କରୋନା ମୃତ୍ୟୁ ଲୁଚାଉଛି ଏହି ରାଜ୍ୟ? ଗ୍ୟାସ୍‌ ଟ୍ରାଜେଡି ଭଳି ସ୍ଥିତି ଉପୁଜିଥିବା କହିଲେ ଲୋକେ

ଭୋପାଲ: ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ହେଉଥିବା ଶହଶହ ମୃତଦେହ ହିଁ ବୟାନ କରୁଛି ମଧ୍ୟପ୍ରଦେଶରେ ଏବେ କରୋନା ସ୍ଥିତି କେତେ ଜଟିଳ ହୋଇଛି। ତେବେ ସରକାରୀ ତଥ୍ୟ ଓ ଶ୍ମଶାନରେ ଅନ୍ତିମ ସଂସ୍କାର ହେଉଥିବା ଶବସତ୍କାର ମଧ୍ୟରେ ଆକାଶ ପାତାଳର ଫରକ ରହିଛି। ଯେଉଁ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର କରାଯାଉଛି, ତା’ଠାରୁ ଯଥେଷ୍ଟ କମ୍ ଲୋକ ରାଜ୍ୟରେ କରୋନା ଯୋଗୁ ପ୍ରାଣ ହରାଉଥିବା ସରକାରୀ କାଗଜପତ୍ରରେ ଦର୍ଶାଇଛି। ଭୋପାଳରେ ଥିବା ଭଡ଼ଭାଡ଼ା ଶ୍ମଶାନରେ […]

Covid

Covid

Hemant Lenka
  • Published: Wednesday, 14 April 2021
  • Updated: 14 April 2021, 06:07 PM IST

Sports

Latest News

ଭୋପାଲ: ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ହେଉଥିବା ଶହଶହ ମୃତଦେହ ହିଁ ବୟାନ କରୁଛି ମଧ୍ୟପ୍ରଦେଶରେ ଏବେ କରୋନା ସ୍ଥିତି କେତେ ଜଟିଳ ହୋଇଛି। ତେବେ ସରକାରୀ ତଥ୍ୟ ଓ ଶ୍ମଶାନରେ ଅନ୍ତିମ ସଂସ୍କାର ହେଉଥିବା ଶବସତ୍କାର ମଧ୍ୟରେ ଆକାଶ ପାତାଳର ଫରକ ରହିଛି। ଯେଉଁ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର କରାଯାଉଛି, ତା’ଠାରୁ ଯଥେଷ୍ଟ କମ୍ ଲୋକ ରାଜ୍ୟରେ କରୋନା ଯୋଗୁ ପ୍ରାଣ ହରାଉଥିବା ସରକାରୀ କାଗଜପତ୍ରରେ ଦର୍ଶାଇଛି।

ଭୋପାଳରେ ଥିବା ଭଡ଼ଭାଡ଼ା ଶ୍ମଶାନରେ ଯେଉଁ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ସତ୍କାର କରାଯାଉଛି, ତା’କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ୧୯୮୪ ଭୋପାଲ ଗ୍ୟାସ ଟ୍ରାଜେଡି ପରଠାରୁ ସେମାନେ କେବେ ହେଲେ ଶ୍ମଶାନ ଘାଟରେ ଏଭଳି ଚିତ୍ର ଦେଖି ନଥିଲେ ବୋଲି କହିଛନ୍ତି। ନିଜ ଭାଇଙ୍କ ଅନ୍ତିମ ସଂସ୍କାର କରିବାକୁ ଆସିଥିବା ୫୪ ବର୍ଷୀୟ ବିଏନ୍‌ ପାଣ୍ଡେ କହିଛନ୍ତି, “୧୯୮୪ ଗ୍ୟାସ୍‌ ଟ୍ରାଜେଡି ବେଳେ ମୁଁ ୯ମରେ ପଢ଼ୁଥିଲି। ଏବେ ସେଭଳି ସ୍ଥିତି ଦେଖିବାକୁ ମିଳିଛି। ଆଜି ୩ରୁ ୪ ଘଣ୍ଟା ମଧ୍ୟରେ ମୁଁ ୩୦ରୁ ୪୦ ଶବ ଦେଖିଛି।”

ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ପାଇଁ ଅନେକ ଲୋକ ନିଜ ପ୍ରିୟଜନକ ଶବକୁ ଧରି ଘଣ୍ଟାଘଣ୍ଟା ସମୟ ଆମ୍ବୁଲାନ୍ସରେ ଅପେକ୍ଷା କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସନ୍ତୋଷ ରଘୁବଂଶୀ ନିଜର ଜଣେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର କରିବାକୁ ଆସିଥିଲେ। ସେ କହିଛନ୍ତି, ତାଙ୍କୁ ୩ ଘଣ୍ଟା କାଳ ଅପେକ୍ଷା କରିବାକୁ ପଡ଼ିଛି। ଅନ୍ତିମ ସଂସ୍କାର ପାଇଁ ସ୍ଥାନ ନଥିବାରୁ ଏଭଳି ଅପେକ୍ଷା କରିବାକୁ ପଡ଼ୁଛି। କେବଳ ସନ୍ତୋଷ ନୁହନ୍ତି, ଅନେକ ଲୋକଙ୍କୁ ସ୍ଥାନ ଅଭାବରୁ ଶବ ସତ୍କାର କରିବାକୁ ଧାଡ଼ି କରିବାକୁ ପଡ଼ୁଛି।

ସୋମବାର ଭଡ଼ଭାଡ଼ା ଶ୍ମଶାନରେ ୩୭ ଜଣ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର କରାଯାଇଛି। ହେଲେ ସ୍ୱାସ୍ଥ୍ୟ ବିଭାଗ ପୂରା ମଧ୍ୟପ୍ରଦେଶରେ ସୋମବାର ୩୭ ଜଣ କରୋନାରେ ପ୍ରାଣ ହରାଇଥିବା ବୁଲେଟିନ୍‌ରେ ଉଲ୍ଲେଖ କରିଥିଲା। ସେହିପରି ୫ ଦିନର ମୃତ୍ୟୁସଂଖ୍ୟାରେ ମଧ୍ୟ ହରେଫେର ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି।

ଏପ୍ରିଲ ୮ରେ ୪୧ଟି ଶବକୁ କୋଭିଡ୍‌ ପ୍ରୋଟୋକଲ ଅନୁଯାୟୀ ଭୋପାଲରେ ସତ୍କାର କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟ ବିଭାଗ ବୁଲେଟିନ୍‌ରେ ସେଦିନ ପୂରା ରାଜ୍ୟରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ସେହିପରି ଏପ୍ରିଲ ୯ରେ କେବଳ ଭୋପାଲରେ ୩୫ଟି ଶବ, ଏପ୍ରିଲ ୧୦ରେ ୫୬ଟି, ଏପ୍ରିଲ ୧୧ରେ ୬୮ ଓ ଏପ୍ରିଲ ୧୨ରେ ୫୯ ଜଣଙ୍କ ଶବକୁ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ସତ୍କାର କରାଯାଇଥିଲା। କିନ୍ତୁ ସରକାର, ଏପ୍ରିଲ ୯ରେ ୨୩, ଏପ୍ରିଲ ୧୦ରେ ୨୪, ଏପ୍ରିଲ ୧୧ରେ ୨୪ ଓ ଏପ୍ରିଲ ୧୨ରେ ସମଗ୍ର ମଧ୍ୟପ୍ରଦେଶରେ ୩୭ ଜଣ କରୋନାରେ ପ୍ରାଣ ହରାଇଥିବା କହିଛନ୍ତି। ଏହି ତଥ୍ୟକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ସରକାର କିନ୍ତୁ ଏହାକୁ ମାନି ନାହାନ୍ତି।

ରାଜ୍ୟ ମେଡିକାଲ ଏଡୁକେସନ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି, ମୃତ୍ୟୁସଂଖ୍ୟା ଲୁଚାଇବାକୁ ସରକାର କୌଣସି ଉଦ୍ଦେଶ୍ୟ ରଖିନାହାନ୍ତି। ଆମେ ସଂଖ୍ୟା ଲୁଚାଇ କୌଣସି ପୁରସ୍କାର ପାଇବୁ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିପୁଳ ସଂଖ୍ୟାରେ ଶବସତ୍କାର କରି ଶ୍ମଶାନ ଘାଟର କର୍ମଚାରୀ ମଧ୍ୟ ଅତିଷ୍ଠ ହୋଇଗଲେଣି। ସ୍ଥିତି ଏପରି ହୋଇଛି ଯେ ଅନ୍ତିମ ସଂସ୍କାର ପାଇଁ କାଠର ଅଭାବ ମଧ୍ୟ ଦେଖାଗଲାଣି। ଭୋପାଲ ଶ୍ମଶାନ ଘାଟରେ କାମ କରୁଥିବା ରୈସି ଖାନ କହିଛନ୍ତି, ପ୍ରତିଦିନ ୧୦୦ରୁ ୧୫୦ କ୍ୱିଣ୍ଟାଲ କାଠ ଦରକାର ପଡ଼ୁଛି। କାରଣ ଦୈନିକ ୪୦ରୁ ୪୫ଟି ଶବର ସତ୍କାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos