ଆଉ ଜଣେ ଭଣ୍ଡବାବାଙ୍କ ନାଁରେ ଇଣ୍ଟରପୋଲ ଜାରି କଲା ନୋଟିସ୍‌

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ବୀରେନ୍ଦ୍ର ଦେଓ ଦୀକ୍ଷିତଙ୍କ ନାଁରେ ଇଣ୍ଟରପୋଲ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଛି। ଦିଲ୍ଲୀର ରୋହିନ ଅଞ୍ଚଳରେ ଆଶ୍ରମ କରି ଏହି ଆତ୍ମଘୋଷିତ ବାବା ଜଣଙ୍କ ଦୀର୍ଘ ବର୍ଷ ଧରି ଏକାଧିକ ଝିଅଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାଟି ୨୦୧୭ ମସିହା ଜୁନ୍‌ ମାସରେ ସାମ୍ନାକୁ ଆସିଥିଲା। ଉତ୍ତର ଦିଲ୍ଲୀର ବିଜୟ ବିହାର ଅଞ୍ଚଳରେ ଥିବା ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ ପରିସରରେ ବୀରେନ୍ଦ୍ର ମହିଳାଙ୍କୁ ଯୌନ ଉତ୍ପୀଡ଼ନ ସହ ଶାରୀରିକ ନିର୍ଯାତନା ଦେଉଥିବା ଦୁଇଟି ଅଭିଯୋଗ ଦିଲ୍ଲୀ ପୁଲିସ୍‌ ପାଖରେ ପହଞ୍ଚିଥିଲା।

କିଛି ଦିନ ମଧ୍ୟରେ ଦିଲ୍ଲୀ ପୁଲିସ୍‌ ଏକାଧିକ ଏଫଆଇଆର ରୁଜୁ କରି ଆତ୍ମଘୋଷିତ ବାବା ବୀରେନ୍ଦ୍ରଙ୍କୁ ଖୋଜୁ ଥିଲା। ହେଲେ ଘଟଣା ପରଠାରୁ ସେ ଫେରାର ହୋଇଯାଇଛନ୍ତି। କୁହାଯାଉଛି, ଭାରତରୁ ଫେରାର ହେବା ପରେ ସେ ନେପାଳରେ ଆତ୍ମଗୋପନ କରିଛନ୍ତି।

ଇଣ୍ଟରପୋଲ ଆଜି ତାଙ୍କୁ ଧରିବା ପାଇଁ ନୋଟିସ୍‌ କରିଥିଲେ ହେଁ ସିବିଆଇ ଏହା ପୂର୍ବରୁ ବୀରେନ୍ଦ୍ରଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ସିବିଆଇ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ବୀରେନ୍ଦ୍ରଙ୍କ ସମ୍ପର୍କରେ ସୂଚନା ହାସଲ କରିବାକୁ 011-24368657, fax 01124368662 and email spstfdel@cbi.gov.in ହେଲ୍ପ ଲାଇନର ବ୍ୟବସ୍ଥା କରାଯାଇଥିଲା। ବୀରେନ୍ଦ୍ରଙ୍କୁ ଧରିବା ପାଇଁ ସିବିଆଇ ଶତ ଚେଷ୍ଟା କରିଥିଲେ ହେଁ ତାଙ୍କର ପତ୍ତା ମିଳି ନଥିଲା। ଶେଷରେ ତଦନ୍ତକାରୀ ସଂସ୍ଥା ୨୦୧୮ ମସିହା ଫେବୃଆରୀ ମାସରେ ବୀରେନ୍ଦ୍ରଙ୍କ ନାଁରେ ଲୁକ ଆଉଟ ସିର୍କ୍ୟୁଲାର ମଧ୍ୟ ଜାରି କରିଥିଲା।

ବୀରେନ୍ଦ୍ର ଦିକ୍ଷୀତଙ୍କ ଆଶ୍ରମରୁ ଗତବର୍ଷ ଦିଲ୍ଲୀ ପୁଲିସ୍‌ ଓ ଦିଲ୍ଲୀ ମହିଳା କମିଶନର ରେଡ୍‌ କରି ୪୦ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହି ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ ଆଶ୍ରମଟି ଫେରାର ବୀରେନ୍ଦ୍ରଙ୍କର ନାଁରେ ପଞ୍ଜିକୃତ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଆଶ୍ରମରେ ଛୋଟ ଝିଅଙ୍କୁ ବଳ ପୂର୍ବକ ରଖାଯାଉଥିଲା।

ସେମାନଙ୍କୁ ସେଠାରେ ଯୌନ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ପୁଲିସ୍‌ ଅଭିଯୋଗ ପାଇବା ପରେ ଆଶ୍ରମରେ ରେଡ୍‌ କରିଥିଲା ଓ ଏକାଧିକ ଝିଅଙ୍କୁ ତା’ ମଧ୍ୟରୁ ଉଦ୍ଧାର କରିଥିଲା। ସେମାନେ ଅତ୍ୟନ୍ତ ଅମାନବୀୟ ପରିବେଶରେ ଆଶ୍ରମ ମଧ୍ୟରେ ରହୁଥିବା ଦେଖିବାକୁ ମିଳିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।