ଓମିକ୍ରନ ପାଇଁ ରାତି ୯ରୁ ସକାଳ ୬ ଯାଏ କର୍ଫ୍ୟୁ, ବାହାଘର ଉପରେ ବି କଟକଣା

ମୁମ୍ବାଇ: ଓମିକ୍ରନ ସାଙ୍ଗକୁ କରୋନା ସଂକ୍ରମଣ ପୁଣିଥରେ ମହାରାଷ୍ଟ୍ର ସ୍ଥିତିକୁ ବେହାଲ କରିଛି। ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୧୦୦ ପାର କରିବାରୁ ଆଜି ସରକାର ନୂଆ କଟକଣା ଲାଗୁ କରିଛନ୍ତି। ନୂଆ କଟକଣା ଅନୁଯାୟୀ, ମହାରାଷ୍ଟ୍ରକୁ ନାଇଟ କର୍ଫ୍ୟୁ ଫେରିଛି। ଏଣିକି ରାତି ୯ଟାରୁ ସକାଳ ୬ଟା ଯାଏ ସମଗ୍ର ରାଜ୍ୟରେ କର୍ଫ୍ୟୁ ଲାଗୁ ହେବ। କେବଳ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଛାଡ଼ି ନାଇଟ କର୍ଫ୍ୟୁ ବେଳେ ଆଉ କେହି ବାହାରକୁ ବାହାରିପାରିବେ ନାହିଁ। ପୁଲିସ୍‌ ପ୍ରଶାସନ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଚେକିଂକୁ ଜୋରଦାର କରିବ ବୋଲି ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ଏହାପରେ ନୂଆ କଟକଣା ସମ୍ପର୍କରେ ଘୋଷଣା କରାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋଲା ସ୍ଥାନରେ ଏଣିକି ୨୫୦ରୁ ଅଧିକ ଲୋକ ଏକାଠି ହୋଇପାରିବେନି।

ବନ୍ଦ ସ୍ଥାନରେ ହେଉଥିବା ବାହାଘରରେ ସର୍ବାଧିକ ୧୦୦ ଜଣ ଓ ଖୋଲା ସ୍ଥାନରେ ହେଉଥିବା ବାହାଘରରେ ୨୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ରେଷ୍ଟୁରାଣ୍ଟ, ଜିମ, ସ୍ପା, ହୋଟେଲ, ଥିଏଟର ଓ ସିନେମା ହଲଗୁଡ଼ିକ ୫୦% କ୍ଷମତାରେ କାର୍ଯ୍ୟକ୍ଷମ ହେବ।

ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର କହିଛନ୍ତି। ସେହିପରି ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି। ବନ୍ଦ ପ୍ରକୋଷ୍ଠରେ ଆୟୋଜିତ ସମସ୍ତ ପ୍ରକାରର ସାମାଜିକ, ରାଜନୀତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଖୋଲା ସ୍ଥାନରେ ଏହି ସଂଖ୍ୟା ୨୫୦ ମଧ୍ୟରେ ସୀମିତ ରହିବ। କ୍ରୀଡ଼ା କାର୍ଯ୍ୟକ୍ରମରେ ବସିବା କ୍ଷମତାର ୨୫% ଲୋକ ସାମିଲ ହୋଇପାରିବେ।


ସୂଚନାଯୋଗ୍ୟ, ଆଜି ମହାରାଷ୍ଟ୍ରରେ ୨୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ବିଭିନ୍ନ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ଆଜି ମୁମ୍ବାଇରୁ ୧୧ ଜଣ, ପୁଣେରୁ ୬ ଜଣ, ସତାରାରୁ ୨ ଜଣ ଓ ଅହମଦନଗରରୁ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏମାନଙ୍କ ମଧ୍ୟରୁ ୧୫ ଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ଜଣେ ଅନ୍ୟ ରାଜ୍ୟରୁ ଆସିଥିଲେ। ବାକି ୪ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଜି ଓମିକ୍ରନ ପଞ୍ଝାରେ ପଡ଼ିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।