କରୋନାରୁ ସୁସ୍ଥ ହେବା ପରେ ବି ସରିନି ବିପଦ, ସତର୍କ କରାଇଲା ହୁ’

ଜେନେଭା: ସାରା ବିଶ୍ୱରେ ୨୦୦ ନିୟୁତରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ ଏବେ ବି କେତେ ଜଣ ଦୀର୍ଘ କାଳୀନ କରୋନା ଲକ୍ଷଣରେ ପୀଡ଼ିତ ସେକଥା କେହି ଜାଣିନାହାନ୍ତି। ଏହା ସବୁଠାରୁ ବଡ଼ ଚିନ୍ତାର ବିଷୟ ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯାଇଛି।

ଯେଉଁମାନେ କୋଭିଡ଼ରୁ ସୁସ୍ଥ ହେବା ପରେ ମଧ୍ୟ କରୋନା ଜନିତ ସମସ୍ୟାରେ ପଡ଼ୁଛନ୍ତି, ସେମାନେ ତୁରନ୍ତ ନିଜର ମେଡିକାଲ ଚେକଅପ କରାନ୍ତୁ। ଏହାଦ୍ୱାରା ହିଁ ଆମେ ଭାଇରସ କବଳରୁ ରକ୍ଷା ପାଇପାରିବା। ଦୀର୍ଘ କାଳୀନ କରୋନା ବାସ୍ତବ। ଏହା ମହାମାରୀର ସବୁଠାରୁ ବଡ଼ ଦିଗ ବୋଲି ହୁ’ ପକ୍ଷରୁ କୁହାଯାଇଛି।

ହୁ’ର କୋଭିଡ ୧୯ ଟେକ୍ନିକାଲ ମୁଖ୍ୟ ମାରିଆ ଭାନ କେରଖୋଭେ କହିଛନ୍ତି, ପୋଷ୍ଟ କୋଭିଡ ବା ଦୀର୍ଘ କାଳୀନ କୋଭିଡ ଏମିତି ଏକ ପ୍ରସଙ୍ଗ, ଯାହା ଉପରେ ହୁ’ ତୀକ୍ଷ୍ଣ ନଜର ରଖିଛି। ଏହା ସବୁଠାରୁ ଚିନ୍ତାର ବିଷୟ। ଏହା ଏକ ବାସ୍ତବ ତଥ୍ୟ ହୋଇଥିବାରୁ ଏହାକୁ ହୁ’ ଗୁରୁତ୍ୱର ସହ ନେଇଛି।

ଯେଉଁମାନେ ସାର୍ସ କୋଭ-୨ରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାର ଦୀର୍ଘ କାଳୀନ ସମସ୍ୟାରେ ପଡ଼ୁଛନ୍ତି। ଆମେ କେହି ଜାଣିନୁ ଏହାର ପ୍ରଭାବ କେତେ ଦିନ ଚାଲିବ? ଏହାର ପ୍ରକୃତ ତଥ୍ୟ ହାସଲ କରିବାକୁ ଆମେ କାର୍ଯ୍ୟ କରି ଚାଲିଛୁ। ତେଣୁ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସମସ୍ୟା ସୃଷ୍ଟି ହେଲେ, ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ହୁ’ର ଆଉ ଜଣେ ବିଶେଷଜ୍ଞ ଜାନେତ ଡିଆଜ କହିଛନ୍ତି, କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ୨୦୦ ପ୍ରକାରର ଲକ୍ଷଣ ଦେଖାଯାଉଛି। ଏହା ମଧ୍ୟରେ ଛାତିରେ ଯନ୍ତ୍ରଣା, ଶରୀରରେ ଫୋଡ଼ିଫୋଡ଼ି ହେବା ଓ ଫଳି ଯିବା ଭଳି ରୋଗ ରହିଛି। କିଛି ଲୋକଙ୍କ ଶରୀରରେ ଏହି ସମସ୍ୟା ନିୟମିତ ଦେଖା ଯାଉଛି।

ସେହିପରି ଆଉ କିଛି ଲୋକଙ୍କ ଶରୀରରେ ବେଳେ ବେଳେ ଏପରି ରୋଗ ସୃଷ୍ଟି ହେଉଛି। କରୋନାରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ଶରୀରରେ ୩ ମାସ ଓ ଆଉ କିଛି ଲୋକଙ୍କ ଶରୀରରେ ୬ ମାସ ଯାଏ ବିଭିନ୍ନ ପ୍ରକାରର ଲକ୍ଷଣ ମାନ ଦେଖାଯାଉଛି। ଆଉ କିଛି ଲୋକଙ୍କ ଶରୀରରେ ଏହା ଠାରୁ ଅଧିକ ଦିନ ଯାଏ ମଧ୍ୟ ଲକ୍ଷଣ ରହୁଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।