ଲାଉଡ ସ୍ପିକରରେ ଅଜାନ ପାଠକୁ ବିରୋଧ, କୋର୍ଟରେ ପହଞ୍ଚିଲେ ବିଜେପି ନେତା

ରାଞ୍ଚି: ଉତ୍ତର ପ୍ରଦେଶ ପରେ ଝାରଖଣ୍ଡରେ ମୁସିଲମ ସଂପ୍ରଦାୟର ଦୈନିକ ପ୍ରାର୍ଥନା ବା ‘ଅଜାନ’ ବିରୋଧରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଲାଉଡ ସ୍ପିକର ଜରିଆରେ ଅଜାନ ପାଠକୁ ବନ୍ଦ କରିବାକୁ ଏଭଳି ପିଆଇଏଲ ବିଜେପି ନେତା ଅନୁରଞ୍ଜନ ଅଶୋକ ଦାଖଲ କରିଛନ୍ତି। ଦୈନିକ ୫ଥର ଲାଉଡ ସ୍ପିକରରେ ଅଜାନ ପାଠ ହେଉଥିବାରୁ ଏହା ଶବ୍ଦ ପ୍ରଦୂଷଣର କାରଣ ବୋଲି ବିଜେପି ନେତା ଜଣଙ୍କ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ସେ କହିଛନ୍ତି, ଧର୍ମୀୟ ଭାବନା ସହ ତାଙ୍କ ଆବେଦନର କୌଣସି ସମ୍ପର୍କ ନାହିଁ। ଶବ୍ଦ ପ୍ରଦୂଷଣ ଏକ ଭୟଙ୍କର ସମସ୍ୟା ହୋଇଥିବାରୁ ଏହାକୁ ରୋକିବା ପାଇଁ ଏଭଳି ପିଟିସନ ଦାଖଲ କରାଯାଇଛି। ନିୟମ ଅନୁସାରେ ଲାଉଡ ସ୍ପିକର ୧୦ ଡେସିବେଲ୍ସରୁ ଅଧିକ ହେବନାହିଁ।

କିନ୍ତୁ ମସଜିଦ୍‌ରେ ଏହି ନିୟମ ଉଲ୍ଲଙ୍ଘନ କରାଯାଉଛି। ନଭେମ୍ବର ଶେଷ ଭାଗରେ ଏ ସମ୍ପର୍କରେ ବିଜେପି ନେତା ଜଣଙ୍କ ଝାରଖଣ୍ଡ ସରକାରଙ୍କୁ ଚିଠି ଲେଖିଥିଲେ। ହେଲେ ଏଯାଏ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି।

ଅଶୋକ ତାଙ୍କ ଆବେଦନରେ ରାସ୍ତା ଉପରେ ଓ ଅନ୍ୟ ସର୍ବସାଧାରଣରେ ଆୟୋଜିତ ହେଉଥିବା ନମାଜ ପାଠ ଉପରେ ରୋକ ଲଗାଇବାକୁ ମଧ୍ୟ ନିବେଦନ କରିଛନ୍ତି। ରାସ୍ତାରେ ନମାଜ ପାଠ କରାଯାଉଥିବାରୁ ଟ୍ରାଫିକ ସହ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେଉଥିବା ସେ କହିଛନ୍ତି।

ଏହାପୂର୍ବରୁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର କୁଳପତି ସଂଗୀତା ଶ୍ରୀବାସ୍ତବ ଅଜାନକୁ ଲାଉଡ ସ୍ପିକରରେ ପରିବେଷଣ କରାଯାଉଥିବାରୁ ବିରୋଧ କରିଥିଲେ। ଅଜାନ ଜୋର୍‌ରେ ପଢ଼ା ଯାଉଥିବାରୁ ସେ ଠିକ୍‌ ଭାବେ ଶୋଇ ପାରୁନାହାନ୍ତି। ଏଥିପାଇଁ ସେ ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖକୁ ଚିଠି ମଧ୍ୟ ଲେଖିଥିଲେ।

ସେ ଲେଖିଥିବା ଚିଠିର ଶୀର୍ଷକ “ସିଭିଲ ଲାଇନ୍ସ, ପ୍ରୟାଗରାଜରେ ଶବ୍ଦ ପ୍ରଦୂଷଣ” ରହିଥିଲା। ସେ ଏହାକୁ ମାର୍ଚ୍ଚ ୩ରେ ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ଅଧିକାରୀ ଭାନୁ ଚନ୍ଦ୍ରା ଗୋସ୍ୱାମୀଙ୍କ ପାଖକୁ ପଠାଇଥିଲେ। ସେ କହିଥିଲେ, ତାଙ୍କ ବଙ୍ଗଳା ନିକଟରେ ଥିବା ମସଜିଦରେ ପ୍ରତିଦିନ ସକାଳ ପ୍ରାୟ ୫.୩୦ରେ ପ୍ରାର୍ଥନା ବା ଅଜାନ କରାଯାଉଛି।

ଲାଉଡ ସ୍ପିକରରେ ଏହାକୁ ପଢ଼ା ଯାଉଥିବାରୁ ତାଙ୍କୁ ନିଦ ଭାଙ୍ଗି ଯାଉଛି। ସେ ଏହାପରେ ଶୋଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କୁ ଆଉ ନିଦ ହୁଏ ନାହିଁ। ଏଥିପାଇଁ ଦିନ ତମାମ ସେ ମୁଣ୍ଡବିନ୍ଧା ଓ ଅନ୍ୟାନ୍ୟା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଣ୍ଡବିନ୍ଧା ଯୋଗୁ ତାଙ୍କ ଦୈନିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।