କୋହଳ ହେଲା ବୟସ କଟକଣା, ଏଣିକି ୨୧ ବର୍ଷରୁ ପିଇ ପାରିବେ ମଦ

ନୂଆଦିଲ୍ଲୀ: ମଦ ପିଇବାର ଆଇନଗତ ବୟସକୁ କୋହଳ କରିଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ ମଦ ପିଇବା ପାଇଁ ଆଇନଗତ ବୟସ ୨୫ ରହିଥିଲା। ହେଲେ ଏବେ ଜଣେ ୨୧ ବର୍ଷ ବୟସରୁ ଆଇନ ଅନୁଯାୟୀ ମଦ ପିଇବା ପାଇଁ ଯୋଗ୍ୟତା ଅର୍ଜନ କରିବ। ଦିଲ୍ଲୀ ସରକାର ନୂଆ ଅବକାରୀ ପଲିସିକୁ ଅନୁମୋଦନ ଦେବା ପରେ ମଦ ପିଇବାର ଆଇନଗତ ବୟସ କଟକଣା କୋହଳ ହୋଇଛି। ଅବକାରୀ ପଲିସିରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୂଚନା ଦେଇଛନ୍ତି।

ମଦ ପିଇବା ପାଇଁ ବୟସ କଟକଣା କୋହଳ କରାଯିବା ସହ ନୂଆ ଅବକାରୀ ନୀତିରେ ଆଉ ଏବ ବଡ଼ ବ୍ୟବସ୍ଥା କରାଯାଇଛି। ମନୀଷ ସିସୋଦିଆ କହିଛନ୍ତି, ଦିଲ୍ଲୀରେ ଥିବା ମଦ ଷ୍ଟୋର ଗୁଡ଼ିକୁ ଆଉ ସରକାର ବୁଝିବେ ନାହିଁ। ସେହିପରି ଦେଶର ଜାତୀୟ ରାଜଧାନୀରେ ଆଉ ନୂଆ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ ନାହିଁ।


ଗ୍ରୁପ ଅଫ ମିନିଷ୍ଟର୍ସଙ୍କ ପ୍ରସ୍ତାବକ୍ରମେ ଆଜି ଦିଲ୍ଲୀ କ୍ୟାବିନେଟ ନୂଆ ଅବକାରୀ ନୀତିକୁ ଅନୁମୋଦନ କରିଛି। ବର୍ତ୍ତମାନ ଦିଲ୍ଲୀର ୬୦% ମଦ ଦୋକାନ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ନୂଆ ନୀତି ଅନୁଯାୟୀ, ଦିଲ୍ଲୀରେ ଆଉ ସରକାରୀ ମଦ ଷ୍ଟୋର ରହିବ ନାହିଁ। ଏହାର ଅର୍ଥ ସରକାର ଏହାକୁ ଆଉ ପରିଚାଳନା କରିବେ ନାହିଁ। ନୂଆ ଅବକାରୀ ନୀତି ଦ୍ୱାରା ସରକାର ଅଧିକ ୨୦% ରାଜସ୍ୱ ପାଇପାରିବେ ବୋଲି ସେ କହିଛନ୍ତି।

ଦିଲ୍ଲୀ ପୂର୍ବରୁ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ମଧ୍ୟ ମଦ ପିଇବାର ଆଇନଗତ ବୟସ ୨୧ ବର୍ଷ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।