ରାଜ୍ୟସଭାରେ ପାରିତ ହେଲା ବୀମା ସଂଶୋଧନ ବିଲ୍

ନୂଆଦିଲ୍ଲୀ:  ଗୁରୁବାର ବୀମା ସଂଶୋଧନ ବିଲକୁ ଅନୁମୋଦନ ଦେଇଛି ରାଜ୍ୟସଭା। ବୀମା କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ  ବା ଏଫଡିଆଇ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ଆଇନ୍ ବାବଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀଦଳଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଆଉ କହିଥିଲେ ଅଂଶଧନ ବୃଦ୍ଧି ସହିତ କମ୍ପାନୀଗୁଡିକର ନିୟନ୍ତ୍ରଣ ବିଦେଶୀ କମ୍ପାନୀମାନଙ୍କୁ ଦିଆଯିବ, କିନ୍ତୁ ଏହି କମ୍ପାନୀଗୁଡିକର ଥିବା ବୋର୍ଡ ନିର୍ଦ୍ଦେଶକ ଏବଂ ମ୍ୟାନେଜମେଣ୍ଟରେ ଭାରତୀୟ ଲୋକଙ୍କୁ ନିଯୁକ୍ତ ଦିଆଯିବ। ଆଉ ଏମାନେ ସମସ୍ତେ ଭାରତୀୟ ଆଇନ ଅନୁସାରେ ବ୍ୟବସାୟ କରିବେ।

ବୀମା କମ୍ପାନୀଗୁଡିକରେ ବିଦେଶୀ ଅଂଶଧନ ବୃଦ୍ଧି ହେବାର କାରଣ ମଧ୍ୟ କହିଛନ୍ତି ସୀତାରମଣ। ବୀମା କମ୍ପାନୀଗୁଡିକ ଉପରେ ନଗଦ ଚାପ ବଢୁଛି, ତେଣୁ ଏଭଳି ପରିସ୍ଥିତିରେ ବିନିଯୋଗ ସୀମା, ସେମାନଙ୍କର ପୁଞ୍ଜି ବଢ଼ିବା ନେଇ ରହିଥିବା ଟାର୍ଗେଟ ପୂରଣ କରିପାରିବ।

ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଖୁବଶୀଘ୍ର ଭାରତ ଫେରିବେ

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକସି ଖୁବଶୀଘ୍ର ଦେଶର ଆଇନ ବ୍ୟବସ୍ଥାକୁ ସାମ୍ନା କରିବେ। ଖୁବଶୀଘ୍ର ସେମାନେ ଭାରତ ଫେରି ଆସୁଛନ୍ତି। ରାଜ୍ୟସଭାରେ ବୀମା ସଂଶୋଧନ ବିଲ୍ ଉପରେ ଚାଲିଥିବା ବିତର୍କର ପ୍ରତିକ୍ରିୟାରେ କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ସରକାର ମାଲ୍ୟା ଏବଂ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ନେଇ ବ୍ରିଟେନ ସହ ଆଲୋଚନା କରୁଛନ୍ତି। ମେହୁଲ ଚୋକସି ଆଣ୍ଟିଗୁଆରେ ଥିବା କୁହାଯାଉଛି। ଏହି ତିନି ପଳାତକ ବ୍ୟବସାୟୀ ଦେଶର ଆଇନକୁ ସାମ୍ନା କରିବାକୁ ଯାଉଛନ୍ତି ବୋଲି ସୀତାରମଣ କହିଛନ୍ତି।

କିଙ୍ଗଫିସର ଏୟାରଲାଇନ୍ସ ସହ ଜଡିତ ୯,୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ ମାଲ୍ୟା ଛନ୍ଦି ହୋଇଛନ୍ତି। ମାର୍ଚ୍ଚ ୨୦୧୬ଠାରୁ ସେ ବ୍ରିଟେନରେ ଅଛନ୍ତି। ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୪,୫୦୦ କୋଟି ଟଙ୍କା ଠକେଇ କରି ନିରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକସି ଦେଶ ଛାଡି ପଳାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।