ସବୁ ରେକର୍ଡ ଭାଙ୍ଗିଲା କରୋନା: ଏହି ରାଜ୍ୟରୁ ଦିନକରେ ୩୨ ହଜାର ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ମହାମାରୀ କରୋନା ଭାଇରସ ଭାରତରେ ଉଗ୍ର ରୂପ ଧାରଣ କରିବାକୁ ବସିଲାଣି। ବିଶେଷ କରି ମହାରାଷ୍ଟ୍ର କରୋନା ଆଁରେ ପଡ଼ି ଆଉଟ ପାଉଟ ହେଉଛି। ସ୍ଥିତି ଏପରି ହୋଇଛି ଯେ ରାଜ୍ୟରେ କରୋନା ସବୁ ରେକର୍ଡ ଭାଙ୍ଗି ଦେଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ପ୍ରାୟ ୩୨ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଏହା ସର୍ବାଧିକ।

ଆଜି ରାଜଧାନୀ ମୁମ୍ବାଇରେ ମଧ୍ୟ ଚଳିତ ବର୍ଷର ସବୁଠାରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ଦିନକରେ ଏଠାରେ ୫,୧୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ଅପେକ୍ଷା ଏହା ୪୮% ଅଧିକ। କରୋନା ମୁମ୍ବାଇରେ ୬ ଜଣଙ୍କ ଜୀବନ ମଧ୍ୟ ନେଇଛି।
କୋରାନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକାଧିକ କଟକଣା ଲଗାଇଥିଲେ ହେଁ ଏହା ଉପରେ ବ୍ରେକ ଲାଗୁନାହିଁ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ତଥା ଦେଶର ଚିନ୍ତା ବଢ଼ି ଯାଇଛି।

ରାଜ୍ୟ ସରକାର ଦେଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ମୋଟ ୩୧,୮୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏହି ପ୍ରାଣଘାତୀ ଭାଇରସ ୯୫ ଜଣଙ୍କ ମୁଣ୍ଡ ନେଇଛି। ୧୫,୦୯୮ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୨,୪୭,୨୯୯କୁ ବୃଦ୍ଧି ପାଇଛି।

ଗତକାଲି ରାଜ୍ୟରେ ମୋଟ ୨୮,୬୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାର ଅର୍ଥ ଏବେ ଦୈନିକ ସଂକ୍ରମଣ ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ରାଜ୍ୟରେ ଆରୋଗ୍ୟ ହାର ୮୮.୨୧ ରହିଥିବା ବେଳେ ମୃତ୍ୟୁହାର ୨.୦୯କୁ ବୃଦ୍ଧି ପାଇଛି।

ରାଜ୍ୟରେ କରୋନା ପ୍ରବେଶ କରିବା ଦିନଠାରୁ ସରକାର ମୋଟ ୧,୮୭,୨୫,୩୦୭ଟି ନମୁନା ପରୀକ୍ଷା କରିଛନ୍ତି। ଏହା ମଧ୍ୟରୁ ୨୫,୬୪,୮୮୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଏବେ ୧୨,୬୮,୦୯୪ ଜଣ ଲୋକ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ୧୩,୪୯୯ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିଛନ୍ତି। ଅନ୍ୟପକ୍ଷରେ ଆଜି କେନ୍ଦ୍‌ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲେ ଯେ ମହାରାଷ୍ଟ୍ର ଓ ପଞ୍ଜାବର କରୋନା ସ୍ଥିତି ବହୁତ ଚିନ୍ତା ଜନକ। ଏହି ଦୁଇ ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ ହାର ବଢ଼ିବାରେ ଲାଗିଛି।

କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ପୁଣେ, ନାଶିକ, ମୁମ୍ବାଇ, ଥାନେ ଓ ନାଗପୁର ରହିଛି। ଟପ୍‌ ୧୦ କରୋନା ପ୍ରଭାବିତ ଜିଲ୍ଲା ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ ୯ଟି ଜିଲ୍ଲା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ନାଶିକରେ ମାର୍ଚ୍ଚ ୩୧ ଯାଏ ଲକଡାଉନ ଲାଗୁ କରାଯାଇଛି। ଶନିବାର ଓ ରବିବାର କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ଆଉ ସବୁ କିଛି ବନ୍ଦ ରହୁଛି। ସପ୍ତାହର ବାକି ଦିନରେ ଦୋକାନ ବଜାର ସକାଳ ୭ରୁ ସନ୍ଧ୍ୟା ୭ ଯାଏ ଖୋଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଔରଙ୍ଗାବାଦରେ ଏପ୍ରିଲ ୧୧ ଯାଏ ଲକଡାଉନ ଲାଗୁ କରାଯାଇଥିଲା। ଆଜି ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ୧୪୪ ଧାରା ଲାଗୁ କରିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୧୪୪ ଧାରା ଲାଗୁ ହେବ। ନାନ୍ଦେଦ ଜିଲ୍ଲାରେ ମଧ୍ୟ ମାର୍ଚ୍ଚ ୨୫ରୁ ଏପ୍ରିଲ ୫ ଯାଏ ଲକଡାଉନ ଲାଗୁ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।