ଦିଦିଙ୍କ ହୁଙ୍କାର: ଗୋଟିଏ ଗୋଡ଼ରେ ବିଜେପିକୁ କ୍ଲିନ୍ ବୋଲ୍ଡ କରିବି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ଏବେ ଜୋରସୋରରେ ଚାଲିଛି। ଯଦିଓ ଟିଏମସି-ବିଜେପି ମୁହାଁମୁହିଁ ହୋଇଛନ୍ତି କିନ୍ତୁ ଅସଲରେ ମୋଦି ଏବଂ ମମତାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଗଳି ଗଳିରେ ଲୋକମାନେ ଦଳ ଅପେକ୍ଷା ଏହି ଦୁଇ ନେତାଙ୍କ ବାକୁ ଯୁଦ୍ଧକୁ ନେଇ ଚର୍ଚ୍ଚା ଜୋର। ଆଜି କାନ୍ଥିରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ରାଲି କରି ନନ୍ଦିଗ୍ରାମରେ ତାଙ୍କର ପ୍ରତିପକ୍ଷ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ବର୍ଷିଛନ୍ତି। ଏଥିସହ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଣ୍ଡା ବୋଲି କହିବାକୁ ପଛାଇ ନାହାନ୍ତି ଦିଦି।

ସେ କହିଛନ୍ତି ‘ଖେଲୋ ହୋବେ’ ଅର୍ଥାତ ଖେଳ ହେବ। ସେ ଗୋଟିଏ ଗୋଡ଼ରେ ବିଜେପିକୁ କ୍ଲିନ ବୋଲ୍ଡ କରିବେ ବୋଲି ହୁଙ୍କାର ଭରିଛନ୍ତି। ପଶ୍ଚିମବଙ୍ଗକୁ ସୁରକ୍ଷା କରିବାକୁ ହେଲେ ବାହାର ଗୁଣ୍ଡାଙ୍କୁ ହଟାଇବାକୁ ହେବ ବୋଲି ସେ କହିଛନ୍ତି।

ମମତା ବାନାର୍ଜୀ କହିଛନ୍ତି ଯେ ସେମାନେ (ବିଜେପି) ଭାବୁଛି ଯେ ଯଦି ମୁଁ ମୋର ଗୋଡ଼ ଭାଙ୍ଗିଯାଏ, ତାହେଲେ ଆଉ ସଭା ଆୟୋଜନ କରିପାରିବି ନାହିଁ। ସେମାନେ ପ୍ରଥମେ ମୋ ମୁଣ୍ଡ, ଦୁଇ ହାତ, ଅଣ୍ଟା, ଆଖିକୁ ଆଘାତ ଦେଇଛ ଏବେ ଗୋଡ଼ ବାକି ଥିଲା ତାକୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି ବୋଲି ମମତା ଅଭିଯୋଗ କରିଛନ୍ତି। ମମତାଙ୍କ ଏହି ଅଭିଭାଷଣ ଉଭୟ ବିଜେପି ଏବଂ ବାମପନ୍ଥୀ ଦଳ ପାଇଁ ଥିଲା। କାରଣ ରାଜ୍ୟରେ ବାମପନ୍ଥୀ ସରକାର ଥିବା ବେଳେ ମମତା ଅନେକ ଥର ଆକ୍ରମଣର ଶିକାର ହୋଇଛନ୍ତି।

ସେ ଆହୁରି କହିଛନ୍ତି, ମୁଁ ଗୋଟିଏ ଗୋଡରେ ଏପରି ଗୋଲ୍ କରିବି ଯେ ସମସ୍ତେ ପଡ଼ିଆ ବାହାରକୁ ଯିବେ। ଦେଶକୁ ବଞ୍ଚାଇବା ପାଇଁ ହେଲେ ବିଜେପିକୁ ହଟାଇବାକୁ ହେବ ଆଉ ବଙ୍ଗଳାକୁ ବଞ୍ଚାଇବାକୁ ହେବ ବୋଲି ମମତା କହିଛନ୍ତି।

ନନ୍ଦିଗ୍ରାମରେ ମମତା ଆହତ ହେବା ପରେ କ୍ରମାଗତ ଭାବରେ ହ୍ୱିଲ ଚେୟାରରେ ଯାଇ ସଭା କରୁଛନ୍ତି। ବିଜେପିର ଶୀର୍ଷ ନେତା ନରେନ୍ଦ୍ର ମୋଦି, ଅମିତ ଶାହ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ପରିବାରକୁ ମୁଖ୍ୟତଃ ମମତା ଟାର୍ଗେଟ କରୁଛନ୍ତି। ଅନ୍ୟପଟେ ଆଜି ଶୁଭେନ୍ଦୁ ଅଧିକାରୀଙ୍କ ବାପା ତଥା ଟିଏମସି ସାଂସଦ ଶିଶିର ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।