ଯେବେ ଜଣେ ସାମ୍ବାଦିକ ପାଖରେ ଟିଆରପି ତୁଚ୍ଛ ହୋଇଯାଏ…

ଚେନ୍ନାଇ: ବେଳେ ବେଳେ ଆଖି ସାମ୍ନାରେ ଏମିତି କିଛି ଘଟଣା ଘଟେ ଯେଉଁଠି ବିବେକ ପାଖରେ ବୃତ୍ତି ଗୌଣ ହୋଇଯାଏ। ନିଜର ପେଶାଠାରୁ କାହା ଜୀବନ ମୂଲ୍ୟବାନ ହୋଇଯାଏ। ତୁଚ୍ଛ ହୋଇଯାଏ ଟିଆରପି। ମାନବିକତା ଆଗରେ ମୂଲ୍ୟହୀନ ହୋଇଯାଏ ବ୍ୟବସାୟ। ଆଉ ବୁମ ଛାଡ଼ି ସାମ୍ନାରେ ଥିବା ଅସହାୟ ମଣିଷକୁ ସାହାଯ୍ୟ କରିବାକୁ ଦୁଇ ହାତ ବଢ଼ିଯାଏ।। କିଛି ଏମିତି ଦୃଶ୍ୟ ବୁଧବାର ଚେନ୍ନାଇର ରାଜୀବ ଗାନ୍ଧି ହସପିଟାଲରେ ଦେଖିବାକୁ ମିଳିଥିଲା। ଏହି ହସପିଟାଲରେ ଗତ କାଲି ନିଆଁ ଲାଗିଯାଇଥିଲା ବେଳେ ଜଣେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ଅସହାୟ ରୋଗୀକୁ ବଞ୍ଚାଇବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ନିଆଁ କବଳିତ ହସପିଟାଲରୁ ରୋଗୀଙ୍କୁ ଉଦ୍ଧାର କରି ତାଙ୍କ ଜୀବନ ବଞ୍ଚାଇ ଦେଇଥିଲେ ସେ । ମାନବିକତା ଦେଖାଇଥିବା ସେଇ ସାମ୍ବାଦିକ ଜଣକ ହେଉଛନ୍ତି ଇଣ୍ଡିଆ ଟୁଡେର ପ୍ରମୋଦ ମାଧବ।

ଗତକାଲି  ରାଜୀବ ଗାନ୍ଧି ସରକାର ହସପିଟାଲର ଟାୱାର-୨ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିଲା। ଏହି ସମୟରେ ଖବର ସଂଗ୍ରହ ପାଇଁ ସେଠାକୁ ସାମ୍ବାଦିକ ମାନେ ଯାଇଥିଲେ। ବିପଦରୁ ରକ୍ଷା ପାଇବା ପାଇଁ ରୋଗୀ ଏବଂ ଆତ୍ମ୍ୟସ୍ୱଜନମାନେ ସହାୟତା  ପାଇଁ ଆକୁଳ ନିବେଦନ କରୁଥିଲେ । କାନ୍ଦବୋବାଳିରେ କୋଳାହଳ ହୋଇ ପଡ଼ିଥିଲା ପରିବେଶ। କାହା ମୁହଁରେ ଅକ୍ସିଜେନ୍‌ ଲାଗିଥିଲା ତ ଆଉ କିଏ  ଭେଣ୍ଟିଲେଟରରେ ଥିଲେ। ସେମାନେ ନିଜ ଜୀବନ ବଞ୍ଚାଇବାକୁ  ଅସହାୟ ଥିଲେ। ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଅଗ୍ନିଶମବାହିନୀ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଥିଲେ। ତଥାପି  ବହୁ ରୋଗୀ ଫସିଯାଇଥିବାରୁ ପ୍ରମୋଦ ସାହାଯ୍ୟ କରିବାକୁ ଆଗେଇ ଯାଇଥିଲେ।  ଆଉ ସେ ବୁମ୍ ଛାଡ଼ି ରୋଗୀମାନଙ୍କୁ ହାତରେ ଟେକି ଟେକି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କେବଳ ପ୍ରମୋଦ ନୁହନ୍ତି ଅନ୍ୟ ସାମ୍ବାଦିକ ଓ କ୍ୟାମେରା ମ୍ୟାନ ମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପ୍ରମୋଦ କହିଛନ୍ତି ଯେ, ଯେହେକୁ ଏହା ଏକ କେମିକାଲ ଫାୟାର ଥିଲା ତେଣୁ ଭିତରକୁ ଯିବାକୁ କେହି ସାହାସ କରୁନଥିଲେ ।  କିନ୍ତୁ ସମସ୍ତ ସୁରକ୍ଷା ଉପକରଣ ସହ ଅଗ୍ନିଶମ ବାହିନୀମୀନେ ଆସିଥିଲେ । ହେଲେ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ନିତ ହୋଇ ପାରି ନଥିଲା । ତେଣୁ ସେ ବାଧ୍ୟ ହୋଇ ବିପଦ ମୁହଁକୁ ଯାଇ ରୋଗୀଙ୍କୁ ଉଦ୍ଧାର କରିଥିଲେ।  ଅଗ୍ନିଶମ ବାହିନୀଙ୍କ ଉଦ୍ଧାର ଅତି ପ୍ରଶଂସନୀୟ ବୋଲି ମାଧବ କହିଛନ୍ତି । ଅନ୍ୟପଟେ ଏହି ଦୁଃସାହସିକ କାମ କରି ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ମାଧବଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ସୁଖର କଥା ହେଉଛି ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କାହାର ମୃତ୍ୟୁ ଘଟି ନଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।