ଆମାଜନରେ ମିଳୁଛି ଗଞ୍ଜେଇ! କେମିତି ଚାଲିଥିଲା ବ୍ୟବସାୟ?

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ଜରିଆରେ ଗଞ୍ଜେଇ ଚୋରାଚାଲାଣ। ଶୁଖିଲା stevia leaves ନାଁରେ ବେପାରୀମାନେ ଆମାଜନରେ ଗଞ୍ଜେଇ ଯୋଗାଣ କରୁଛନ୍ତି। ବର୍ତ୍ତମାନ ପୁଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ଆମାଜନର ସ୍ଥାନୀୟ ଅଧିକାରୀଙ୍କୁ ପୂରା ଘଟଣା ବିଷୟରେ ପଚରାଉଚରା କରିବାକୁ ସମନ କରିଛି।

ରବିବାର ମଧ୍ୟପ୍ରଦେଶ ପୁଲିସ ୨୦ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। ସେମାନେ ଆମାଜନ ଇଣ୍ଡିଆର ଶପିଂ ୱେବସାଇଟ ଜରିଆରେ ଗଞ୍ଜେଇ ଅର୍ଡର ଦେବା ସହ ଏଗୁଡ଼ିକୁ ବିଭିନ୍ନ ରାଜ୍ୟକୁ ପଠାଉଥିଲେ। ଦେଶରେ ଗଞ୍ଜେଇ ବ୍ୟାନ ହୋଇଥିବା ବେଳେ ମୁମ୍ବାଇରେ ଏନସିବି ଧରପଗଡ଼ କରୁଛି। ହେଲେ ଆମାଜନ ଭଳି ଗୋଟିଏ ପ୍ରତିଷ୍ଠିତ କମ୍ପାନୀ ଜରିଆରେ ଏପରି ଚୋରାଚାଲାଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମଧ୍ୟପ୍ରଦେଶର ଭିଣ୍ଡ ପୁଲିସ ହିଁ ପ୍ରଥମେ ଇ-କମର୍ସ କମ୍ପାନୀ ଆମାଜନ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ଖବର ପାଇଥିଲା। ଏହାପରେ ଭିଣ୍ଡ ଏସପି ସାଇବର ସେଲକୁ ଏହାର ଯାଞ୍ଚ କରିବାକୁ କହିଥିଲେ। ସାଇବର ସେଲ୍ ଯାଞ୍ଚ କରି ଗ୍ୱାଲିୟର ସୁରଜ ପୱାୟାଙ୍କ ସମ୍ପର୍କରେ ଖବର ପାଇଥିଲା। ତାଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ରହିବାରୁ ଏସପି ମନୋଜ କୁମାର ସିଂଙ୍କ ନିର୍ଦ୍ଦେଶରେ ସାଇବର ସେଲ୍ ଓ ଅନ୍ୟ ପୁଲିସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ।

ପୁଲିସ୍‌ ତାଙ୍କୁ ଭିଣ୍ଡ-ଗ୍ୱାଲିୟର ଜାତୀୟ ରାଜପଥ ସ୍ଥିତି ଗୋବିନ୍ଦ ଢାବା ନିକଟରୁ ଧରିଥିଲା। ଏହାପରେ ଢାବା ଚଳାଉଥିବା ବିଜେନ୍ଦର ତୋମାରଙ୍କୁ ମଧ୍ୟ ଗିରଫ କରିଛି। ଏହି ସମୟରେ ସେମାନଙ୍କ ଠାରୁ ଆମାଜନ ପ୍ୟାକିଂ ଖୋଳ, ରାପର, ବାରକୋଡ୍ ଟ୍ୟାଗିଂ ସମେତ ୨୦ କେଜିର ଗଞ୍ଜେଇ ଜବତ କରିଛି।

ଅଭିଯୁକ୍ତ ଦ୍ୱୟ ପୁଲିସକୁ କହିଛନ୍ତି ଯେ ସେମାନେ ବାବୁ ଟ୍ୟାକ୍ସ ନାମକ ଏକ ଫାର୍ମ ଗଠନ କରିଥିଲେ। ଏହାକୁ ବିଶାଖାପାଟନମରେ ଆମାଜନର ବିକ୍ରେତା ଭାବରେ ପଞ୍ଜୀକୃତ କରିଥିଲେ। ଏହି କମ୍ପାନୀ ଜରିଆରେ ସେମାନେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଅନଲାଇନରେ ଗଞ୍ଜେଇ ଅର୍ଡର କରିବା ସହ ଏହାର ଚୋରା ଚାଲାଣ କରୁଥିଲେ।

ଶୁଖିଲା stevia leaves ନାଁରେ ସେମାନେ ଗଞ୍ଜେଇକୁ ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ବର୍ତ୍ତମାନ ସୁଦ୍ଧା ସେମାନେ ୧ ଟନରୁ ଅଧିକ ଗଞ୍ଜେଇ ଲୋକଙ୍କ ପାଖରେ ପହଞ୍ଚାଇ ସାରିଛନ୍ତି। ଯାହାର ମୂଲ୍ୟ ପ୍ରାୟ୧୪୮,୦୦୦ ଡଲାର ହେବ। ଏହି ବିକ୍ରିର ପ୍ରାୟ ୬୬.୬୬% ଅର୍ଥ ଆମାଜନର ଆକାଉଣ୍ଟକୁ ଯାଉଥିଲା।

ସୋମବାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ମନୋଜ ସିଂହ କହିଛନ୍ତି, ଅସିଦ୍ଧ ଘୋଷଣା ହୋଇଥିବା ଜିନିଷ କେମିତି ଇ-କର୍ମସ କମ୍ପାନୀରେ ମିଳୁଥିଲା, ତା’ର ଜବାବ ରଖିବାକୁ ଆମାଜନ ଅଧିକାରୀଙ୍କୁ କୁହାଯାଇଛି। ଆମାଜନ ଗୋଟିଏ ଅନ୍ତର୍ଜାତୀୟ ପ୍ଲାଟଫର୍ମ। ତାଙ୍କ ପାଖରେ ଆର୍ଟିଫିସିଆଲ ଗୁଇନ୍ଦା ବ୍ୟବସ୍ଥା ରହିଛି।

ତଥାପି ଦୀର୍ଘ ଦିନରୁ ଏପରି ଘଟଣା ଚାଲିବା, ନିଶ୍ଚିତ ବଡ଼ କଥା। ଆମକୁ ଲାଗୁଛି ଗଞ୍ଜେଇ ଡେଲିଭରୀରେ ଆମାଜନର ଭୂମିକା ମଧ୍ୟ ବିଭିନ୍ନ ସ୍ତରରେ ରହିଛି। ଆସନ୍ତାକାଲି କମ୍ପାନୀର ଓକିଲ ଆମ ପାଖକୁ ଆସି ପାରନ୍ତି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।