ଓମିକ୍ରନ ଭୟ: ଫେରିଲା ନାଇଟ କର୍ଫ୍ୟୁ

ଭୋପାଲ: ମହାମାରୀ କରୋନା ମାରାତ୍ମକ ଓମିକ୍ରନ ଭାରିଏଣ୍ଟର ଭୟ ସମଗ୍ର ଦେଶକୁ ଘାରିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ପୁଣିଥରେ କଟକଣା ଲାଗୁ କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ମଧ୍ୟପ୍ରଦେଶ ସରକାର ସଂକ୍ରମଣ ରୋକିବାକୁ ନାଇଟ କର୍ଫ୍ୟୁକୁ ପ୍ରମୁଖ ଅସ୍ତ୍ର କରିଛନ୍ତି।

ଏହାର ଅର୍ଥ ମଧ୍ୟପ୍ରଦେଶରେ ଏଣିକି ନାଇଟ କର୍ଫ୍ୟୁ ଲାଗିବ। ରାତି ୧୧ଟାରୁ ଭୋର ୫ ଯାଏ ସମସ୍ତ ପ୍ରକାରର ଯାତାୟାତ ବନ୍ଦ ରହିବ ବୋଲି ସରକାର ଆଜି ଘୋଷଣା କରିଛନ୍ତି।

ସରକାରଙ୍କ ଘୋଷଣା ଅନୁଯାୟୀ, ଆଜି ରାତି ୧୧ଟାରୁ ହିଁ ନାଇଟ କର୍ଫ୍ୟୁ ଲାଗିବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ। ନାଇଟ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଛାଡ଼ି ଦେଲେ କେହି ବି ଘରୁ ବାହାରି ପାରିବେ ନାହିଁ। ପୁଲିସ୍‌ ପ୍ରଶାସନ ପକ୍ଷରୁ ମଧ୍ୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରାଯାଇଛି।

ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ତେବେ ମଧ୍ୟପ୍ରଦେଶରେ ଏଯାଏ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇନି। ତଥାପି ଆଗୁଆ ପଦକ୍ଷେପ ସ୍ୱରୂପ ସରକାର ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଏକଥା ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି।

କିଛି ଦିନ ତଳେ କେନ୍ଦ୍ର ସରକାର ଓମିକ୍ରନ ଭାରିଏଣ୍ଟ ପ୍ରତି ସତର୍କ ରହିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଥିଲେ। ଏହି ସମୟରେ ଟେଷ୍ଟିଂ ଓ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏହି ପରାମର୍ଶକୁ ଆଧାର କରି ଆଜି ମଧ୍ୟପ୍ରଦେଶ ସରକାର ନାଇଟ କର୍ଫ୍ୟୁ ଲଗାଇଛନ୍ତି। ଏଥିସହ ଲୋକଙ୍କୁ ଅଯଥାରେ ଭିଡ଼ ସ୍ଥାନକୁ ନ ଯିବାକୁ ବାରଣ କରାଯାଇଛି। ଆଗକୁ ଖ୍ରୀଷ୍ଟିମାଦ ଓ ନୂଆବର୍ଷ ଆସିବାରୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କଟକଣା ମଧ୍ୟରେ ଏହି ସବୁ ଉତ୍ସବ ପାଳନ କରିବାକୁ ମଧ୍ୟ ସରକାର କହିଛନ୍ତି। ଏ ସଂକ୍ରାନ୍ତରେ ଗାଇଡଲାଇନ ଜାରି କରାଯିବ ବୋଲି ମଧ୍ୟ ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।