ଭାରତୀୟଙ୍କ ଆୟୁଷ ୨ ବର୍ଷ କମାଇଲା କରୋନା

ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରଭାବ ଲୋକଙ୍କ ଆୟୁଷ ଉପରେ ପଡ଼ିଛି। କରୋନ ଯୋଗୁ ଭାରତୀୟଙ୍କ ଆୟୁଷ ପ୍ରାୟ ୨ ବର୍ଷ ହ୍ରାସ ପାଇଛି। ମୁମ୍ବାଇର ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର ପପୁଲେସନ ଷ୍ଟଡିଜ୍‌(ଆଇଆଇପିଏସ୍‌) ପକ୍ଷରୁ କରାଯାଇଥିବା ଗୋଟିଏ ଗବେଷଣାରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।

ଆଇଆଇପିଏସ୍‌ର ଆସିସଷ୍ଟାଣ୍ଟ ପ୍ରଫେସର ସୂର୍ଯ୍ୟକାନ୍ତ ଯାଦବ କହିଛନ୍ତି, ମହାମାରୀ କରୋନାର ପ୍ରଭାବ ଭାରତୀୟଙ୍କ ଜୀବନ ଧାରଣ ସମୟ ବା ଆୟୁଷ ଉପରେ ପଡ଼ିଛି। ୨୦୧୯ରେ ପୁରୁଷଙ୍କ ହାରାହାରି ଆୟୁଷ ୬୯.୬ ବର୍ଷ ଓ ମହିଳାଙ୍କର ହାରାହାରି ଆୟୁଷ ୭୨ ବର୍ଷ ରହିଥିଲା। କିନ୍ତୁ ୨୦୨୦ରେ ମିଳିଥିବା ପରିସଂଖ୍ୟାନ ଅନୁସାରେ ଏହା ଯଥାକ୍ରମେ ୬୭.୫ ବର୍ଷ ଓ ୬୯.୮ ବର୍ଷ ହୋଇଯାଇଛି।

ମରଣଶୀଳ ପ୍ୟାର୍ଟନ ଉପରେ ମହାମାରୀ କରୋନାର ପ୍ରଭାବ କ’ଣ ରହୁଛି, ସେକଥା ଜାଣିବା ପାଇଁ ସମଗ୍ର ଦେଶରେ ଗବେଷଣା କରାଯାଇଥିଲା। ଏହି ସମୟରେ ହିଁ ଏପରି ଏକ ତଥ୍ୟ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି।

ଗବେଷଣାରୁ ଜଣାପଡ଼ିଛି ଯେ ମହାମାରୀ କରୋନାର କୁପ୍ରଭାବ ପୁରୁଷଙ୍କ ଉପରେ ଅଧିକ ପଡ଼ିଛି। କରୋନା ଯୋଗୁ ୩୫ରୁ ୬୯ ବର୍ଷର ଲୋକମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାଇଛନ୍ତି। କାରଣ କରୋନା ଜୀବନ ଧାରଣ କ୍ଷମତାକୁ ଆଶାତିତ ଭାବେ ହ୍ରାସ କରିବାକୁ ସକ୍ଷମ ହୋଇଛି।

ଶ୍ରୀ ଯାଦବ କହିଛନ୍ତି, ଆମେମାନେ ଦୀର୍ଘ ଗୋଟିଏ ଦଶନ୍ଧି ମଧ୍ୟରେ ହ୍ରାସ ପାଇଥିବା ଆୟୁସକୁ ବୃଦ୍ଧି କରିବାରେ ସକ୍ଷମ ହୋଇଥିଲୁ। କିନ୍ତୁ କରୋନା ଏହାକୁ ପ୍ରଭାବିତ କରିଛି। ୨୦୧୦ରେ ଭାରତୀୟଙ୍କ ଜୀବନ ଧାରଣ ଅବଧି ଯେତିକି ଥିଲା, ଏବେ ପୁଣି ସେହି ଅବସ୍ଥା ଫେରିଛି। ପୁଣିଥରେ ଜୀବନ ଧାରଣ ଅବଧି ବା ଆୟୁସକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଆମକୁ କିଛି ସମୟ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି।

ଆଇଆଇପିଏସ ନିର୍ଦ୍ଦେଶକ ଡା କେଏସ୍‌ ଜେମ୍ସ କହିଛନ୍ତି, ପୂର୍ବରୁ ଆଫ୍ରିକା ସମେତ ଏକାଧିକ ରାଷ୍ଟ୍ରରେ ଦେଖାଯାଉଥିବା ମହାମାରୀ ଲୋକଙ୍କ ଜୀବନ ଧାରଣ ଅବଧି ବା ଆୟୁସକୁ ହ୍ରାସ କରିବାର ନଜିର ରହିଛି। ତେବେ ଜୀବନ ଧାରଣ ଅବଧି ସମୟ ବିତିବା ସହ ମଧ୍ୟ ବୃଦ୍ଧି ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।