କରୋନାର ହଟସ୍ପଟ ପାଲଟିଲାଣି କୁମ୍ଭମେଳା, ତଥାପି କାହାର ନିଘା ନାହିଁ

ଡେରାଡୁନ୍‌: ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭମେଳା ଏବେ ମହାମାରୀ କରୋନାର ହଟସ୍ପଟ ପାଲଟି ଗଲାଣି। ଏଠାକୁ ବୁଡ଼ ବା ଶାହି ସ୍ନାନ କରିବାକୁ ଲକ୍ଷାଧିକ ସନ୍ତ ଓ ଶ୍ରଦ୍ଧାଳୁ ଆସୁଥିବାରୁ କରୋନା ହୁହୁ ହୋଇ ମାଡ଼ିଲାଣି। ଗୋଟିଏ ଦିନ ପୂର୍ବରୁ ୧୦୨ ଜଣ ଶ୍ରଦ୍ଧାଳୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣ ସନ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି। ତଥାପି ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଲକ୍ଷାଧିକ ଲୋକଙ୍କ ସାମଗମ ହେବାରେ ଲାଗିଛି। କରୋନାର ଉଗ୍ର ରୂପ […]

maha-kumbh

maha-kumbh

Hemant Lenka
  • Published: Wednesday, 14 April 2021
  • Updated: 14 April 2021, 04:00 PM IST

Sports

Latest News

ଡେରାଡୁନ୍‌: ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭମେଳା ଏବେ ମହାମାରୀ କରୋନାର ହଟସ୍ପଟ ପାଲଟି ଗଲାଣି। ଏଠାକୁ ବୁଡ଼ ବା ଶାହି ସ୍ନାନ କରିବାକୁ ଲକ୍ଷାଧିକ ସନ୍ତ ଓ ଶ୍ରଦ୍ଧାଳୁ ଆସୁଥିବାରୁ କରୋନା ହୁହୁ ହୋଇ ମାଡ଼ିଲାଣି। ଗୋଟିଏ ଦିନ ପୂର୍ବରୁ ୧୦୨ ଜଣ ଶ୍ରଦ୍ଧାଳୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣ ସନ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି।

ତଥାପି ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଲକ୍ଷାଧିକ ଲୋକଙ୍କ ସାମଗମ ହେବାରେ ଲାଗିଛି। କରୋନାର ଉଗ୍ର ରୂପ ଦେଖି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ହେଲେ ମହା କୁମ୍ଭ ମେଳାରେ ଯୋଗଦେଉଥିବା ଧର୍ମଗୁରୁମାନେ ନିଜର ଟେଷ୍ଟ କରାଇବାକୁ ମନା କରୁଛନ୍ତି। କେହି ବି ମାସ୍କ ପିନ୍ଧୁ ନାହାନ୍ତି ଓ ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରିବାରେ ଲାଗିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ପ୍ରଶାସନ କୁମ୍ଭ ମେଳାକୁ ବନ୍ଦ କରୁନାହିଁ। ସେହିପରି କଟକଣା ମାନୁ ନଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଗତବର୍ଷ ଏହି ସମୟରେ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ମରକଜ ବେଳେ ଏମିତି କରୋନା ସଂକ୍ରମଣ ବ୍ୟାପିଥିଲା। କେନ୍ଦ୍ର ସରକାର ମରକଜ ପାଇଁ କରୋନା ସଂକ୍ରମଣ ବ୍ୟାପିଲା ବୋଲି କହିଥିଲେ। କିନ୍ତୁ ଏଯାଏ କେନ୍ଦ୍ର ସରକାର କୁମ୍ଭମେଳାକୁ ନେଇ ମୁହଁ  ଖୋଲି ନାହାନ୍ତି। ସ୍ୱାସ୍ଥ୍ୟ ସଚିବ ସାମ୍ବାଦିକ ସମ୍ମିଳନୀ କରି କରୋନା ସ୍ଥିତି ଉଗ୍ର ହେଉଥିବା କଥା କହୁଥିଲେ ହେଁ କୁମ୍ଭମେଳା ସମ୍ପର୍କରେ ତାଙ୍କ ମୁହଁରୁ ପଦେ କଥା ବାହାରୁନି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସବୁ ଆଖଡ଼ାର ମୁଖ୍ୟ ସଂସ୍ଥା ଅଖିଳ ଭାରତୀୟ ଆଖଡ଼ା ପରିଷଦର ଆକଳନ ଅନୁଯାୟୀ, ସୋମବାର ଶାହି ସ୍ନାନରେ ପ୍ରାୟ ଲକ୍ଷେ ସନ୍ତ ସାମିଲ ହୋଇଥିଲେ। ସେହିପରି ଇତି ମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ହରିଦ୍ୱାର ମୁଖ୍ୟ ମେଡିକାଲ ଅଧିକାରୀ ଡା ଏସକେ ଝା କହିଛନ୍ତି, ଶାହି ସ୍ନାନରେ ସାମିଲ ହୋଇଥିବା ସନ୍ତମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ସେହିପରି ସେମାନଙ୍କୁ ଶ୍ରଦ୍ଧାଳୁଙ୍କ ସହ ମିଶିବାକୁ ବାରଣ କରାଯାଇଛି। କିନ୍ତୁ କେହି ବି ଏହାକୁ ମାନୁ ନାହାନ୍ତି। ଶାହି ସ୍ନାନ ବେଳେ କରୋନା କଟକଣାକୁ ଉଲ୍ଲଙ୍ଘନ କରାଯାଉଛି। ଆମେ ସମସ୍ତଙ୍କୁ ଗାଇଡଲାଇନ ବୁଝାଇବାକୁ ଚେଷ୍ଟା କରୁଛୁ। ହେଲେ ଆମ କଥା କେହି ବି ଶୁଣୁ ନଥିବା ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ ଜୁନା ଆଖଡ଼ାର ୫ ଜଣ, ନିରଞ୍ଜାନି ଆଖଡ଼ାର ୨ ଜଣ, ନାଥ ଓ ଅଗ୍ନୀ ଆଖଡ଼ାର ଜଣେ ଲେଖାଏ ସନ୍ତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୪ ଦିନରେ ୧୮ ଜଣ ସନ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ଓ ନିରଞ୍ଜାନି ଆଖଡ଼ାର ମୁଖ୍ୟ ନରେନ୍ଦ୍ର ଗିରି ରହିଛନ୍ତି। ଗିରିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଋଷିକେଷରେ ଥିବା ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଓ ସନ୍ତ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ଧର୍ମଗୁରୁଙ୍କ ମଧ୍ୟରେ କୌଣସି ଚେତା ପଶିନି। ମଙ୍ଗଳବାର ଦ୍ୱିତୀୟ ଶାହି ସ୍ନାନ ବେଳେ ମାହାମଣ୍ଡେଳଶ୍ୱର ଅଧୀନରେ ଥିବା ସମସ୍ତ ୧୩ ଆଖଡ଼ାର ମୁଖ୍ୟମାନେ କୁମ୍ଭ ମେଳାରେ ବେଧଡ଼କ ବୁଲିଥିଲେ। ସେମାନେ ସାମାଜିକ ଦୂରତାକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଚାଲିଥିଲେ। କୁମ୍ଭ ମେଳାରେ ଉପସ୍ଥିତ ଥିବା ଅଧିକାରୀମାନେ ସନ୍ତମାନଙ୍କୁ ମାସ୍କ ପିନ୍ଧିକୁ ହାତ ଯୋଡ଼ି ନିବେଦନ କରୁଛନ୍ତି। ସେହିପରି କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଉଛନ୍ତି। ହେଲେ ସେମାନେ କିଛି ବି ଶୁଣୁନାହାନ୍ତି।

ପ୍ରଶାସନ ଏପରି କଥା କହୁଥିଲେ ହେଁ ଅଖିଳ ଭାରତୀୟ ଆଖଡ଼ା ପରିଷଦର ସମ୍ପାଦକ ଅଲଗା କଥା କହିଛନ୍ତି। ସେ କହିଛନ୍ତି, କେହି ବି ଟେଷ୍ଟିଂ କରିବାକୁ ବିରୋଧ କରୁନାହାନ୍ତି। ଆମେ ଟେଷ୍ଟ ପାଇଁ ଅପେକ୍ଷା କରିଥିଲେ ହେଁ କେହି ବି ନମୁନା ପାଇଁ ଆସୁନାହାନ୍ତି। କୌଣସି ସନ୍ତ ଥର୍ମାଲ ସ୍କ୍ରିନିଂ କିମ୍ବା ଟେଷ୍ଟକୁ ବିରୋଧ କରିନାହାନ୍ତି।

ଆମେ ମଧ୍ୟ ଆମ ଅନୁଗାମୀ ମାନଙ୍କୁ କରୋନା ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଉଛୁ ବୋଲି ସେ କହିଛନ୍ତି। ସେହିପରି ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତିନିଧି କହିଛନ୍ତି, ରାଜନୀତିକ ସମାବେଶରେ କେହି କରୋନା ଟେଷ୍ଟ କରାଇ ଆସିବାକୁ କହୁଛି କି? ସମାବେଶକୁ ଆସୁଥିବା ଲୋକଙ୍କୁ ୭୨ ଘଣ୍ଟା ପୂର୍ବରୁ ଆରଟି ପିସିଆର ଟେଷ୍ଟ କରିବାକୁ କୁହାଯାଉଛି କି? ତେଣୁ କରୋନା ନାଁରେ ଶ୍ରଦ୍ଧାଳୁଙ୍କୁ ଅଟକାଇ ସେମାନଙ୍କ ମୌଳିକ ଓ ହିନ୍ଦୁ ଧାର୍ମିକ ଭାବନାର ଉଲ୍ଲଙ୍ଘନ କରାଯାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos