ବେକାବୁ ହେଲାଣି କରୋନା, ଗୋଟିଏ ହଷ୍ଟେଲର ୨୨୯ ଶିକ୍ଷାର୍ଥୀ ସଂକ୍ରମିତ

ପ୍ରାଥମିକ ଅବସ୍ଥାରେ ୨୧ ଜଣ ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଲାଣି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ପାର କରି ଯାଇଛି। ଏସବୁ ଭିତରେ ମହାରାଷ୍ଟ୍ରରେ ଥିବା ଗୋଟିଏ ହଷ୍ଟେଲର ୨୨୯ ଜଣ ଶିକ୍ଷାର୍ଥୀ ଓ ୪ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ପଜିଟିଭ ରିପୋର୍ଟ ସାମ୍ନାକୁ ଆସିବା ପରେ ପୂରା ହଷ୍ଟେଲକୁ ସିଲ୍ କରାଯାଇ ସାନିଟାଇଜ କରାଯାଇଛି। ସେହିପରି ଉକ୍ତ ଅଞ୍ଚଳକୁ ପୂରା କଣ୍ଟେନେମଣ୍ଟ ଘୋଷଣା କରାଯାଇଛି। ଏହାର ଅର୍ଥ ଏହି ଅଞ୍ଚଳରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।

ସୂଚନା ଅନୁସାରେ, ଏହି ହଷ୍ଟେଲଟି ୱାଶିମ ଠାରେ ରହିଛି। ଏହା ମଧ୍ୟରେ ଅମରାବତୀ, ହିଙ୍ଗୋଲି, ନାନ୍ଦେନ୍ଦ, ୱାଶିମ, ବୁଲଧାନା, ଅକୋଲାର ପ୍ରାୟ ୩୨୭ ଜଣ ଶିକ୍ଷାର୍ଥୀ ରହିଥିଲେ। ସମସ୍ତେ ଭାବନା ପବ୍ଲିକ ସ୍କୁଲରେ ପାଠପଢ଼ୁଛନ୍ତି। ଏହାପୂର୍ବରୁ ମରାଠାୱାଡାର ଲାଠୁର ଜିଲ୍ଲାରେ ଥିବା ଗୋଟିଏ ସ୍କୁଲର ୩୯ ଜଣ ଶିକ୍ଷାର୍ଥୀ ଓ ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

ରିସୋଦ ତହସିଲଦାର ଅଜିତ ଶେଲାର କହିଛନ୍ତି, ଶିକ୍ଷାର୍ଥୀମାନେ ଫେବୃଆରୀ ୧୪ରେ ହିଁ ହଷ୍ଟେଲକୁ ଆସିଥିଲେ। ପ୍ରାଥମିକ ଅବସ୍ଥାରେ ୨୧ ଜଣ ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ହଷ୍ଟେଲରେ ଥିବା ସମସ୍ତ ୩୨୭ ଜଣ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ ଆରଟି-ପିସିଆର ପଦ୍ଧତିରେ କରାଯାଇଥିଲା। ଏହି ସମୟରେ ୨୨୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୮ ହଜାରରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବିଗତ ୧୨୯ ଦିନ ମଧ୍ୟରେ ଏହା ସର୍ବାଧିକ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।