ସାରଦା ଚିଟଫଣ୍ଡ: ୨.୬୭ କୋଟି ଟଙ୍କା ଫେରାଇଲେ ଏହି ରାଜନେତା

କୋଲକାତା: ଚିଟଫଣ୍ଡ କମ୍ପାନୀ ସାରଦା ଗ୍ରୁପ୍‌ର ମିଡିଆ କମ୍ପାନୀରେ କାମ କରୁଥିବା ବେଳେ ଟଙ୍କା ନେଇଥିବା ତୃଣମୂଳ କଂଗ୍ରେସର ନେତା କୁନାଲ ଘୋଷ ଏହାକୁ ଫେରାଇ ଦେଇଛନ୍ତି। ସାରଦା ଚିଟଫଣ୍ଡ ଘଟଣାର ମନି ଲଣ୍ଡରିଂ ବିଷୟର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୁଛି। କୁନାଲ ଏବେ ୨.୬୭ କୋଟି ଟଙ୍କାର ଇଡିକୁ ଫେରାଇ ଦେଇଥିବା ଜଣାପଡ଼ିଛି।

ସାରଦା ଚିଟିଫଣ୍ଡ ଘଟଣାରେ କୁନାଲ ଘୋଷଙ୍କୁ ଇଡି ଜେରା କରିଥିଲା। ଜେରା ବେଳେ ସେ ସାରଦା ଗ୍ରୁପ୍‌ ଠାରୁ ଦରମା ଓ ବିଜ୍ଞାପନ ଆକାରରେ ପାଇଥିବା ଟଙ୍କାକୁ ଫେରସ୍ତ କରିବାକୁ ଚାହୁଁଥିବା ଇଡିକୁ କହିଥିଲେ। ଇଡି ତାଙ୍କର ଏହି ଅନୁରୋଧକୁ ସୋମବାର ଦିନ ରକ୍ଷା କରିଥିଲା।

ପ୍ରତିଶ୍ରୁତି ମୁତାବକ ସେ ବୁଧବାର ୨.୬୭ କୋଟି ଟଙ୍କା ଇଡିକୁ ଫେରାଇ ଦେଇଛନ୍ତି। କୁନାଲ କହିଛନ୍ତି ଯେ ସେ ଏତେ ପରିମାଣର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ଏଲଆଇସି ପଲିସି ଓ ବନ୍ଧୁମାନଙ୍କ ଠାରୁ ଋଣ ଆକାରରେ ଆଣିଛନ୍ତି।

Kunal Ghosh
ଟିଏମସି ନେତା କୁନାଲ ଘୋଷ

ଟିଏମସିର ପୂର୍ବତନ ସାଂସଦ କୁନାଲ ଘୋଷ ସାରଦା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଟିଭି ଚ୍ୟାନେଲର ମୁଖ୍ୟ ଥିଲେ। ସାରଦା ଗ୍ରୁପ୍‌ ଲୋକଙ୍କୁ ଅଧିକ ସୁଧ ମିଳିବାର ଲୋଭ ଦେଖାଇ ଟଙ୍କା ସଂଗ୍ରହ କରୁଥିଲା। ଏହି ଟଙ୍କାକୁ ଟିଭି ଚ୍ୟାନେଲରେ ମଧ୍ୟ ଖର୍ଚ୍ଚ କରାଯାଉଥିଲା।

ଏଥିପାଇଁ କୁନାଲ ଘୋଷଙ୍କୁ ୩୪ ମାସ କାଳ ଜେଲ୍‌ରେ ରହିବାକୁ ପଡ଼ିଥିଲା। ୨୦୧୬ ଅକ୍ଟୋବର ୫ରେ ତାଙ୍କୁ ଜାମିନ ମିଳିବାରୁ ସେ ଖଲାସ ହୋଇଥିଲେ। ୨୦୧୩ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ପୁଣିଥରେ ଟିଏମସି ମୁଖପାତ୍ର ପଦ ଦେଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।