ଲିଙ୍ଗାୟତ ମଠ ସାଧୁଙ୍କ ନାଁରେ ଆଉ ଏକ ମାମଲା, ଯୌନଶୋଷଣ ଅଭିଯୋଗ

ବେଙ୍ଗାଲୁରୁ: ପୁଣି ଏକ ନୂଆ ମାମଲାରେ ଫସିଲେ ଲିଙ୍ଗାୟତ ମଠର ପ୍ରମୁଖ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁ। ତାଙ୍କ ବିରୋଧରେ ଯୌନଶୋଷଣର ଆଉ ଏକ ମାମଲା ରୁଜୁ ହୋଇଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହା ତାଙ୍କ ବିରୋଧରେ ଦ୍ୱିତୀୟ ପକ୍ସୋ ମାମଲା ରୁଜୁ ହୋଇଛି। ପୁଲିସ ଏନେଇ ସୂଚନା ଦେଇଛି।

ଆଶ୍ରମ ଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିବା ଜଣେ ନାବାଳିକା ଏହି ଲିଙ୍ଗାୟତ ମଠର ସାଧୁଙ୍କ ନାଁରେ ଯୌନ ଉତ୍ପୀଡନ ମାମଲା ରୁଜୁ କରିଛନ୍ତି। ମହନ୍ତଙ୍କ ବିରୋଧରେ ପ୍ରଥମ ମାମଲା ଅଗଷ୍ଟ ୨୫ ତାରିଖରେ ସାମ୍ନାକୁ ଆସିଥିଲା। ବାଲ୍ କଲ୍ୟାଣ ସମିତି ଶିବମୂର୍ତ୍ତୀଙ୍କ ବିରୋଧରେ ମହୀଶୁରର ନଜରାବାଦ ଥାନାରେ ମାମଲା ରୁଜୁ କରିଥିଲା।

ପୁଲିସର କହିବାନୁସାରେ, ଦୁଇ ନାବାଳିକା ମଠ ଦ୍ୱାରା ସଞ୍ଚାଳିତ ଶ୍ରୀ ଜଗଦଗୁରୁ ମୁରୁଗା ଶିକ୍ଷଣ ସଂସ୍ଥାନରେ ପାଠପଢୁଥୁଲେ। ସେହି ସମୟରେ ସେମାନେ ଯୌନ ଉତ୍ପୀଡନ ଶିକାର ହୋଇଥିଲେ। ଏନେଇ ସେମାନଙ୍କ ପରିବାର ସଦସ୍ୟ ମାମଲା ରୁଜୁ କରିଛନ୍ତି।

ପୀଡିତାଙ୍କ ମା’ଙ୍କ କହିବା ଅନୁସାରେ, ସେ ୬ବର୍ଷ ଧରି ରୋଷେଆ ଭାବରେ କାମ କରୁଥିଲେ ଏବଂ ପରିବାର ସେମାନଙ୍କ ଶିକ୍ଷା ଦେଇପାରୁ ନ ଥିବାରୁ ଦୁଇ ଝିଅଙ୍କୁ ମଠ ଦ୍ୱାରା ପରିଚାଳିତ ଆକ୍କା ମହାଦେବୀ ହଷ୍ଟେଲରେ ରଖିଥିଲେ।

ପୀଡିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ୨୦୨୦ କରୋନା ଲକଡାଉନ୍ ବେଳେ ପ୍ରଥମ ଯୌନ ଶୋଷଣ ଘଟିଥିଲା। ଏହାପରେ ଦୁଇ ଝିଅଙ୍କ ବରମ୍ବାର ଯୌନ ଶୋଷଣ କରାଯାଇଥିଲା। ଝିଅମାନଙ୍କୁ ସନ୍ଥ ଶିବମୂର୍ତ୍ତିୀଙ୍କ ରୁମ୍‌କୁ ଯିବା ପାଇଁ ସେଠାରେ କାମ କରୁଥିବା କିଛି ବ୍ୟକ୍ତି ବାଧ୍ୟ କରୁଥିଲେ।

ଶିବମୂର୍ତ୍ତି ଶରଣାରୁ, ହଷ୍ଟେଲ ୱାର୍ଡେନ ରଶ୍ମୀ, ଯୁବ ସନ୍ଥ ବାସଭାରଦିତ୍ୟ, ମଠ କାର୍ଯ୍ୟକର୍ତ୍ତା ପରମଶିବୈୟା, ଗଙ୍ଗାଧରାୟା, ମହା ଲିଙ୍ଗାୟା ଏବଂ କରିବାସାପ୍ପାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅଧୀନରେ ପୁଲିସ ମାମଲା ରୁଜୁ କରିଛି।

ଉଲ୍ଲେଖଯୋଗ୍ୟ, ପ୍ରବଳ ବିରୋଧ ପରେ ସନ୍ଥ ଶରଣାରୁଙ୍କୁ ସେପ୍ଟେମ୍ବର ୧ ତାରିଖରେ ଗିରଫ କରାଯାଇଥିଲା। ୨୦୧୯ ଓ ୨୦୨୨ ମଧ୍ୟରେ ୧୫ ଓ ୧୬ ବର୍ଷର ଦୁଇ ନାବାଳିକାଙ୍କ ସହ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ସନ୍ଥଙ୍କ ନାଁରେ ମାମଲା ରୁଜୁ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।