ଆଦର୍ଶରେ ବୁଝାମଣା: ଦକ୍ଷିଣପନ୍ଥୀ ଦଳରେ ମିଶୁଛନ୍ତି ବାମପନ୍ଥୀ

ହାଇଦ୍ରାବାଦ: ରାଜନୀତିରେ ସବୁ କିଛି ସମ୍ଭବ। ନିଜର ଆଦର୍ଶକୁ ଭୁଲି ଦଳ ବଦଳ ବି ଏଠାରେ ଅସମ୍ଭବ ନୁହେଁ। ଏବେ ତେଲେଙ୍ଗାନାରେ ଆଦର୍ଶରେ ବୁଝାମଣା ଦେଖିବାକୁ ମିଳିଛି। ବାମପନ୍ଥୀ ଚିନ୍ତାଧାରା ଓ ଆଦର୍ଶରେ ପରିଚାଳିତ ନେତାମାନେ ନିଜର ରାଜନୀତିକ ଫାଇଦା ପାଇଁ ଦକ୍ଷିଣପନ୍ଥୀ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଦଳରେ ସାମିଲ ହେବାରେ ଲାଗିଛନ୍ତି।

ଏହାର ଉଦହାରଣ ହେଉଛନ୍ତି ଇଟାଲା ରାଜେନ୍ଦ୍ର। ରାଜେନ୍ଦ୍ର ବିଜେପିରେ ଯୋଗ ଦେଇଛନ୍ତି। ସେ ବାମନ୍ଥୀ ଚିନ୍ତାଧାରାରେ କାର୍ଯ୍ୟ କରୁଥିଲେ। ଏପରି କି ସେ ବାମପନ୍ଥୀ ଛାତ୍ର ନେତା ଥିଲେ। ରାଜେନ୍ଦ୍ର ପ୍ରୋଗ୍ରେସିଭ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ୟୁନିୟନର ଆକ୍ଟିଭ ସଦସ୍ୟ ରହିଥିଲେ। ଏହା ବାମପନ୍ଥୀ ଆଦର୍ଶରେ ପରିଚାଳିତ ଗ୍ରୁପ୍‌ ସହ କାମ କରୁଥିଲା।

ଏହାପରେ ସେ ଦୀର୍ଘ ଦୁଇ ଦଶନ୍ଧି ଧରି ଟିଆରଏସ୍‌ ପାଇଁ କାମ କରିଥିଲେ। ହେଲେ ଏବେ ସେ ନିଜ ଚିନ୍ତାଧାରାକୁ ଭୁଲି ଦକ୍ଷିଣପନ୍ଥୀ ଚିନ୍ତାଧାରାର ଦଳ ବିଜେପିରେ ମିଶିଛନ୍ତି। ରାଜେନ୍ଦ୍ର କହିଛନ୍ତି, “ମୋ ଡିଏନଏ ଧର୍ମନିରପେକ୍ଷ। ମୋ ଏଜେଣ୍ଡା ଦକ୍ଷିଣପନ୍ଥୀ କିମ୍ବା ବାମପନ୍ଥୀ ସହ ନାହିଁ। ମୋର ଗୋଟିଏ ଲକ୍ଷ୍ୟ ହେଲେ ତେଲେଙ୍ଗାନାକୁ କେସିଆର୍‌ କରୁଥିବା ଏକଉଛତ୍ରବାଦୀ ଶାସନରୁ ମୁକ୍ତ କରିବା।”

କେବଳ ରାଜେନ୍ଦ୍ର ଏକମାତ୍ର ବ୍ୟକ୍ତି ନୁହନ୍ତି। ଏଇ ୭ ବର୍ଷ ମଧ୍ୟରେ ଅନେକ ରାଜନେତା ନିଜର ଫାଇଦା ପାଇଁ ନିଜ ଆଦର୍ଶରେ ବୁଝାମଣା କରି ଦଳ ବଦଳ କରିଛନ୍ତି। ରାଜେନ୍ଦ୍ରଙ୍କ ସହ ବିଜେପିରେ ମିଶିଥିବା ତୁଲା ଉମା ମଧ୍ୟ ବାମପନ୍ଥୀ ସହ ଜଡ଼ିତ ଥିଲେ।

କଂଗ୍ରେସ ନେତା ଜି ବିବେକ ଭେଙ୍କଟସ୍ୱାମୀ, ପୋଙ୍ଗୁଲେଟି ସୁଧାକର ରେଡ୍ଡୀ ଓ ଗୁଡୁର ନାରାୟଣ ରେଡ୍ଡୀ ଏବେ ବିଜେପିରେ ଯୋଗ ଦେଇଛନ୍ତି। ବ୍ୟବସାୟୀରୁ ରାଜନେତା ପାଲଟିଥିବା ଏପି ଜିତେନ୍ଦ୍ର ରେଡ୍ଡୀ ଦୁଇ ଥର ସାଂସଦ ହୋଇଥିଲେ। ସେ ୧୯୯୯ରୁ ୨୦୦୪ ଯାଏ ବିଜେପି ସହ ଥିଲେ। ଏହାପରେ ଟିଆରଏସ୍‌ରେ ମିଶି ୨୦୧୪ରୁ ୨୦୧୯ ଯାଏ ଲୋକସଭାରେ କାମ କରିଥିଲେ। ୨୦୧୯ରେ ତାଙ୍କୁ ଟିଆରଏସ୍‌ ଟିକେଟ ନ ଦେବାରୁ ସେ ପୁଣି ବିଜେପିକୁ ଫେରିଥିଲେ। ତାଙ୍କ ସହ କଂଗ୍ରେସରେ କ୍ଷମତାରେ ଥିବା ବେଳେ ମନ୍ତ୍ରୀ ହୋଇଥିବା ଡିକେ ଅରୁଣା ମଧ୍ୟ ପଦ୍ମ ଧରିଥିଲେ।

ରାଜନୀତିକ ବିଶେଷଜ୍ଞମାନେ କହିଛନ୍ତି, ୮୦ ଦଶକରେ ରାଜନେତାମାନେ ସେମାନଙ୍କ ଆଦର୍ଶକୁ କେବେ ହେଲେ ଛାଡ଼ୁ ନଥିଲେ। ହେଲେ ଏବେ ରାଜନେତାମାନେ ନିଜର ଫାଇଦା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ବିଶେଷ କରି ତେଲୁଗୁ ପ୍ରଦେଶର ଅଧିକାଂଶ ରାଜନେତା ଏକରୁ ଅଧିକ ଦଳ ସହ କାମ କରି ସାରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।