କେଜ୍ରିୱାଲ ସରକାରଙ୍କୁ ଶକ୍ତ ଝଟକା: କେନ୍ଦ୍ରର ସ୍ୱତନ୍ତ୍ର ଦିଲ୍ଲୀ ବିଲ୍‌ ଲୋକସଭାରେ ପାସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଦିଲ୍ଲୀରେ ଅଧିକ କ୍ଷମତା ଦେବା ପାଇଁ ପ୍ରସ୍ତୁତ ସ୍ୱତନ୍ତ୍ର ବିଲ୍‌ ଆଇନରେ ପରିଣତ ହେବା ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଦିଲ୍ଲୀ ସରକାରଙ୍କ ବିରୋଧ ସତ୍ତ୍ୱେ ଆଜି ଲୋକସଭାରେ କେନ୍ଦ୍ର ଆଣିଥିବା ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌, ୨୦୨୧ ପାସ୍‌ ହୋଇଛି। ଏହି ବିଲ୍‌ରେ ଦିଲ୍ଲୀରେ ନିଯୁକ୍ତ ହୋଇଥିବା ଉପ ରାଜ୍ୟପାଳ ହିଁ ପ୍ରକୃତ ସରକାର ଭାବେ ପରିଚୟ ଲାଭ କରିବେ। ତାଙ୍କୁ ନିର୍ବାଚିତ ସରକାରଙ୍କ ଠାରୁ ଅଧିକ କ୍ଷମତା ମିଳିବ।

ଆଜି ଲୋକସଭାରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଏହି ବିଲ୍‌ ଅସାମ୍ବିଧାନିକ ବୋଲି ଦଳୀୟ ସାଂସଦମାନେ କହିଥିଲେ। ବିଲ୍ ଅନୁଯାୟୀ, ଦିଲ୍ଲୀରେ ସରକାର ଅର୍ଥ ଉପରାଜ୍ୟପାଳଙ୍କୁ ବୁଝାଇବ। ସେହିପରି ଯେକୌଣସି କାର୍ଯ୍ୟନିର୍ବାହୀ ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ ଅନୁମତି ନେବାକୁ ବାଧ୍ୟ। ଦିଲ୍ଲୀ ବିଧାନସଭା ଯେକୌଣସି ଆଇନ ପରିଣତ କରିବ, ସେଥିରେ ସରକାରଙ୍କ ଅର୍ଥ ଉପରାଜ୍ୟପାଳଙ୍କୁ ବୁଝାଇବ। ୧୯୯୧ ଆଇନର ସେକସନ ୨୧ରେ ଏ ସଂକ୍ରାନ୍ତରେ ଏକ ଅନୁଚ୍ଛେଦ ଯୋଡ଼ାଯିବ।

ବିଧାନସଭାରେ ବିଲ୍‌ ପାରିତ ହେବା ପରେ ଉପ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହାପରେ ଉପ ରାଜ୍ୟପାଳ ହିଁ ଏହାକୁ ଆଇନରେ ପରିଣତ କରାଯିବ କି ନାହିଁ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ କି ନାହିଁ, ତା’ର ନିଷ୍ପତ୍ତି ନେବେ। ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧନ) ଆଇନ ଲାଗୁ ହେବା କ୍ଷଣି ପୂର୍ବରୁ ଲାଗୁ ହୋଇଥିବା ସମସ୍ତ ଆଇନ କାଟ ଖାଇଯିବ। ତେଣୁ କ୍ଷମତାସୀନ କେଜ୍ରିୱାଲ ସରକାର ଏହାକୁ ବିରୋଧ କରୁଛନ୍ତି। ତଥାପିତ ଏହା ଲୋକସଭାରେ ପାସ୍‌ ହୋଇଥିବାରୁ ଦିଲ୍ଲୀ ସରକାରଙ୍କୁ ଶକ୍ତ ଝଟକା ଲାଗିଛି।

ବିଲ ପାସ୍‌ ହେବା ପରେ କେଜ୍ରିୱାଲ ଟ୍ୱିଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଜିଏନସିଟିଡି ବିଲ୍‌ ଆଜି ଲୋକସଭାରେ ପାସ୍‌ କରାଇ ଦିଲ୍ଲୀବାସୀଙ୍କୁ ଅପମାନିତ କରାଯାଇଛି। ଲୋକଙ୍କ ଦ୍ୱାରା ଭୋଟ ପାଇ ସରକାର ଗଠନ କରିଥିବା ଲୋକଙ୍କ କ୍ଷମତା ଏହି ବିଲ୍‌ ଅପସାରିତ କରିନେବ ଓ ଦିଲ୍ଲୀରେ ପରାସ୍ତ ହୋଇଥିବା ଲୋକଙ୍କୁ ଶାସନ କରିବାର କ୍ଷମତା ଦେବ। ବିଜେପି ଆଜି ଲୋକଙ୍କୁ ଧୋକା ଦେଇଛି।”

ଲୋକସଭାରେ ଆଜି ବିଲ୍‌ ସପକ୍ଷରେ ମତଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କିଶନ୍ ରେଡ୍ଡୀ କହିଛନ୍ତି, ସମ୍ବିଧାନ ଅନୁଯାୟୀ ଦିଲ୍ଲୀ ହେଉଛି ଏକ କେନ୍ଦ୍ର ଶାସିତ ଅଞ୍ଚଳ। ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ରାୟରେ ଦିଲ୍ଲୀ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି କହିଛନ୍ତି। ଏହି ବିଲ୍‌ରେ ସମସ୍ତ ସଂଶୋଧନ ଅଦାଲତଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି କରାଯାଇଛି।

ସବୁ କିଛି ସ୍ପଷ୍ଟ କରିବା ପାଇଁ ଏହି ବିଲ୍ ଅଣାଯାଇଛି। ଏହା ଦିଲ୍ଲୀର ଲୋକଙ୍କୁ ଫାଇଦା ଦେବ ଓ ଶାସନରେ ଅଧିକ ସ୍ୱଚ୍ଛତା ଆଣିବ। ଏହାକୁ ରାଜନୀତିକ ଦୃଷ୍ଟିକୋଣରୁ ନୁହେଁ ବରଂ ବୈଷୟିକ ଦୃଷ୍ଟିକୋଣରୁ ବିଚାର କରିବାକୁ ପଡ଼ିବ। ୨୦୧୩ ଡିସେମ୍ବର ଯାଏ ଦିଲ୍ଲୀରେ ଶାସନ ଠିକ ଭାବେ ଚାଲିଥିଲା ଓ ସବୁ ବିବାଦର ସମାଧାନ କଥାବାର୍ତ୍ତା ଦ୍ୱାରା ଶେଷ ହେଉଥିଲା।

କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ବିବାଦ ଓ କ୍ଷମତା ଯୁଦ୍ଧ ତୀବ୍ର ହୋଇଛି। ମାମଲାହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। କାରଣ କିଛି ଘଟଣାରେ ସ୍ପଷ୍ଟତା ନଥିବାରୁ ଏଭଳି ସମସ୍ୟା ଉପୁଜିଥିଲା। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ମନ୍ତ୍ରୀ ପରିଷଦର ନିଷ୍ପତ୍ତି ଓ ଏଜେଣ୍ଡା ବିଷୟରେ ଉପରାଜ୍ୟପାଳଙ୍କୁ ଅବଗତ କରାଇବାକୁ ବାଧ୍ୟ। କିଛି ବିଷୟ ଉପରେ ସ୍ପଷ୍ଟତାର ଆବଶ୍ୟକତା ରହିଛି। ଏଗୁଡ଼ିକର ଅଭାବରୁ ଏହାର ପ୍ରଭାବ ଦିଲ୍ଲୀବାସୀଙ୍କ ଉପରେ ପଡ଼ୁଛି। ବିକାଶ ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ପ୍ରଶାସନିକ ସ୍ତରରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏହି ବିଲ୍‌ ଅଣାଯାଇଛି ବୋଲି ସେ କହିଛନ୍ତି।

ରେଡ୍ଡୀ ଆହୁରି କହିଛନ୍ତି, ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ ଏହାର କ୍ଷମତା ସୀମିତ। ଏହାକୁ ଅନ୍ୟ ରାଜ୍ୟଗୁଡ଼ିକ ସହ ତୁଳନା କରାଯାଇ ପାରିବ ନାହିଁ। ଏହି ବିଲ୍ ମାଧ୍ୟମରେ କାହାଠାରୁ କୌଣସି ଅଧିକାର ଛଡ଼ାଇ ନିଆଯାଉ ନାହିଁ। ନିୟମ ଅନୁଯାୟୀ, ରାଷ୍ଟ୍ରପତି କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ଭାବେ ଉପ ରାଜ୍ୟପାଳଙ୍କୁ ନିଯୁକ୍ତ କରିଥାଆନ୍ତି। ଯଦି କୌଣସି ପ୍ରସଙ୍ଗରେ ମତଭେଦ ସୃଷ୍ଟି ହେବ, ତା’ହେଲେ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇ ପାରିବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।