ଦୁଇ ଦିନ ପରେ ସାମାନ୍ୟ କମିଲା କରୋନା ସଂକ୍ରମଣ

ମୁମ୍ବାଇ: ମହାରାଷ୍ଟ୍ରରରେ ଲଗାତର ଦୁଇ ଦିନ ଧରି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ସାମାନ୍ୟ ପରିବର୍ତ୍ତନ ଘଟିଛି। ପୂର୍ବ ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ଘଟିଛି। ତଥାପି ଦିନକରେ ରାଜ୍ୟରେ ୨୪,୨୬୫ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଆଜିର ସଂକ୍ରମିତଙ୍କ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ପାର କରିଛି। ଏଯାଏ ମହାରାଷ୍ଟ୍ରରେ କରୋନାରେ ୨୫,୦୪,୩୨୭ ଜଣ ଆକ୍ରାନ୍ତ ହୋଇସାରିଲେଣି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କରୋନା ଆଉ ୫୮ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୩,୪୫୭କୁ ବୃଦ୍ଧି ପାଇଛି। ରାଜ୍ୟରେ ମୃତ୍ୟୁହାର ୨.୧୩% ରହିଛି।

ସେହିପରି ଏଯାଏ ରାଜ୍ୟରେ ୨୪,୩୪,୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାର ଅର୍ଥ ମହାରାଷ୍ଟ୍ରରେ କରୋନା ଆରୋଗ୍ୟ ହାର ୮୯.୨୨% ରହିଛି।

ରାଜ୍ୟର ରାଜଧାନୀ ମୁମ୍ବାଇ କଥା ବିଚାରକୁ ନେଲେ ୨୪ ଘଣ୍ଟାରେ ୩,୨୬୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଫଳରେ ମୁମ୍ବାଇରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୬୫,୯୩୭ରେ ପହଞ୍ଚି ଯାଇଛି। ରବିବାର ମହାରାଷ୍ଟ୍ରରେ ରେକର୍ଡ ୩୦,୫୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ବିଭିନ୍ନ କଟକଣା ଲଗାଇଛନ୍ତି। ଏକାଧିକ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି। ତଥାପି ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।