ଅସମ୍ଭାଳ ହେଲାଣି କରୋନା ସ୍ଥିତି: କେନ୍ଦ୍ରକୁ ଅମ୍ଳଜାନ ମାଗିଲା ଏହି ରାଜ୍ୟ

ମୁମ୍ବାଇ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ ସୃଷ୍ଟି କରୁଛି। କରୋନାର ଦ୍ୱିତୀୟ ଲହରୀ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ଏଠାରେ ସଂକ୍ରମଣ ବଢ଼ୁଥିବାରୁ ଆବଶ୍ୟକ ଅନୁଯାୟୀ ଲୋକଙ୍କୁ ଅମ୍ଳଜାନ ଯୋଗାଣ ହୋଇପାରୁନି।

ରାଜ୍ୟରେ ଅମ୍ଳଜାନ ସିଲିଣ୍ଡରର ଅଭାବ ସୃଷ୍ଟି ହେବାରୁ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଣ ଟୋପେ କେନ୍ଦ୍ରକୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ମହାରାଷ୍ଟ୍ରକୁ ଲାଗିଥିବା ରାଜ୍ୟଗୁଡ଼ିକରୁ ଅମ୍ଳଜାନ ତୁରନ୍ତ ପଠାଇବାକୁ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ୧୨ ମେଟ୍ରିକ ଟନ୍‌ର ଅମ୍ଳଜାନ ଉତ୍ପାଦନ ହେଉଥିବା ବେଳେ ଦୈନିକ ୭ ଟନ୍‌ରୁ ଅଧିକ ଅମ୍ଳଜାନ ବ୍ୟବହାର କରାଯାଉଛି। ତେଣୁ ଆଗକୁ ଦରକାର ପଡ଼ିଲେ ପଡ଼ୋଶୀ ରାଜ୍ୟରୁ ଆମକୁ ଅମ୍ଳଜାନ ଯୋଗାଣ କରିବାକୁ ଆମେ ଅନୁରୋଧ କରୁଛୁ। ଆମେ ଅମ୍ଳଜାନ ବ୍ୟବହାର କରୁଥିବା ଶିଳ୍ପସଂସ୍ଥାକୁ ବନ୍ଦ କରିଦେବୁ। କିନ୍ତୁ ମେଡିକାଲକୁ ଅମ୍ଳଜାନ ଯୋଗାଣ ପ୍ରଭାବିତ ହେବାକୁ ଦେବୁନି।

ଆମେ ମେଡିକାଲରେ ଅମ୍ଳଜାନର ବ୍ୟବହାରକୁ ସୁଦୃଢ଼ କରିବାକୁ ସମସ୍ତ ପ୍ରକାରର ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛୁ। ବାୟୁମଣ୍ଡଳକୁ ଅମ୍ଳଜାନ ସଂଗ୍ରହ କରିପାରୁଥିବା ଗୋଟିଏ କୌଶଳ ସମ୍ପର୍କରେ ଆମେ ବିଚାର କରୁଛୁ। ଏହାଦ୍ୱାରା ଅମ୍ଳଜାନର ଆବଶ୍ୟକତା ସମାନ୍ୟ ହ୍ରାସ ପାଇପାରିବ।

ରାଜ୍ୟ ସରକାର ମୁମ୍ବାଇ, ପାଲଘର ଓ ଅନ୍ୟ ଅଞ୍ଚଳରେ ମଧ୍ୟ ଅମ୍ଳଜାନ ଉତ୍ପାଦନ କରିବାର କ୍ଷମତା ରଖିଥିବା ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟରେ ୩% ଟିକା ନଷ୍ଟ ହେଉଥିବା ବେଳେ ଦେଶରେ ଏହା ୬% ରହିଛି। ରାଜ୍ୟରେ କରୋନା ସ୍ଥିତି ଉତ୍କଟ ହୋଇଛି ସତ। କିନ୍ତୁ ଏହାକୁ ନେଇ କେହି ରାଜନୀତି କରିବାକ ଠିକ୍‌ ନୁହେଁ। କରୋନା ସଂକ୍ରମଣକୁ ରୋକିବା ପାଇଁ କଟକଣା ଲାଗୁ କରାଯାଇଛି। ରାଜନୀତିକ ଦଳଗୁଡ଼ିକ ଲୋକଙ୍କୁ ଏହା ବିରୋଧରେ ପ୍ରତିବାଦ କରିବାକୁ ଉସକାଇବା ଠିକ୍ ନୁହେଁ।

ଯଦି କେଉଁଟି କଟକଣା କୋହଳ କରାଯିବାର ଆବଶ୍ୟକତା ଉପୁଜେ, ତା’ହେଲେ ରାଜ୍ୟ ସରକାର ନିଶ୍ଚିତ ଏହା ଉପରେ ବିଚାର କରିବେ। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ବୋଲି ଶ୍ରୀ ଟୋପେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ଆଉ ୫୫,୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କରୋନା ୨୯୭ ଜଣଙ୍କ ଜୀବନ ନେଇଛି। ରାଜ୍ୟରେ ଆକ୍ଟିଭ କେସ୍ ୪,୭୨,୨୮୩ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୫୬,୩୩୦କୁ ବୃଦ୍ଧି ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।