ବକରା ବନିଲେ କି ପରମବୀର ସିଂହ?
ମୁମ୍ୱାଇ: ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଦେବା ମାମଲାରେ ଟ୍ୱିଷ୍ଟ। ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବାବଦରେ ପରମବୀର ଯେଉଁ ଅଭିଯୋଗ ଆଣିଥିବା କୁହାଯାଉଛି ତାର ସତ୍ୟତାକୁ ନେଇ ଆରମ୍ଭ ହୋଇଛି ତନାଘନା। କାରଣ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଅପରାହ୍ନ ୪ଟା ୩୭ ମିନିଟରେ ଅନୀଲ ଦେଶମୁଖଙ୍କ ବିରୋଧରେ ଯେଉଁ ଅଭିଯୋଗର ଚିଠି ଆସିଛି ସେଥିରେ ପରମବୀରଙ୍କ ଦସ୍ତଖତ ନାହିଁ କି ଯେଉଁ ଇମେଲ ଆଇଡିରୁ ଆସିଛି ତାହା ପରମବୀରଙ୍କର ନୁହେଁ ବୋଲି ଉଦ୍ଧବଙ୍କ ଅଫିସ କହିଛି। ଏବେ ମହାରାଷ୍ଟ୍ରର ଗୃହ ମନ୍ତ୍ରାଳୟ ଏହି ଚିଠି ଆସିଥିବା ଇ-ମେଲ ଆଇଡିକୁ ନେଇ ଯାଞ୍ଚ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି।
Letter from Param Bir Singh was received at 4:37 pm today via a different email address, not his official one & was without his signature. The new email address needs to be checked. Home Ministry is trying to contact him for the same: Chief Minister's Office, Maharashtra
— ANI (@ANI) March 20, 2021
ସୂଚନାଯୋଗ୍ୟ, ଅନୀଲ ଦେଶମୁଖଙ୍କ ବାବଦରେ ପରମବୀର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଏକ ଚିଠିକୁ ଦର୍ଶାଇ ଅଭିଯୋଗ ହୋଇଛି। ସେ ନିଜେ ସ୍ପଷ୍ଟୀକରଣ ଦେଇ ନାହାନ୍ତି। ହେଲେ ଅଭିଯୋଗ ପରେ ଅନୀଲ ଦେଶମୁଖ ଟ୍ୱିଟ୍ କରି ଜବାବ ଦେଇଛନ୍ତି। ଅଭିଯୋଗ ଭିତ୍ତିହୀନ, ସଚିନ ବାଜେ ମାମଲାରେ ଫସିଥିବାରୁ ଏଭଳି ଦୋଷ ଦେଇ ଖସିଯିବାକୁ ପରମବୀର ଚେଷ୍ଟା କରୁଛନ୍ତି ବୋଲି ଦେଶମୁଖ କହିଛନ୍ତି।
ଏବେ ସେ ପରମବୀରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିବେ ବୋଲି କହିଛନ୍ତି। ପରମବୀର ସିଂହ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ପ୍ରମାଣ କରିବା ଦରକାର ବୋଲି ଅନୀଲ ଦେଶମୁଖ କହିଛନ୍ତି।
ସେହିପରି ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିଛନ୍ତି। ବିଜେପି ମୁଖପାତ୍ର ରାମ କଦମ ମଧ୍ୟ ଦେଶମୁଖଙ୍କ ଇସ୍ତଫା ଦାବି କରିଛନ୍ତି। ରାଜ୍ୟରେ ମେଣ୍ଟ ସରକାର ୧୬ ମାସ ହେବ ଚାଲିଛି। ଏହାରି ଭିତରେ ମୁମ୍ୱାଇରୁ କେବଳ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କୁହାଯାଇଛି। ବାକି ଜିଲ୍ଲାମାନଙ୍କରୁ ଆହୁରି କେତେ ଟଙ୍କା କୁହାଯାଇଥିବ। ଏହି ତିନି ଦଳର ସରକାର ଯେଉଁଭଳି ବଟି ଆଦାୟ କରିଛନ୍ତି ଅନ୍ୟ କେଉଁଠି ଏଭଳି ବଟି ଆଦାୟ ହେଉନଥିବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।