ଟ୍ରେନରେ ଯାତ୍ରା କରିବା ବେଳେ ସିଗାରେଟ୍ ଟାଣୁଛନ୍ତି କି?

ନୂଆଦିଲ୍ଲୀ: ଟ୍ରେନରେ ଧୂମପାନ କରିବା ଏବେ ମହଙ୍ଗା ହୋଇପାରେ। ନିକଟରେ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଥିଲା। ପ୍ରାଥମିକ ତଦନ୍ତ ବେଳେ ସର୍ଟ ସର୍କିଟ୍ ପାଇଁ ନିଆଁ ଲାଗିଥିବା ଜଣାପଡ଼ିଥିଲା। ହେଲେ ସର୍ଟ ସର୍କିଟ ପଛର କାରଣ ଏବେ ସିଗାରେଟରୁ ଉଡିଆସିଥିବା ନିଆଁ ବୋଲି ଜଣାପଡ଼ିଛି। ତେଣୁ ଏବେ ଟ୍ରେନରେ ଧୂମପାନ କରୁଥିବା ଯାତ୍ରୀଙ୍କୁ ଗିରଫ କରିବା ସହିତ ଜୋରିମାନା ଆଦାୟ କରିବାକୁ ରେଳ ବିଭାଗ ଚିନ୍ତା କରୁଥିବା ଜଣାପଡ଼ିଛି।

ସିଗାରେଟ୍ ଏବଂ ବିଡି ଟାଣିବା ପରେ ଏହାକୁ ଡଷ୍ଟବିନରେ ଫିଙ୍ଗି ଦିଆଯାଇଥିଲା। ଏହାପରେ ଟିସୁ ପେପର ନିଆଁ ସଂସ୍ପର୍ଶରେ ଆସିଥିଲା ବୋଲି ଜଣାପଡ଼ିଛି। ନୂଆଦିଲ୍ଲୀ-ଡେରାଡୁନ ଶତାବ୍ଦୀ ସ୍ପେଶାଲ ଟ୍ରେନର S5 କୋଚରେ ଏପରି ନିଆଁ ଲାଗିଥିଲା। ମାର୍ଚ୍ଚ ୧୩ରେ ଉତ୍ତରାଖଣ୍ଡର ରାଇୱାଲା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ବର୍ତ୍ତମାନ ଟ୍ରେନରେ ସିଗାରେଟ୍ କିମ୍ବା ବିଡି ଟାଣିଲେ ରେଳ ଆଇନର ଧାରା ୧୬୭ ଅନୁଯାୟୀ ଅପରାଧ। ଆଉ ଏହି ଅପରାଧ ପାଇଁ ଜୋରିମାନା ମାତ୍ର ୧୦୦ ଟଙ୍କା ରହିଛି। ଏହି ନିୟମ ଆଜିର ଦୁନିଆରେ ଧୂମପାନ ବିରୁଦ୍ଧରେ ଏକ ଦୃଢ଼ ପ୍ରତିବନ୍ଧକ ହୋଇପାରିବ ନାହିଁ। ନିକଟରେ ରେଳବାଇ ବୋର୍ଡ ସଦସ୍ୟ ତଥା ଜୋନର ସାଧାରଣ ପରିଚାଳକଙ୍କ ଏକ ବୈଠକରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏ ବାବଦରେ କହିଥିଲେ। ଏମିତିକି ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ହେବ ବୋଲି ସେ କହିଥିଲେ। କିଛି ଲୋକଙ୍କ ଭୁଲ ଯୋଗୁଁ ଅନ୍ୟ ଯାତ୍ରୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏଥିପାଇଁ କଡ଼ା ପଦକ୍ଷେପ ନେବାକୁ ଜୋନର ସାଧାରଣ ପରିଚାଳକ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।