ହ୍ୱିଲ୍ ଚେୟାରରେ ଘରକୁ ଫେରିଲେ ମମତା ବାନାର୍ଜୀ

କୋଲକାତା: ହସ୍ପିଟାଲରୁ  କାଳିଘାଟ ସ୍ଥିତ ଘରକୁ ଫେରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶୁକ୍ରବାର ଅପରାହ୍ନରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ପାଖାପାଖି ୪ ଦିନ ହସ୍ପିଟାଲରେ ଚିକିତ୍ସାଧୀନ ହେବା ପରେ ସେ ଘରକୁ ଫେରିଛନ୍ତି। ହେଲେ ତାଙ୍କୁ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ନନ୍ଦିଗ୍ରାମ ବିଧାନସଭା ଆସନ ବିଧାୟକ ପ୍ରାର୍ଥୀ ହେଉଛନ୍ତି ମମତା। ଯେଉଁଠୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ।

ହସ୍ପିଟାଲରୁ ଡିସଚାର୍ଜ ହେବା ପୂର୍ବରୁ ମମତାଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଆସିଥିଲେ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି, ସାଂସଦ ପୁତୁରା ଅଭିଷେକ ବାନାର୍ଜୀ ଏବଂ ବୋହୂ ରୁରିଜା ବାନାର୍ଜୀ।

ଡିସଚାର୍ଜ ବେଳେ ଡାକ୍ତର କହିଛନ୍ତି, ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି। ଆବଶ୍ୟକ ପରାମର୍ଶ ସହିତ ମମତାଙ୍କୁ ଡିସଚାର୍ଜ କରାଯାଇଛି। ବାରମ୍ୱାର ଡିସଚାର୍ଜ ହେବା ପାଇଁ ଅନୁରୋଧ କରିବାରୁ ହସ୍ପିଟାଲ ଡିସଚାର୍ଜ କରିବାକୁ ନିଷ୍ପତ୍ତି ନେଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ଜଣେ ଡାକ୍ତର କହିଛନ୍ତି, ମମତାଙ୍କ ବାମ ଗୋଡ଼ରେ ଆଘାତ ଲାଗିବାରୁ ପ୍ଲାଷ୍ଟର ହୋଇଛି। ସେହିପରି ବେକ, କାନ୍ଧ ଏବଂ ଅଣ୍ଟାରେ ଏବେ ଦରଜ ଆଗ ଭଳି ନଥିବା ସେ କହିଛନ୍ତି। ମମତା ଯେଉଁଭଳି ଆଘାତ ପାଇଛନ୍ତି ଗୋଟିଏ ମାସ ପାଇଁ ବିଶ୍ରାମ ନେବା କଥା। ହେଲେ ମୁଖ୍ୟମନ୍ତ୍ରୀ ଏବେ ହ୍ୱିଲ ଚେୟାର ବ୍ୟବହାର କରି ନିର୍ବାଚନୀ ପ୍ରଚାରରେ ସାମିଲ୍ ହୋଇପାରିବେ। ମମତାଙ୍କ ପାଇଁ ସ୍ୱତନ୍ତ୍ର ଚପଲ ମଧ୍ୟ ତିଆରି ହୋଇଥିବା ସେ କହିଛନ୍ତି।

ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ମମତା ବାନାର୍ଜୀଙ୍କ ଗୋଡ ଏବଂ ବେକରେ ଆଘାତ ଲାଗିଥିଲା। ଏହାପରେ ସେ ଏସଏସଏକଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ ହୋଇଥିଲା। ଏଥିସହ ୪୮ ଘଣ୍ଟା ଡାକ୍ତରୀ ଟିମ୍ ମମତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲା।

ଯଦିଓ ଟିଏମସି ଏହାକୁ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କହୁଛି ହେଲେ ବିରୋଧୀ ବିଜେପି ଦୁର୍ଘଟଣା ବୋଲି କହିଛି। ଏବେ ଏହି ମାମଲାର ସବିଶେଷ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ ନିର୍ବାଚନ କମିଶନ। ଆଜି ଥିଲା ରିପୋର୍ଟ ଦାଖଲ କରିବାର ଅନ୍ତିମ ଦିନ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।