କୋଭିଡ ୱାର୍ଡରୁ ନିଖୋଜ ଯବାନଙ୍କ ମୃତଦେହ ହସ୍ପିଟାଲର ୱାଶରୁମରୁ ମିଳିଲା

ଭୋପାଲ: ସରକାରୀ କୋଭିଡ ଆଇସୋଲେସନ ୱାର୍ଡରୁ ନିଖୋଜ ଥିବା ଜଣେ ହୋମଗାର୍ଡ ଯବାନଙ୍କ ମୃତଦେହ ଉକ୍ତ ହସ୍ପିଟାଲର ୱାଶରୁମରୁ ମିଳିଛି। ନିଖୋଜର ଦୁଇ ଦିନ ପରେ ମୃତଦେହ ସରକାରୀ ହସ୍ପିଟାଲରୁ ଠାବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯବାନ ପୁଷ୍ପରାଜ ସିଂହ ଭୋପାଲରେ ଥିବା ସରକାରୀ ଜେପି ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଆଡମିଟ ହୋଇଥିଲେ।

ସେ ମାର୍ଚ୍ଚ ୧୭ରେ ପୁଲିସ୍‌ ମୁଖ୍ୟାଳୟରେ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ମଧ୍ୟ ନେଇଥିଲେ। ତେବେ ରବିବାର ସେ ଘରେ ଥିବା ବେଳେ ହଠାତ୍‌ ଅଚେତ ହୋଇଯାଇଥିଲେ। ଏହି କାରଣରୁ ତାଙ୍କୁ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଅମ୍ଳଜାନ ସହଯୋଗରେ ରଖାଯାଇଥିଲା ଓ କୋଭିଡ ଟେଷ୍ଟ କରାଯାଇଥିଲା। ତାଙ୍କର କୋଭିଡ୍‌ ଟେଷ୍ଟ ନେଗେଟିଭ ଆସିଥିଲା।

ସୋମବାର ଠାରୁ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ହେଲେ ହସ୍ପିଟାଲର ନର୍ସ ଓ ଡାକ୍ତର ତାଙ୍କୁ ଠାବ କରିବାକୁ କୌଣସି ପ୍ରଚେଷ୍ଟା କରିନଥିଲେ ବୋଲି ଶ୍ରୀ ସିଂହଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଯବାନଙ୍କ ବାପା ନରେନ୍ଦ୍ର ସିଂହ ଗୌତମ କହିଛନ୍ତି, “ମୋ ପୁଅ ନିଖୋଜ ଥିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ। ବରଂ ସେମାନେ ମୋ ପୁଅ ଲୁଚି ଫେରାର ହୋଇଯାଇଥିବା କହିଥିଲେ। ସେମାନେ ହସ୍ପିଟାଲର ସବୁ ବିଭାଗର ସିସିଟିଭି ଆମକୁ ଦେଖାଇଥିଲେ।

କିନ୍ତୁ ମୋ ପୁଅ ଆଡମିଟ ହୋଇଥିବା ୱାର୍ଡର ଫୁଟେଜ ସେମାନେ ଦେଖାଇ ନଥିଲେ। ଆମେ ମଙ୍ଗଳବାର ଜାଣିବାକୁ ପାଇଥିଲୁ ଯେ କୋଡିଭ ୱାର୍ଡରେ ଲାଗିଥିବା ସିସିଟିଭି କାର୍ଯ୍ୟକ୍ଷମ ହେଉନାହିଁ। ଏବେ ମୋ ପୁଅକୁ ମୋତେ କିଏ ଫେରାଇ ଦେବ?”

ପୁଲିସ୍‌ ଘଟଣା ତଦନ୍ତ ଆରମ୍ଭ କରିଛି ଓ ହସ୍ପିଟାଲର ସିସିଟିଭି ଯାଞ୍ଚ କରୁଛି। ସେହିପରି ପ୍ରଶାସନ ପକ୍ଷରୁ ୨ ନର୍ସଙ୍କ ସମେତ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।