ଭୟଙ୍କର ବିସ୍ଫୋରଣରେ ଉଡ଼ିଗଲା ବସ୍‌, ଚାଲିଗଲା ୧୧ ଜଣଙ୍କ ଜୀବନ

ମାଲି: କେନ୍ଦ୍ରୀୟ ମାଲିରେ ହୋଇଥିବା ଭୟଙ୍କର ବିସ୍ଫୋରଣେ ଗୋଟିଏ ଯାତ୍ରୀବାହୀ ବସ୍‌ ଛିନଛତ୍ର ହୋଇଯାଇଛି। ଏଯାଏ ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ସୂତ୍ରରୁ ଖବର ମିଳିଛି।

ଯାତ୍ରୀବାହୀ ବସ୍‌ଟି ମୋପଟି ଅଞ୍ଚଳରେ ଥିବା ବାନ୍ଦିଆଗା ଓ ଗୌଣ୍ଡାକା ରାସ୍ତା ଅତିକ୍ରମ କରୁଥିବା ବେଳେ ବିସ୍ଫୋରଣ ହୋଇଛି। ରାସ୍ତାରେ ପୂର୍ବରୁ ଖଞ୍ଜା ଯାଇଥିବା ବିସ୍ଫୋରକ ସାମଗ୍ରୀ ସଂସ୍ପର୍ଶରେ ଆସି ଏପରି ବିସ୍ଫୋରଣ ହୋଇଥିବା ସୁରକ୍ଷାକର୍ମୀମାନେ କହିଛନ୍ତି। ବିସ୍ଫୋରଣ ହୋଇଥିବା ଅଞ୍ଚଳଟି ମାଲି ବିଦ୍ରୋହୀଙ୍କ ଗଡ଼ ଭାବେ ପରିଚିତ। ତେଣୁ ଆଜିର ବିସ୍ଫୋରଣ ପଛରେ ମଧ୍ୟ କୌଣସି ବିଦ୍ରୋହୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି।

ବିସ୍ଫୋରଣ ହେବା ପରେ ପୁଲିସ୍‌ ଓ ସ୍ଥାନୀୟ ଲୋକଙ୍କ ତଥ୍ୟ ଅନୁସାରେ ୧୦ ଜଣଙ୍କ ଜୀବନ ଯାଇଥିବା କୁହାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ମୃତକମାନେ ସାଧାରଣ ଲୋକ ହୋଇଥିବା ବେଳେ ସେମାନଙ୍କୁ କ୍ଷତି ପହଞ୍ଚାଇ ବିଦ୍ରୋହୀ ଗୋଷ୍ଠୀ ନିଜର ଦବଦବା ସୃଷ୍ଟି କରିବାକୁ ଚାହୁଁଥିବା ଆଶଙ୍କା କରାଯାଉଛି।

ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ହିଁ ଉଦ୍ଧାର କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଆମ୍ବୁଲାନ୍ସ ଓ ସୁରକ୍ଷାକର୍ମୀଙ୍କ ସହାୟତାରେ ମୃତାହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।