ପରମବୀର ସିଂହଙ୍କ ବଦଳି ପଛର କାରଣ କହିଲେ ଅନୀଲ ଦେଶମୁଖ
ମୁମ୍ୱାଇ: ସଚିନ ବାଜେ ମାମଲାରେ ମହାରାଷ୍ଟ୍ର ସରକାର ଅଡୁଆରେ ପଡ଼ିବା ପରେ ନୂଆ ପୁଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ହେମନ୍ତ ନାଗରାଲେ। ଏହି ପଦବୀରେ ଥିବା ପୁଲିସ ଅଫିସର ପରମବୀର ସିଂହଙ୍କୁ ହୋମଗାର୍ଡ ଡିଜି ଭାବରେ ବଦଳି କରିଛନ୍ତି ମହାରାଷ୍ଟ୍ରର ଉଦ୍ଧବ ସରକାର। ତେବେ ପରମବୀର ସିଂହଙ୍କୁ ମୁମ୍ୱାଇ ପୁଲିସ କମିଶନର ପଦବୀରୁ କାହିଁକି ହଟାଗଲା ସେ ନେଇ ଆଜି ମିଡିଆ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ।
ସେ କହିଛନ୍ତି ପରମବୀର ସିଂହଙ୍କ ବଦଳି କୌଣସି ରୁଟିନ୍ ବଦଳି ନୁହେଁ। ସେ ତାଙ୍କ ଡ୍ୟୁଟିରେ ଅନେକ କିଛି ଭୁଲ୍ କରିଥିଲେ, ଯାହାକି କ୍ଷମଣୀୟ ନୁହେଁ। ତେଣୁ ତାଙ୍କୁ ବଦଳି କରାଯାଇଛି ବୋଲି ଅନୀଲ ଦେଶମୁଖ କହିଛନ୍ତି।
NIA & ATS are investigating Sachin Waze case very professionally. Action will be taken accordingly. Param Bir Singh has been transferred from the post of Mumbai Police Commissioner so that investigation can be done without any obstruction: Maharashtra Home Minister Anil Deshmukh pic.twitter.com/bjo8uC7aNb
— ANI (@ANI) March 18, 2021
ବିଜନେସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘର ଆଗରେ ଜିଲେଟିନ ଭର୍ତ୍ତି ବିସ୍ଫୋରକ ସାମଗ୍ରୀ ଗାଡ଼ି ଉଦ୍ଧାର ହୋଇଥିଲା। ଏହି ମାମଲାରେ ଏଟିଏସ ଏବଂ ମୁମ୍ୱାଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା। ଆଉ ଠିକ୍ ଭାବରେ ତଦନ୍ତ ହୋଇନାହିଁ ବୋଲି ଜଣାପଡ଼ିଛି। ଏବେ ଏହି ମାମଲାର ତଦନ୍ତ ଏନଆଇଏ କରୁଛି। ତେଣୁ ପରମବୀରଙ୍କୁ ଆଉ ଏକ ପଦବୀକୁ ବଦଳି କରାଯାଇଛି। ଏମିତି ହେଲେ ତଦନ୍ତ ଠିକ୍ ଭାବରେ ହେବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି। ତେବେ ପରମବୀର ସିଂହଙ୍କ ବଦଳି ରୁଟିନ୍ ବଦଳି ବୋଲି ଶିବସେନା କହିଥିଲା।
ପରମବୀର ସିଂହ ବଦଳି ହେବା ପୂର୍ବରୁ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ପରମବୀର ସିଂହ, ପୁଲିସ ଡିଜିପି, ଅନୀଲ ଦେଶମୁଖ ଉପସ୍ଥିତ ଥିଲେ। ବିରୋଧୀ ଦଳ ବିଜେପି ଏହି ମାମଲାରେ ସଚିନ ବାଜେଙ୍କ କଲ୍ ରେକର୍ଡ କେମିତି ପାଇଲା ବୋଲି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ପଚାରଥିଲେ ବୋଲି କୁହାଯାଉଛି। ଆଉ ଏହି କଲ୍ ରେକର୍ଡ ପାଇଁ ବିରୋଧୀ ସରକାରଙ୍କୁ ଆକ୍ରମଣ କରିବାକୁ ସୁଯୋଗ ପାଇଲେ। ଏହା ପୁଲିସ କମିଶନରଙ୍କ ଢ଼ିଲା ଡ୍ୟୁଟିକୁ ସୂଚାଉଛି ବୋଲି ପାଓ୍ୱାର କହିଥିଲେ। ପାଓ୍ୱାର ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ଏହି କଥା କହିଥିଲେ ବୋଲି ଜଣାପଡ଼ିଛି। ଏହାପରେ ସେ ପରମବୀରଙ୍କୁ ବଦଳି କରିବା ଦରକାର ବୋଲି ଉଦ୍ଧବଙ୍କୁ କହିଥିଲେ ବୋଲି କୁହାଯାଉଛି। ତେଣୁ ସରକାର ପରମବୀର ସିଂହଙ୍କୁ ପୁଲିସ କମିଶନର ପଦବୀରୁ ହଟାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବୋମା ଭର୍ତ୍ତି କାର ରଖିବା ମାମଲାର ମୁମ୍ୱାଇ ପୁଲିସ ସଚିନ ବାଜେ ଗିରଫ ହୋଇଛନ୍ତି। ଏନଆଇଏ ଏହି ମାମଲାର ତଦନ୍ତ କରୁଛି। ବୋମା ଭର୍ତ୍ତି କାରର ମାଲିକ ମନସୁଖ ହିରନେ ହଠାତ୍ ମୃତ୍ୟୁ ହେବା ପଛରେ ମଧ୍ୟ ସଚିନ ବାଜେ ଥିବା ନେଇ ସନ୍ଦେହ କରାଯାଉଛି। ମନସୁଖ ସହିତ ସଚିନ ବାଜେ ଯୋଗାଯୋଗରେ ଥିଲା। ଆଉ ଏହି କଲ ରେକର୍ଡ ବିରୋଧୀ ବିଜେପି ଦେଖାଇବା ପରେ ଅଡୁଆରେ ମହାରାଷ୍ଟ୍ର ସରକାର। କାରଣ ଏହି ମାମଲାର ତଦନ୍ତ ଦାୟିତ୍ୱ ସଚିନ ବାଜେଙ୍କୁ ଦେଇଥିଲେ ରାଜ୍ୟ ସରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।