ମଙ୍ଗଳବାର ଠାରୁ ରାତି ୧୦ରୁ ଭୋର ୫ଟା ଯାଏ କର୍ଫ୍ୟୁ

ବେଙ୍ଗାଲୁରୁ: କରୋନା ସଂକ୍ରମଣ ବଢ଼ୁଥିବାରୁ ଆସନ୍ତା ମଙ୍ଗଳବାର ଠାରୁ ରାଜ୍ୟରେ ଲାଗୁ ହେବ ୧୦ ଦିନିଆ ନାଇଟ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ ହେବ ବୋଲି ଆଜି କର୍ଣ୍ଣାଟକା ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି। ନାଇଟ କର୍ଫ୍ୟୁ ସହ କର୍ଣ୍ଣାଟକା ସରକାର ନୂଆବର୍ଷ କାର୍ଯ୍ୟକ୍ରମ ଓ ଭିଡ଼ ଉପରେ ମଧ୍ୟ କଟକଣା ଲଗାଇଛନ୍ତି।

ଓମିକ୍ରନ ଜନିତ ସଂକ୍ରମଣ କ୍ରମାଗତ ଭାବେ ରାଜ୍ୟରେ ବଢ଼ୁଥିବାରୁ ସରକାର କଟକଣା ଲଗାଇବାକୁ ବାଧ୍ୟ ହୋଇଥିବା ମନ୍ତ୍ରୀ ସୁଧାକର କହିଛନ୍ତି। ସେ କହିଛନ୍ତି, ଡିସେମ୍ବର ୨୮ରୁ ୧୦ ଦିନ ପାଇଁ ପରୀକ୍ଷା ମୂଳକ ଭାବେ ନାଇଟ କର୍ଫ୍ୟୁ ଲାଗୁ ହେବ। ରାତି ୧୦ଟାରୁ ଭୋର ୫ଟା ଯାଏ ପୂରା ରାଜ୍ୟରେ ୧୪୪ ଧାରା ବଳବତ୍ତର ରହିବ। ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ପ୍ରକାରର ପାର୍ଟି ଓ ଭିଡ଼ ସୃଷ୍ଟି ହେଉଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗା ଯାଇଛି।

ବିଶେଷ କରି କୌଣସି ସ୍ଥାନରେ ଡିଜେ ପାର୍ଟିର ଆୟୋଜନ ହୋଇପାରିବ ନାହିଁ। ଏହି ନିୟମ ପୂରା କର୍ଣ୍ଣାଟକାରେ କାର୍ଯ୍ୟକାରୀ ହେବ। ରେଷ୍ଟୁରାଣ୍ଟ, ବାର, ହୋଟେଲ ଓ ପବଗୁଡ଼ିକ ଏଣିକି ୫୦% କ୍ଷମତାର ସହ କାର୍ଯ୍ୟକ୍ଷମ ହେବ। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ମନ୍ତ୍ରୀ ସୁଧାକର ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାକୁ କହିଛନ୍ତି। ଏଥିସହ ଅଯଥାରେ ଭିଡ଼ କରିବାକୁ ବାରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଧ୍ୟକ୍ଷରେ ବୈଷୟିକ ଟିମ ଓ ବିଶେଷଜ୍ଞଙ୍କୁ ନେଇ ଗୋଟିଏ ବୈଠକ ବସିଥିଲା। ଏହି ବୈଠକରେ ସମସ୍ତେ ଓମିକ୍ରନ ସଂକ୍ରମଣ ପାଇଁ କଟକଣା ଜରୁରୀ ବୋଲି କହିଥିଲେ। ଏହାପରେ ରାଜ୍ୟ ସରକାର କଟକଣା ଲାଗୁ କରିବା ସପକ୍ଷରେ ଗ୍ରୀନ ସିଗ୍ନାଲ ଦେଇଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକା ପୂର୍ବରୁ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆସାମ ଓ ମଧ୍ୟପ୍ରଦେଶ ଭଳି ଏକାଧିକ ରାଜ୍ୟ କରୋନା ସଂକ୍ରମଣ ପାଇଁ ନାଇଟ କର୍ଫ୍ୟୁ ଲାଗୁ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।