ବିଧାନସଭା ନିର୍ବାଚନ ଲଢ଼ିବେ ଜେଏନ୍ୟୁର ଛାତ୍ର ସଂସଦ ସଭାପତି ଐଶୀ ଘୋଷ
ନୂଆଦିଲ୍ଲୀ: ଦେଶର ପ୍ରଖ୍ୟାତ ଶିକ୍ଷାନୁଷ୍ଠାନ ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଛାତ୍ର ସଂସଦ ସଭାପତି ଐଶୀ ଘୋଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ। ତାଙ୍କୁ ସିପିଆଇଏମ ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେଇଛି। ସେ ପ୍ରଥମ କାର୍ଯ୍ୟରତ ଜେଏନୟୁ ଛାତ୍ର ସଂସଦ ସଭାପତି ଯିଏ କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।
ସିପିଆଇଏମ ଐଶୀ ଘୋଷଙ୍କୁ ବେଙ୍ଗଲର ଜାମୁରିଆ ଆସନରୁ ପ୍ରାର୍ଥୀ କରିଛି। ତାଙ୍କୁ ସଂଯୁକ୍ତ ମୋର୍ଚ୍ଚା ମଧ୍ୟ ସମର୍ଥନ କରିବ।
ଐଶୀ ଘୋଷ ଆଜି ଟ୍ୱିଟ କରି କହିଛନ୍ତି, “ଜାମୁରିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଁ ସିପିଆଇଏମ ଟିକେଟରୁ ନିର୍ବାଚନ ଲଢ଼ିବି। ମୋତେ ସଂଯୁକ୍ତ ମୋଚ୍ଚା ସମର୍ଥନ ଜଣାଇଛି। ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି।”
Will be contesting from Jamuria Legislative Assembly Seat as candidate of the CPI(M) ,supported by the Sanyukt Morcha.
Requesting all of your support.#BengalElections2021 pic.twitter.com/bsxIdguIzH
— Aishe (ঐশী) (@aishe_ghosh) March 11, 2021
୨୯୪ ଆସନ ବିଶିଷ୍ଟ ବେଙ୍ଗଲ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ହେବ। ମାର୍ଚ୍ଚ ୨୭ରୁ ଏହା ଆରମ୍ଭ ହୋଇ ଏପ୍ରିଲ ୨୯ ଯାଏ ଚାଲିବ। ଏହାପରେ ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ବେଙ୍ଗଲରେ ଚଳିତ ବର୍ଷ କଂଗ୍ରେସ ଓ ବାମପନ୍ଥୀ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ସହ ଆଇଏସଏଫ ମଧ୍ୟ ରହିଛି। ମାର୍ଚ୍ଚ ୫ରେ ବାମପନ୍ଥୀ ପକ୍ଷରୁ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା।
ଗତବର୍ଷ ଜାନୁଆରୀରେ ଜେଏନୟୁ କ୍ୟାମ୍ପସରେ ମୁଖାପିନ୍ଧା ଦୁର୍ବୃତ୍ତ ପ୍ରବେଶ କରି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଐଶୀ ଘୋଷ ଗୁରୁତର ଆହତ ହୋଇଥିଲେ। ପ୍ରାୟ ୭୦ ଜଣ ଦୁର୍ବୃତ୍ତ ମୁଖାପିନ୍ଧି ସମସ୍ତଙ୍କୁ ଆକ୍ରମଣ କରିବା ସହ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ନଷ୍ଟ କରିଦେଇଥିଲେ।
ରକ୍ତ ଝରୁଥିବା ଅବସ୍ଥାରେ ଐଶୀ ଘୋଷ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଏହାର ଫଟୋ ସେତେବେଳେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ସମଗ୍ର ଦେଶରେ କ୍ୟାମ୍ପସରେ ଘଟିଥିବା ଏଭଳି ହିଂସାକାଣ୍ଡକୁ ବିରୋଧ କରାଯାଇଥିଲା।
୨୦୧୯ ଲୋକସଭା ନିର୍ବାଚନରେ ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ବିହାରର ବେଗୁସରାଇରୁ ପ୍ରାର୍ଥୀ ହୋଇଥିଲେ। ତେବେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବୃହତ୍ତ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।