ମହାରାଷ୍ଟ୍ରରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୬୦ ହଜାର ସଂକ୍ରମିତ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରୀ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଦିନକରେ ସମଗ୍ର ରାଜ୍ୟରୁ ପ୍ରାୟ ୬୦ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କୌଣସି ରାଜ୍ୟ କିମ୍ବା ଖୋଦ୍‌ ମହାରାଷ୍ଟ୍ରରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ସାମ୍ନାକୁ ଆସି ନଥିଲେ। ହେଲେ ବୁଧବାର ସବୁ କିଛି ବଦଳି ଯାଇଛି।

ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଏକାଧିକ କଟକଣା ସହ ସପ୍ତାହାନ୍ତ ଲକଡାଉନ ମଧ୍ୟ ଲାଗୁ କରିଛନ୍ତି। ନାଇଟ କର୍ଫ୍ୟୁ ଲଗାଇ ଲୋକଙ୍କୁ ଭିଡ଼ ନ କରିବାକୁ କହୁଛନ୍ତି। ତଥାପି କରୋନା ସଂକ୍ରମଣ ଉପରେ ବ୍ରେକ ଲାଗୁନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୫୯,୯୦୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୭୩,୨୬୧ରେ ପହଞ୍ଚି ଯାଇଛି।

କେବଳ ସଂକ୍ରମିତଙ୍କ ସଂଖ୍ୟା ନୁହେଁ, କରୋନା ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ମଧ୍ୟ ବୁଧବାର ମହାରାଷ୍ଟ୍ରରେ ରେକର୍ଡ ହୋଇଛି। ଦିନକରେ କରୋନା ଏଠାରେ ୩୨୨ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୬,୬୫୨କୁ ବୃଦ୍ଧି ପାଇଛି।

୨୪ ଘଣ୍ଟା ମଧ୍ୟରେ ୩୦,୨୯୬ ଜଣ ଆକ୍ରାନ୍ତ ସୁସ୍ଥ ହେବାରୁ ଆକ୍ଟିଭ କେସ୍‌ ସଂଖ୍ୟା ୫,୦୧,୫୫୯ ରହିଛି। ରାଜ୍ୟରେ ଆରୋଗ୍ୟ ହାର ୮୨.୩୬% ରହିଛି। ସଂକ୍ରମିତ ଓ ଆକ୍ଟିଭ କେସ୍‌ ବଢ଼ୁଥିବାରୁ ମହାରାଷ୍ଟ୍ରରେ ହସ୍ପିଟାଲରେ ବେଡର ଅଭାବ ଦେଖାଗଲାଣି। ସେହିପରି ରାଜ୍ୟରେ ଅମ୍ଳଜାନ ଠିକ ଭାବେ ମିଳୁ ନଥିବାରୁ ଉଦ୍ଧବ ଠାକରେ ସରକାର କେନ୍ଦ୍ରର ସହାୟତା ଲୋଡ଼ିଛନ୍ତି।

ଆଜି ନୂଆ ସଂକ୍ରମିତଙ୍କ ମଧ୍ୟରୁ ପୁଣେରୁ ସର୍ବାଧିକ ୧୧,୦୨୩ ଜଣ, ମୁମ୍ବାଇରୁ ୧୦,୪୨୮ ଜଣ, ନାଗପୁରରୁ ୫,୭୨୧ ଜଣ, ଥାନେରୁ ୩,୧୦୮ ଜଣ ଓ ଔରଙ୍ଗାବାଦରୁ ୧୭୬୫ ଜଣ ଚିହ୍ନଟ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।