ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ଘରକୁ ଯାଉଥିଲେ, ଅଧା ବାଟରେ ମାଞ୍ଜା ସୂତା ନେଇଗଲା ଜୀବନ

ନୂଆଦିଲ୍ଲୀ: ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ଭଉଣୀ ଅପେକ୍ଷା କରି ରହିଥିଲା। ଭାଇ ମଧ୍ୟ ରାକ୍ଷୀ ପିନ୍ଧିବା ପାଇଁ ଗାଡ଼ିରେ ସ୍ତ୍ରୀଙ୍କୁ ଧରି ଭଉଣୀ ଘରକୁ ଯାଇଥିଲା। ହେଲେ କିଏ ଜାଣିଥିଲା ଯେ ଭଉଣୀ ଘରୁ ଯିବା ବାଟରେ ହିଁ ଚାଲିଯିବ ଭାଇର ଜୀବନ? ଭଉଣୀ ଘରକୁ ଯାଉଥିବା ବେଳେ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହାର ହେଉଥିବା ବେଆଇନ ଚାଇନିଜ୍‌ ମାଞ୍ଜା ସୂତାରେ କଟି ଯାଇଛି ଭାଇର ବେକ। ଅକାରଣରେ ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି।

୩୫ ବର୍ଷୀୟ ବିପନ କୁମାର ନାଗୋଲିର ରାଜଧାନୀ ପାର୍କ ପାଖରେ ରୁହନ୍ତି। ସେ ରାକ୍ଷୀ ପୂର୍ଣ୍ଣିମା ଦିନ ଲୋନିରେ ରହୁଥିବା ତାଙ୍କ ଭଉଣୀଙ୍କ ଘରକୁ ଯାଉଥିଲେ। ସେ ବାଇ ଚଳାଉଥିବା ବେଳେ ଗାଡ଼ି ପଛରେ ତାଙ୍କ ପତ୍ନୀ ବସିଥିଲେ। ଉଭୟ ବେଶ ଖୁସି ମଜାରେ ଯାଉଥିବା ବେଳେ ଶାସ୍ତ୍ରୀ ପାର୍କ ଫ୍ଲାଏଓଭର୍‌ରେ ଘଟିଥିଲା ଅଘଟଣ।

ହଠାତ୍‌ ଗୋଟିଏ ମାଞ୍ଜା ସୂତା ବିପନ କୁମାରଙ୍କ ବେକରେ ଆସି ମାଡ଼ ହୋଇଥିଲେ। ସେ କିଛି ନ ବୁଝି ପାରି ଗାଡ଼ିକୁ ଅଟକାଥିଲେ। ହେଲେ ସେତେବେଳେକୁ ମାଞ୍ଜା ସୂତା ବାଜି ତାଙ୍କ ବେକ୍‌ କଟି ସାରିଥିଲା। ତୁରନ୍ତ ବିପନ କୁମାରଙ୍କୁ ତାଙ୍କ ପତ୍ନୀ ଓ ସେଠାରେ ଥିବା ଲୋକମାନେ ସିଭିଲ ଲାଇନ୍ସ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

୨୦୧୬ରୁ ଦିଲ୍ଲୀରେ ମାଞ୍ଜା ସୂତାକୁ ବ୍ୟାନ କରାଯାଇଛି। ତଥାପି ଏଗୁଡ଼ିକର ବ୍ୟବହାର ବେଧକ କରାଯାଉଛି। ୨୦୧୬ରେ ଦୁଇ ଜଣ ଛୋଟ ପିଲା ମାଞ୍ଜା ସୂତା ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଏହି ଘଟଣା ପୂରା ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା। ଶେଷରେ ସରକାର ମାଞ୍ଜା ସୂତାର ବ୍ୟବହାରକୁ ନିଷିଦ୍ଧ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।