ନଜରରେ ଗୁଜରାଟ ନିର୍ବାଚନ, ସାବରମତିରେ କେଜ୍ରିୱାଲ

ଅହମଦାବାଦ: ପଞ୍ଜାବରେ କ୍ଷମତାଦଖଲ କରିଥିବା ଆମ୍ ଆଦମୀ ପାର୍ଟି(ଆପ) ଏବେଠାରୁ ଗୁଜରାଟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଗୁଜରାଟର ସାବରମତି ପହଞ୍ଚିଛନ୍ତି। ତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଆଶ୍ରମରେ ପହଞ୍ଚି ଚରଖା ଚଳାଇଛନ୍ତି। ଉଭୟ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି। ଆଜି ପ୍ରଥମ ଦିନରେ ଉଭୟ ସାବମତିରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।

ମହାତ୍ମା ଗାନ୍ଧିଙ୍କ ଆଶ୍ରମରେ ଥିବା ହୃଦୟ କୁଞ୍ଜରେ ଉଭୟ ନେତା ଚରଖା ବୁଲାଉଥିବା ଭିଡିଓ ସାମ୍ନାକୁ ଆସିଛି। ହୃଦୟ କୁଞ୍ଜରେ ମହାତ୍ମା ଗାନ୍ଧି ଓ ପତ୍ନୀ କସ୍ତୁରାବ ଗାନ୍ଧି ରହୁଥିଲେ। ଚରଖା ବୁଲାଇବା ପରେ କେଜ୍ରିୱାଲ ଓ ମାନ ଆଶ୍ରମରେ ଥିବା ମ୍ୟୁଜିୟମ ମଧ୍ୟ ବୁଲିଛନ୍ତି।

ସ୍ୱାଧୀନତା ସଂଗ୍ରାମ ବେଳେ ସାବରମତି ଆଶ୍ରମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ସ୍ଥାନରୁ ହିଁ ମହାତ୍ମା ଗାନ୍ଧି ବ୍ରିଟିଶ ଶାସନ ବିରୋଧରେ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ। ଆଜି କେଜ୍ରିୱାଲ ଏଠାରେ ପହଞ୍ଚି କହିଛନ୍ତି, “ଗାନ୍ଧିଜୀ ଜନ୍ମ ଗ୍ରହଣ କରିଥିବା ଦେଶରେ ମୁଁ ଜନ୍ମ ହେବା ମୋ ପାଇଁ ସୌଭାଗ୍ୟର ବିଷୟ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ପ୍ରଥମଥର ଏଠାକୁ ଆସିଛି। କିନ୍ତୁ ମୁଁ ସ୍ୱେଚ୍ଛାସେବୀ ଭାବେ ଅନେକ ଥର ଏଠାକୁ ଆସିଥିଲି।”

କେଜ୍ରିୱାଲଙ୍କୁ ସାମ୍ବାଦିକମାନେ ରାଜନୀତିକ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ଏହାର କୌଣସି ଉତ୍ତର ଦେଇନାହାନ୍ତି। ସେ କହିଛନ୍ତି, “ଏହା ଗୋଟିଏ ପବିତ୍ର ସ୍ଥାନ। ରାଜନୀତିର କଥା ବାହାରେ କରାଯିବ।” ଆଶ୍ରମର ଭିଜିଟରସ ବୁକରେ ସେ ଲେଖିଛନ୍ତି, “ଏହି ଆଶ୍ରମଟି ଧାର୍ମିକ ସ୍ଥାନ। ଗାନ୍ଧିଜୀଙ୍କ ଆତ୍ମାର ବାସଭବନ ଭଳି ମୋତେ ଏଠାରେ ଅନୁଭବ ହେଉଛି। ମୁଁ ମଧ୍ୟ ଏଠାକୁ ଆସି ଧାର୍ମିକ ଜ୍ଞାନକୁ ଅନୁଭବ କରୁଛି।”

ଆଶ୍ରମ ପକ୍ଷରୁ କେଜ୍ରିୱାଲ ଓ ମାନଙ୍କୁ ମହାତ୍ମା ଗାନ୍ଧିଙ୍କ ଜୀବନ ଉପରେ ଲଖିତ ବହି ଉପହାର ଆକାରରେ ଦିଆଯାଇଛି। ସୂଚନାଯୋଗ୍ୟ, ପଞ୍ଜାବରେ ଆପ କ୍ଷମତା ଦଖଲ କରିବା ମାତ୍ରେ ଦଳ ଗୁଜରାଟରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲା। ଏହାବାଦ ହରିଆଣାରେ ବିଧାନସଭା ନିର୍ବାଚନ ବେଳେ ବି ଦଳ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।