ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ବିରୋଧରେ ଚାଲିବ ଜମି ଦୁର୍ନୀତି ମାମଲା, ଇସ୍ତଫା ମାଗିଲା କଂଗ୍ରେସ

ବେଙ୍ଗାଲୁରୁ: ଅଡ଼ୁଆରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା। ବନ୍ଦ ହୋଇ ପଡ଼ିରହିଥିବା ଏକ ଜମି ଦୁର୍ନୀତି ମାମଲାର ପୁଣି ଥରେ ଶୁଣାଣି ପାଇଁ କର୍ଣ୍ଣାଟକା ହାଇକୋର୍ଟ ମାର୍ଚ୍ଚ ୧୭ରେ ନିର୍ଦ୍ଦେଶ ଦେଇଛନ୍ତି। ଏକ ସ୍ୱତନ୍ତ୍ର କୋର୍ଟରେ ଏହି ଜମି ଦୁର୍ନୀତି ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୮-୧୨ ମଧ୍ୟରେ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଥିଲେ। ଶିଳ୍ପ ମନ୍ତ୍ରୀ ଥିଲେ କଟ୍ଟା ସୁବ୍ରମଣ୍ୟମ ନାଇଡୁ। ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ୨୪ ଏକର ସରକାରୀ ଜମି ପ୍ରଦାନ କରିଥିଲେ ସରକାର। ରାଜ୍ୟ ରାଜକୋଷର କ୍ଷତି ଦର୍ଶାଇ ଉତ୍ତର ବେଙ୍ଗାଲୁରରେ ଥିବା ଏହି ୨୪ ଏକର ଜମି ଜଣେ ବ୍ୟକ୍ତିକୁ ସରକାର ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ କ୍ଷମତାର ଅପବ୍ୟବହାର କରି ସରକାରୀ ଜମି ଦେଇଥିବା ଅଭିଯୋଗ ହୋଇଥିଲା।

ଜମି ଜାଲିଆତି ଅଭିଯୋଗ ଆସିବାରେ ମାମଲାର ତଦନ୍ତ ଲୋକାୟୁକ୍ତ କରିଥିଲେ। ଆଉ ୯ ଜଣଙ୍କ ବିରୋଧରେ ଯେଉଁ ଜମି ଦୁର୍ନୀତି ଅଭିଯୋଗ ଆସିଛି ସେଥିରେ କୌଣସି ପ୍ରମାଣ ନାହିଁ ବୋଲି ଲୋକାୟୁକ୍ତ ଦର୍ଶାଇଥିଲେ। ହେଲେ ୟେଦ୍ୟୁରପ୍ପା ଏବଂ ନାଇଡୁଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା ଲୋକାୟୁକ୍ତ ପୁଲିସ। କିନ୍ତୁ ଜୁଲାଇ ୨୦୧୬ରେ ଏକ ସେସନ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା ବନ୍ଦ ହୋଇଯାଇଥିଲା।

ଏବେ ଜଣେ ସାମାଜିକ କର୍ମୀ ଆଲାମ ପାଶାଙ୍କ ଆବେଦନ ଉପରେ ବିଚାର କରି ପୁଣିଥରେ ଏହି ଜମି ଘୋଟାଲର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି, ତେଣୁ ସେ ଏବେ ତାଙ୍କ ପଦବୀରୁ ସୌଜନ୍ୟତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ କହିଛି। ନହେଲେ ତଦନ୍ତ ପ୍ରଭାବିତ ହେବାର ସମ୍ଭାବନା ଅଧିକ ରହିଛି ବୋଲି ଦଳ କହିଛି।

କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା ଟ୍ୱିଟ୍ କରି କହିଛନ୍ତି, ବିଜେପି ଦୁର୍ନୀତି ମାମଲାରେ ସାଲିସ କରେ ନାହିଁ। ଏବେ କେଉଁ ଆଧାରରେ ଜଣେ ଦୁର୍ନୀତି ଅଭିଯୁକ୍ତ ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି? ବିଜେପି, ଦଳୀୟ ସଭାପତି ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଏ ବାବଦରେ ଚୁପ ବୋଲି ସେ ପ୍ରଶ୍ନ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।