ସଂସଦରେ ସମୟ ଧାର୍ଯ୍ୟ କରାଯାଇଥିଲା।

ସ୍କଟଲ୍ୟାଣ୍ଡ ନ୍ୟାସନାଲ ପାର୍ଟିର ମାର୍ଟିନ ଡାୟ କହିଥିଲେ “ବ୍ରିଟେନ ସରକାର କହି ସାରିଛନ୍ତି ଯେ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଭାରତ ସରକାର ଆଇନ ଲାଗୁ କରିଛନ୍ତି। ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ତେଣୁ ଆମେ କୃଷି କ୍ଷେତ୍ରର ସଂସ୍କାର ପାଇଁ ଆସିଥିବା ଆଇନ ଉପରେ ବିତର୍କ କରିବା ନାହିଁ।

ଆମେ କେବଳ ଆନ୍ଦୋଳନକାରୀଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବା ଦରକାର। ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ଉପରକୁ ବାରମ୍ବାର ପାଣି ମାଡ଼ କରାଯାଉଛି। ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯିବା ସହ ଲାଠି ଚାର୍ଜ କରାଯାଉଛି। ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରିଦିଆଯାଉଛି। ତେଣୁ ଏହା ଏକ ଚିନ୍ତାର ବିଷୟ। ସେହିପରି ଏକାଧିକ ଚାଷୀ ମଧ୍ୟ ଆତ୍ମହତ୍ୟା କରିସାରିଲେଣି।”

ଏହି ସମୟରେ ଏକାଧିକ ସାଂସଦ ଭାରତରେ ଚାଷୀ ଓ ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ବ୍ରିଟେନ ସରକାରରେ ମନ୍ତ୍ରୀ ଥିବା ଆସିଆ ନିଗେଲ ଆଡମ୍ସ କହିଥିଲେ, “ଭାରତ ଓ ବ୍ରିଟେନ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି। ହେଲେ ଏହାର ଅର୍ଥ ନୁହେଁ ଯେ ବ୍ରିଟେନ ଚିନ୍ତା ସୃଷ୍ଟି କରୁଥିବା ପ୍ରସଙ୍ଗରେ ଚୁପ ବସିବ। ଯେଉଁଠି ସମସ୍ୟା ସୃଷ୍ଟି ହେବ, ସେଠାରେ ସ୍ୱର ଉଠାଯିବ।”

ଲେବର ପାର୍ଟି ନେତା ଜେ କୋରବୟନ କହିଛନ୍ତି, ଅଭୂତ ପୂର୍ବ ଆନ୍ଦୋଳନରେ ଶତାଧିକ ଲୋକ କାହିଁକି ସାମିଲ ହେଉଛନ୍ତି, ଜଣେ ଥରେ ଚିନ୍ତା କରିବା ଦରକାର। ଭାରତରେ ସାମ୍ବାଦିକଙ୍କ ଗିରଫଦାରୀ ବହୁ ବଡ଼ ଚିନ୍ତାର ବିଷୟ। କଞ୍ଜରଭେଟିଭ ସାଂସଦ ଥେରେସା କହିଥିଲେ, “ବିଶାଳ ବିକ୍ଷୋଭ ବେଳେ ପୁଲିସ୍‌ ଗ୍ରହଣ କରୁଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ବ୍ରିଟେନବାସୀ ମଧ୍ୟ ଏଠାରେ ଆମକୁ ଅଭିଯୋଗ କରୁଛନ୍ତି। ଏହାର ଅର୍ଥ ନୁହେଁ ଯେ ବ୍ରିଟେନ ଗଣତନ୍ତ୍ର ବିରୋଧୀ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos