୨୨ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧

ନୂଆଦିଲ୍ଲୀ: ୨୦୨୨ର ପ୍ରଥମ ଦିନରେ ଲମ୍ବ ଡିଆଁ ମାରିଛି ଦେଶରେ କରୋନାର ଦୈନିକ ସଂକ୍ରମଣ। ୨୪ ଘଣ୍ଟା ମଧ୍ୟରେ ୨୨,୭୭୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ୨୭୫ ଦିନ ମଧ୍ୟରେ ସର୍ବାଧିକ। ସେହିପରି ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣ ଏକଥରକେ ୩୫% ବୃଦ୍ଧି ପାଇଛି।

ଦେଶରେ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହେବା ପରେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଇତି ମଧ୍ୟରେ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସହଖ୍ୟା ୧୪୩୧ରେ ପହଞ୍ଚି ଯାଇଛି। ଦେଶର ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଭାରିଏଣ୍ଟ କାୟା ବିସ୍ତାର କରି ଆଗକୁ ମାଡ଼ି ଚାଲିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ଦିଲ୍ଲୀ ରହିଛି। ମହାରାଷ୍ଟ୍ରରେ ଆଜି ସୁଦ୍ଧା ୪୫୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦିଲ୍ଲୀରେ ଏହି ସଂଖ୍ୟା ୩୫୧ ରହିଛି। ୧୧୮ ଓମିକ୍ରନ ଆକ୍ରାନ୍ତଙ୍କ ସହ ତାମିଲନାଡୁ ତୃତୀୟରେ, ଗୁଜରାଟରେ ୧୧୫ ଓ କେରଳରେ ୧୦୯ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୪୩୧ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଦୈନିକ ସଂକ୍ରମଣ କଥା ବିଚାରକୁ ନେଲେ, ଅକ୍ଟୋବର ୩ରେ ଶେଷଥର ପାଇଁ ଦେଶରେ ଦୈନିକ ସଂକ୍ରମଣ ୨୨ ହଜାର ପାର କରିଥିଲା। ଆଜି ୨୭୫ ଦିନ ପରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ଟପିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୬୧,୫୭୯କୁ ବଢ଼ିଛି।


ମହାରାଷ୍ଟ୍ରରେ ସର୍ବାଧିକ ୮,୦୬୭ ଜଣ, ପଶ୍ଚିମବଙ୍ଗରେ ୩,୪୫୧, କେରଳରେ ୨,୬୭୬, ଦିଲ୍ଲୀରେ ୧୭୯୬ ଓ ତାମିଲନାଡୁରେ ୧୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏହି ୫ ରାଜ୍ୟରେ ୭୫.୨୮% ଆକ୍ରାନ୍ତ ରହିଛନ୍ତି। କେବଳ ମହାରାଷ୍ଟ୍ରରେ ଏହା ୩୫.୪୨% ରହିଛି।

ଦିନକରେ ଆଉ ୪୦୬ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୪,୮୧,୪୮୬ ଛୁଇଁଛି। କେରଳରେ ସର୍ବାଧିକ ୩୫୩ ଜଣଙ୍କ ଜୀବନ ଯାଇଥିବା ବେଳେ କେରଳରେ ୧୧ ଜଣ, ମହାରାଷ୍ଟ୍ରରେ ୮, କର୍ଣ୍ଣାଟକାରେ ୮, ଆନ୍ଧ୍ର ପ୍ରଦେଶରେ ୨ ଜଣ ଓ ବେଙ୍ଗଲରେ ୭ ଜଣ କରୋନା ଯୋଗୁ ଆଖି ବୁଜିଛନ୍ତି।

ଏହାବାଦ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ୧୩,୪୨୦ ବଢ଼ିଛି। ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୪,୭୮୧ ରହିଛି। ୨୪ ଘଣ୍ଟାରେ ୮,୯୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।