ବିଦା ହେବେ ମନ୍ତ୍ରୀ ଅନୀଲ ଦେଶମୁଖ!

ମୁମ୍ୱାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ। ଶନିବାର ପୂର୍ବତନ ମୁମ୍ୱାଇ ପୁଲିସ କମିଶନର ତଥା ଏବେର ହୋମଗାର୍ଡ ଡିଜି ଏହି ଅଭିଯୋଗ ଆଣିଛନ୍ତି। ଏବେ ଅନୀଲ ଦେଶମୁଖଙ୍କୁ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିବେ ବୋଲି ଜଣାପଡ଼ିଛି। ଯଦି ଅନୀଲ ଇସ୍ତଫା ନଦିଅନ୍ତି ତାହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପଦବୀରୁ ବିଦା କରିପାରନ୍ତି। ଜଣେ ଶିବସେନା ନେତା ଏହା କହିଥିବା ସୂଚନା ରହିଛି।

ଆଉ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଭିତରେ ବିଜେପି ମଧ୍ୟ ଆକ୍ରାମଣାତ୍ମକ ହୋଇଛି। ଗୋଟିଏ ପଟେ ବିଜେପି ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିଛି, ଅନ୍ୟପଟେ ଗୃହମନ୍ତ୍ରୀ କହିଛନ୍ତି ଯେ ପରମବିର ଏବେ ତଦନ୍ତ ପରିସରଭୁକ୍ତ ହେବାକୁ ଯାଉଛନ୍ତି ଏହା ପୂର୍ବରୁ ସେ ଏଭଳି ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସଚିନ ବାଜେ ଯେତେବେଳେ ଗିରଫ ହେଲେ ସେତେବେଳେ ପରମବୀର କହିବାର ଥିଲା କିମ୍ୱା ସେ ବଦଳି ପୂର୍ବରୁ ମଧ୍ୟ ମିଡିଆକୁ ଏ ବାବଦରେ କହିପାରିଥାନ୍ତେ ବୋଲି ଅନୀଲ ଦେଶମୁଖ କହିଛନ୍ତି। ତାଙ୍କ ଉପରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ସଫେଇ ଦେଇଛନ୍ତି।

 

ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଗୃହମନ୍ତ୍ରୀ ଅନୀଲ ଦେଶ ତୁରନ୍ତ ଇସ୍ତଫା ଦେବା ଦରକାର। ନହେଲେ ତଦନ୍ତ ପ୍ରଭାବିତ ହେବ। କେନ୍ଦ୍ରୀୟ ତଦନ୍ତ ଅଧିକାରୀ ନହେଲେ କୋର୍ଟଙ୍କ ଦ୍ୱାରା ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।

ବିଜେପି ମୁଖପାତ୍ର ରାମ କଦମ ମଧ୍ୟ ଦେଶମୁଖଙ୍କ ଇସ୍ତଫା ଦାବି କରିଛନ୍ତି। ରାଜ୍ୟରେ ମେଣ୍ଟ ସରକାର ୧୬ ମାସ ହେବ ଚାଲିଛି। ଏହାରି ଭିତରେ ମୁମ୍ୱାଇରୁ କେବଳ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କୁହାଯାଇଛି। ବାକି ଜିଲ୍ଲାମାନଙ୍କରୁ ଆହୁରି କେତେ ଟଙ୍କା କୁହାଯାଇଥିବ। ଏହି ତିନି ଦଳର ସରକାର ଯେଉଁଭଳି ବଟି ଆଦାୟ କରିଛନ୍ତି ଅନ୍ୟ କେଉଁଠି ଏଭଳି ବଟି ଆଦାୟ ହେଉନଥିବ ବୋଲି ସେ କହିଛନ୍ତି।

ପରମବୀର ସିଂହଙ୍କ ଅଭିଯୋଗ

  • ଅନୀଲ ଦେଶମୁଖ ସଚିନ ବାଜେଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଡାକିଥିଲେ
  • ଅନୀଲ ଦେଶମୁଖ ସଚିନ ବାଜେଙ୍କୁ ପାଣ୍ଠି ସଂଗ୍ରହ କରିବାକୁ କହିଥିଲେ
  • ଅନୀଲ ଦେଶମୁଖ ପ୍ରତି ମାସରେ ୧୦୦ କୋଟି ଟଙ୍କା ବଟି ଦେବାକୁ ବାଜେଙ୍କୁ ଟାର୍ଗେଟ ଦେଇଥିଲେ
  • ପ୍ରତ୍ୟେକ ବିୟର ବାର୍, ପବରୁ ୨-୩ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ କୁହାଯାଇଥିଲା
  • ହୁକା ପାର୍ଲରରେ ରେଡ୍ କରି ବଟି ଆଦାୟ କରିବାକୁ କୁହାଯାଇଥିଲା

ସୂଚନାଯୋଗ୍ୟ,  ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ଓ ମନସୁଖ ହିରେନ ମୃତ୍ୟୁ ମାମଲାରେ ଏବେ ନିଲମ୍ୱିତ ଏପିଆଇ ସଚିନ ବାଜେ ଏନଆଇଏ ହେପାଜତରେ। ଏନଆଇଏ ବିସ୍ଫୋରକ ସାମଗ୍ରୀ ମାମଲାରେ ତଦନ୍ତ କରୁଥିବା ବେଳେ ଆଜି ମନସୁଖ ହିରେନ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ପାଇଛି। ଏହି ମାମଲାରେ ପରମବୀର ସିଂହ ମଧ୍ୟ ସନ୍ଦେହ ଘେରରେ। ସେ ପୁଲିସ କମିଶନର ପଦବୀରୁ ବିଦା ହେବା ପରେ ତାଙ୍କ ଅଫିସ ଯାଇ ଗତକାଲି ଏନଆଇଏ ତଦନ୍ତ କରିଥିବା ସୂଚନା ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।