ବଦଳିଲା ଗାଇଡଲାଇନ: ୧୧ ଜିଲ୍ଲାକୁ ଛାଡ଼ି ଆଉ ସବୁଠି ଖୋଲିବ ଜିମ ଓ ମଲ

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ କଟକଣା କୋହଳ କରିଛନ୍ତି ମହାରାଷ୍ଟ୍ର ସରକାର। ୧୧ଟି ଜିଲ୍ଲାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ଜିମ ଠାରୁ ଆରମ୍ଭ କରି ମଲ ଓ ସେଲୁନ ଖୋଲିବାକୁ ସରକାର ଗ୍ରୀନ ସିଗ୍ନାଲ ଦେଇଛନ୍ତି। ତେବେ କେସ୍‌ ଲୋଡ ଅଧିକ ଥିବା କୋହ୍ଲାପୁର, ସଙ୍ଗଲି, ସାତାରା, ପୁଣେ, ରତ୍ନଗିରି, ସିନ୍ଧୁଦୁର୍ଗ, ସୋଲାପୁର, ଅହମଦନଗର, ବୀଦ, ରାଇଗଡ ଓ ପାଲଘର ଭଳି ୧୧ଟି ଜିଲ୍ଲାରେ ଏହି କୋହଳ ନିୟମ ଲାଗୁ ହେବନି।

ମୁମ୍ବାଇ, ଏହାର ଉପକଣ୍ଠ ଅଞ୍ଚଳ ଓ ଥାନେରେ କଟକଣା କୋହଳ କରାଯିବ କି ନାହିଁ, ତା’ର ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ସ୍ଥିତିକୁ ଦେଖି ନେବେ ବୋଲି ରାଜ୍ୟ ସରକାର କହିଛନ୍ତି।

୧୧ ଜିଲ୍ଲାକୁ ଛାଡ଼ି ବାକି ସବୁ ସ୍ଥାନରେ ଦୋକାନ, ବଜାର ଓ ମଲ ସୋମବାର ଠାରୁ ଶୁକ୍ରବାର ଯାଏ ରାତି ୮ଟା ଯାଏ ଖୋଲିବ। ଶନିବାର ଏଗୁଡ଼ିକ ଦିନ ୩ଟା ଯାଏ ସେବା ଯୋଗାଇ ପାରିବେ। ରବିବାର କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବା ଦୋକାନକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।

ରେଷ୍ଟୁରାଣ୍ଟଗୁଡ଼ିକ ୫୦% ଲୋକଙ୍କୁ ବସାଇ ଖାଇବାକୁ ଦେଇପାରିବେ। ତେବେ ଅପରାହ୍ନ ୪ଟା ପରେ ଏହି ସେବା ମିଳିବ ନାହିଁ। ପୂର୍ବଭଳି ସେମାନେ ପାର୍ସଲ ଦେଇପାରିବେ। ପାର୍କ ଓ ଖେଳ ପଡ଼ିଆକୁ ଚାଲୁ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି।

କଟକଣା କୋହଳ ହୋଇଥିବା ଜିଲ୍ଲାରେ ସରକାରୀ ଓ ଘରୋଇ ଅଫିସଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଚାଲିପାରିବ। କିନ୍ତୁ ଯଦି ସୁବିଧା ରହିଛି, ତା’ହେଲେ ଘରୁ ମଧ୍ୟ ଲୋକମାନେ କାମ କରିପାରିବେ। ଜିମ, ସେଲୁନ ଓ ବିୟୁଟି ପାର୍ଲର ୫୦% କ୍ଷମତାର ସହ କାମ କରିପାରିବେ।

ତେବେ ଏଠାରେ ଏସି ଲାଗି ପାରିବ ନାହିଁ। ଏଗୁଡ଼ିକ ସୋମବାରରୁ ଶୁକ୍ରବାର ରାତି ୮ଟା ଯାଏ ଓ ଶନିବାର ଦିନ ୩ଟା ଯାଏ ଖୋଲିପାରିବ। ନିର୍ଦ୍ଦେଶ ଅନୁସାରେ ରବିବାର ସବୁ କିଛି ବନ୍ଦ ରହିବ।

ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସିନେମା ହଲ, ମଲ୍ଟିପ୍ଲେକ୍ସ ଓ ଥିଏଟର ବନ୍ଦ ରହିବ। ଧାର୍ମିକ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ରାତି ୯ଟାରୁ ଭୋର ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।