ପ୍ରଧାନ ବିଚାରପତିଙ୍କ ବଡ଼ ବୟାନ: ସୋଶାଲ ମିଡିଆରେ ଜଜଙ୍କୁ ଟାର୍ଗେଟ କରାଯାଉଛି

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଉପଲକ୍ଷେ ସୁପ୍ରିମକୋର୍ଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ଏଠାକୁ ଆସିବା ପୂର୍ବରୁ ସିନିୟର ଆଇନଜୀବୀ ବିକାଶ ସିଂହ ମୋତେ କୌଣସି ଭାଷଣ ଦେବାକୁ ପଡ଼ିବନି ବୋଲି କହିଥିଲେ। କିନ୍ତୁ ଏବେ ସେ ମୋତେ ଭାଷଣ ଦେବାକୁ କହୁଛନ୍ତି। ମୁଁ ବରିଷ୍ଠ ଓକିଲ ତୁଷାର ମେହେଟ୍ଟାଙ୍କ ପରି କୌଣସି ଭାଷଣ ଦେଇ ପାରିବି ନାହିଁ। ସେ କିଛି ବି କହିପାରିବେ, ଏଥିରେ କିଛି ଫରକ ପଡ଼ିବ ନାହିଁ।

ଯଦି ମୁଁ ଗୋଟିଏ ଶବ୍ଦ ଅଧିକ କହିବି, ତା’ହେଲେ ମିଡିଆ ବନ୍ଧୁମାନେ ଏହାକୁ ବଡ଼ କରି ଖବର ପ୍ରକାଶ କରିବେ। ୭୨ ବର୍ଷ ପୂର୍ବେ ଆଜିର ଦିନରେ ଆମେମାନେ ଆମ ହାତରେ ସମ୍ବିଧାନକୁ ଧରିଥିଲୁ। ମୁଁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି।”

ଜଷ୍ଟିସ ରମନ୍ନା କହିଛନ୍ତି ଯେ ନ୍ୟାୟ ଦେବା କେବଳ ନ୍ୟାୟପାଳିକାର କାର୍ଯ୍ୟ ବୋଲି ସମସ୍ତେ ଭାବନ୍ତି। କିନ୍ତୁ ଏହା ଠିକ୍ ନୁହେଁ। ଏହା ୩ଟି ଯାକ ସଂସ୍ଥା ଉପରେ ନର୍ଭର କରେ। ବିଧାନସଭା ଓ କାର୍ଯ୍ୟପାଳିକାର ଅବହେଳା ନ୍ୟାୟପାଳିକାର ବୋଝକୁ କେବଳ ବଢ଼ାଇଥାଏ। ଗୋଟିଏ ସଂସ୍ଥାକୁ ଆଉ ଗୋଟିଏ ସଂସ୍ଥା ବିରୋଧରେ ଚିତ୍ରଣ କରିବା ଦ୍ୱାରା ଭୁଲ ବୁଝାମଣା ସୃଷ୍ଟି ହୋଇଥାଏ। ଏହା ଗଣତନ୍ତ୍ରର ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି।

ନିକଟରେ ବିଚାରପତିଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସିଜେଆଇ ଜଷ୍ଟିସ ରମନ୍ନା କହିଛନ୍ତି ଯେ “ବିଚାରପତିଙ୍କ ଉପରେ ଆକ୍ରମଣ କରାଯାଉଛି। ଏହା କେବଳ ଶାରୀରିକ ଭାବେ କରାଯାଉନି। ବରଂ ସୋଶାଲ ମିଡିଆ ମାଧ୍ୟମରେ ବିଚାରପତିଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଉଛି। ଅଧିକାରୀମାନେ ଆଗକୁ ଆସି ଏହି ପ୍ରସଙ୍ଗରେ ବିଚାରପତିମାନଙ୍କୁ ସାହାଯ୍ୟ କରିବା ଉଚିତ୍।”

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ସିଜେଆଇ ଜଷ୍ଟିସ ରମନ୍ନା ସୁପ୍ରିମକୋର୍ଟର ଆଭ୍ୟନ୍ତରୀଣ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ ସର୍ବୋଚ୍ଚ ଅଦାଲତ ଗଠନ କରିଥିବା କମିଟି ଗୁଡ଼ିକ ଦେଇଥିବା ସୁପାରିଶକୁ ବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହା ବ୍ୟତୀତ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଖାଲିଥିବା ପଦବୀ ପୂରଣ ପାଇଁ କଲେଜିୟମ ଭଲ କାମ କରୁଛି ଓ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହଯୋଗ ଆଶା କରୁଥିବା ମଧ୍ୟ ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।