ବଦଳିଲେ ଲୋକସଭାରେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ବଦଳିଲେ ଲୋକସଭାରେ ବିରୋଧୀ ଦଳ ନେତା। ପଶ୍ଚିମବଙ୍ଗର କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ ଲୁଧିଆନାର ସାଂସଦ ତଥା କଂଗ୍ରେସର ସଚେତକ ରବନୀତ ସିଂହ ବିଟ୍ଟୁ। ଅଧୀର ରଞ୍ଜନ ପଶ୍ଚିମବଙ୍ଗର କଂଗ୍ରେସ ସଭାପତି। ଏବେ ବିଧାନସଭା ନିର୍ବାଚନ ପାଇଁ ଦୁଇ ମାସ ବ୍ୟସ୍ତରେ ରହିବେ। ସେହିପରି ବିରୋଧୀ ଦଳର ଉପନେତା ଗୌରବ ଗୋଗୋଇ ଆସାମ ନିର୍ବାଚନ ଦାୟିତ୍ୱରେ ରହିଛନ୍ତି।

ତେଣୁ ଏହି ଦୁଇ ମାସ ରବନୀତ ଲୋକସଭାରେ ବିରୋଧୀ ଦଳର ନେତା ରହିବେ। ସେ ଲୋକସଭାରେ କଂଗ୍ରେସର ନେତୃତ୍ୱ ନେବେ। ଅଧୀର ରଞ୍ଜନ ଚୌଧୁରୀ ଏ ନେଇ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଏବଂ ଲୋକସଭାରେ ସେକ୍ରେଟେରୀଙ୍କୁ ଅବଗତ କରାଇଛନ୍ତି।

ଲୋକସଭାରେ କଂଗ୍ରେସର ମୁଖ୍ୟ ସଚେତର କେ ସୁରେଶ ଏବଂ ଅନ୍ୟ ଜଣେ ସଚେତକ ମନିକାମ ଟାଗୋର ରହିଛନ୍ତି। ଏହି ଦୁଇ ସାଂସଦ ମଧ୍ୟ ବିଧାନସଭା ନିର୍ବାଚନରେ ବ୍ୟସ୍ତ ରହିଛନ୍ତି। ତେଣୁ ରବନୀତ ବିଟ୍ଟୁଙ୍କୁ ଅସ୍ଥାୟୀ ଭାବରେ କଂଗ୍ରେସ ଏହି ଦାୟିତ୍ୱ ଦେଇଛି।

ବିଟ୍ଟୁ ହେଉଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏନ୍ତ ସିଂହଙ୍କ ନାତି। ଅଗଷ୍ଟରେ ସେ ଲୋକସଭାର ସଚେତକ ଭାବରେ ନିଯୁକ୍ତ ହୋଇଥିଲେ। ରବନୀତ 2009ରେ ଲୋକସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ଆନନ୍ଦପୁର ସାହିବରୁ ସେତେବେଳେ ଲୋକସଭାରୁ ନିର୍ବାଚିତ ହୋଇଥିଲେ। ଏହାପରେ ଲୁଧିଆନାରୁ 2014 ଏବଂ 2019ରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ବିଟ୍ଟୁ ଚାଷୀ ଆନ୍ଦୋଳନ ବେଳେ ଦିଲ୍ଲୀ ସୀମାରେ ନେତୃତ୍ୱ ନେଉଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।