ଭର୍ଚୁଆଲ ଶୁଶାଣି ବେଳେ ମହିଳାଙ୍କ ସହ ଅଶ୍ଳୀଳ ଅବସ୍ଥାରେ ଓକିଲ, ଲାଇସେନ୍ସ ସସପେଣ୍ଡ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟଙ୍କ ଭର୍ଚ୍ୟୁଆଲ ଶୁଣାଣି ବେଳେ ଜଣେ ଓକିଲ ଅଜବ କାଣ୍ଡ ଘଟାଇଛନ୍ତି। କୋର୍ଟ ଶୁଣାଣି କରୁଥିବା ବେଳେ ଓକିଲ ଜଣଙ୍କ ଜଣେ ମହିଳାଙ୍କ ସହ ଅଶ୍ଳୀଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ହାଇକୋର୍ଟ ଖପ୍ପା ହେବା ସହ ସଂପୃକ୍ତ ଓକିଲଙ୍କ ଲାଇସେନ୍ସକୁ ସସପେଣ୍ଡ କରିଛନ୍ତି।

ଦଣ୍ଡ ପାଇଥିବା ଓକିଲ ଜଣଙ୍କ ହେଉଛନ୍ତି ଆରଡି ସନ୍ଥନା କ୍ରିଷ୍ଣନ। ତାଙ୍କୁ ସବୁ ପ୍ରକାରର କୋର୍ଟ, ଟ୍ରିବ୍ୟୁନାଲ ଓ ଭାରତର ସମସ୍ତ ନ୍ୟାୟିକ ପ୍ରତିଷ୍ଠାନରୁ ନିଲମ୍ବନ କରାଯାଇଛି। ଏହାର ଅର୍ଥ ସେ ମାମଲାର ବିଚାର ନ ସିରିବା ଯାଏ କେଉଁଠି ଓକିଲାତି କରିପାରିବେ ନାହିଁ। ଏ ସମ୍ପର୍କରେ ତାମିଲନାଡୁ ଓ ପୁଡୁଚେରୀ ବାର କାଉନସିଲ ପକ୍ଷରୁ ଗୋଟିଏ ପ୍ରେସ ରିଲିଜ ଜାରି କରାଯାଇଛି।

ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ପିଏନ ପ୍ରକାଶ ଓ ଜଷ୍ଟିସ ଆର ହେମଲତା ନିଜ ଆଡ଼ୁ ଓକିଲ କ୍ରିଷ୍ଣନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିଛନ୍ତି। ଏଥିସହ ପୁଲିସ୍‌ର ସିବି-ସିଆଇଡି ୱିଙ୍ଗଙ୍କୁ ଗୋଟିଏ ମାମଲା ରୁଜୁ କରିବାକୁ କୁହାଯାଇଛି। ପୁଲିସ୍‌ ତଦନ୍ତ କରି ଡିସେମ୍ବର ୨୩ରେ ରିପୋର୍ଟ ଦାଖଲ କରିବ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ ପ୍ରକାଶ ଓ ଜଷ୍ଟିସ ହେମଲତା ଘଟଣା ପାଇଁ ଓକିଲ କ୍ରିଷ୍ଣନଙ୍କ ବିରୋଧରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାମିଲନାଡୁ ବାର ଆସୋସିଏସନକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ବାର ଆସୋସିଏସନ୍‌ ଗୋଟିଏ ସଂକଳ୍ପ ପାରିତ କରି କ୍ରିଷ୍ଣନଙ୍କୁ ଓକିତାଲି କାର୍ଯ୍ୟରୁ ବଞ୍ଚିତ କରିଛି।

ସୂଚନାଯୋଗ୍ୟ, ସାମ୍ନାକୁ ଆସିଥିବା ଭିଡିଓରେ ଓକିଲ ଜଣଙ୍କ ବିଚାରପତି ମାମଲାର ଶୁଣାଣି କରିବା ବେଳେ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।