କର୍ମଚାରୀଙ୍କ ପାଇଁ ଖୁସି ଖବର: ସମସ୍ତଙ୍କ ଦରମା ୩୦% ବଢ଼ିଲା

ହାଇଦ୍ରାବାଦ: ମହାମାରୀ କରୋନା ଭାଇରସର ୟୁ-ଟର୍ଣ୍ଣ ଭିତରେ ସରକାରୀ କର୍ମଚାରୀଙ୍କୁ ମିଳିଛି ବଡ଼ ଭେଟି। ଆସନ୍ତା ଏପ୍ରିଲ ୧ ତାରିଖରୁ ତେଲେଙ୍ଗାନା ସରକାରଙ୍କ ଅଧୀନରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ଦରମା ୩୦% ବଢ଼ିବ। ସେହିପରି ରାଜ୍ୟ ସରକାର ଅବସର ବୟସ ସୀମାକୁ ମଧ୍ୟ ୬୧ ବର୍ଷକୁ ବୃଦ୍ଧି କରିଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟରେ ଥିବା ସମସ୍ତ ୯,୧୭,୭୯୭ ଜଣ ସରକାରୀ କର୍ମଚାରୀ ଓ ପେନସନ ଉପଭୋକ୍ତା ବର୍ଦ୍ଧିତ ଦରମା ପାଇବେ। ସମସ୍ତଙ୍କର ମୂଳ ବେତନରେ ୩୦% ବୃଦ୍ଧି ଘଟିବ। ସେହିପରି ରାଜ୍ୟରେ ଏବେ ସରକାରୀ କର୍ମଚାରୀଙ୍କ ଅବସର ନେବାର ବୟସ ୫୮ ରହିଛି। ହେଲେ ଏଣିକି ଏହା ୬୧କୁ ବୃଦ୍ଧି ପାଇବ।

ବର୍ଦ୍ଧିତ ଦରମା ସ୍ଥାୟୀ ସରକାରୀ କର୍ମଚାରୀଙ୍କ ସମେତ କଣ୍ଟ୍ରାକ୍ଟ, ଆଉଟ ସୋର୍‌ସିଂ, ହୋମଗାର୍ଡ, ଭିଲେଜ ରେଭିନ୍ୟୁ ଆସିସଷ୍ଟାଣ୍ଟ, ସର୍ବଶିକ୍ଷା ଅଭିଯାନର କର୍ମଚାରୀ, ଦିନ ମଜୁରିଆ, ଅଙ୍ଗନୱାଡି, ଆଶା ଓ ବିଦ୍ୟା ସ୍ୱେଚ୍ଛାସେବୀଙ୍କୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଆନ୍ତଃ ଜିଲ୍ଲା ବଦଳି ପାଇଁ ଖୁବଶୀଘ୍ର ଅନୁମତି ମିଳିବ। ବରିଷ୍ଠତାକୁ ଦୃଷ୍ଟିରେ ରଖି ପଦୋନ୍ନତି ଓ ବଦଳି କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଦରମା ଉପରେ ବିଚାର କରିବାକୁ ୨୦୧୮ରେ ପୂର୍ବତନ ଆଇଏଏସ୍‌ ଅଫିସର ସିଆର ବିଶ୍ୱାଳଙ୍କ ନେତୃତ୍ୱରେ ଗୋଟିଏ କମିଟି ଗଠନ କରାଯାଇଥିଲା। କମିଟି କର୍ମଚାରୀଙ୍କ ଦରମା ୭.୫% ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଏହାର ୪ ଗୁଣ ବୃଦ୍ଧି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।