ଗୋଡ଼ରେ ପ୍ଲାଷ୍ଟର ଓ ହ୍ୱିଲ ଚେୟାରରେ ବସି ବିଶାଳ ସମାବେଶକୁ ସମ୍ବୋଧନ କଲେ ମମତା

କୋଲକାତା: ହ୍ୱିଲଚେୟାରରେ ବସି ଗତକାଲି ଠାରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପୁଣିଥରେ ପ୍ରଚାର ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୋଲକାତାରୁ ପ୍ରାୟ ୩୦୦ କିମି ଦୂର ପୁରୁଲିଆରେ ବିଶାଳ ସମାବେଶ କରିଛନ୍ତି। ସମାବେଶକୁ ସମ୍ବୋଧନ କରିବା ବେଳେ ସେ ଗୋଡ଼ରେ ପୂର୍ବଭଳି ପ୍ଲାଷ୍ଟର ଓ ହ୍ୱିଲ ଚେୟାରରେ ବସିଥିଲେ।

ହ୍ୱିଲ ଚେୟାରରେ ବସି ସେ ସଭାସ୍ଥଳରୁ ବିଜେପିକୁ ଟାର୍ଗେଟ କରିଛନ୍ତି। ଏଠାରେ ସେ କହିଛନ୍ତି, ମୋ କଷ୍ଟ ଅପେକ୍ଷା ଲୋକଙ୍କ କଷ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ। ଗତ ସପ୍ତାହରେ ମମତା ନନ୍ଦିଗ୍ରାମରେ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିବା ବେଳେ ଆଘାତପ୍ରାପ୍ତ ହୋଇଥିଲେ। ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲେ ହେଁ ଏଯାଏ ଏହାର କୌଣସି ପ୍ରମାଣ ମିଳିନାହିଁ।

ଆଜି ଏହି ଘଟଣାକୁ କେନ୍ଦ୍ର କରି ମମତା କହିଛନ୍ତି, “ମୁଁ ଏକ ଅଘଟଣରେ ଆହତ ହୋଇଥିଲି। ମୋର ଭାଗ୍ୟ ଭଲ ଥିଲା ଯେ ମୁଁ ବଞ୍ଚି ଯାଇଥିଲି। ମୁଁ ଗୋଡ଼ରେ ପ୍ଲାଷ୍ଟର ହୋଇଛି ଓ ମୁଁ ଚାଲିପାରୁନାହିଁ। କିଛି ଲୋକ ଭାବୁଛନ୍ତି, ଭଙ୍ଗା ଗୋଡ଼ ଯୋଗୁ ମୁଁ ଆଉ ବାହାରକୁ ବାହାରିବି ନାହିଁ। ହେଲେ ମୁଁ ହ୍ୱିଲ ଚେୟାରରେ ଲୋକଙ୍କ ପାଖରେ ପହଞ୍ଚିବି। ବିଜେପି ଏଠାରେ ମିଛ କଥା କହି ବିଜୟଲାଭ କରିଥିଲା। ସେମାନେ ସବୁ କିଛି ବିକ୍ରି କରିଦେଉଛନ୍ତି।” ପୁରୁଲିଆରେ ବିଜେପି ଲୋକସଭା ନିର୍ବାଚନରେ ଜବରଦସ୍ତ ବିଜୟ ହାସଲ କରିଥିବାରୁ ମମତା ଏଭଳି କଥା କହିଛନ୍ତି।

ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରି ମମତା କହିଛନ୍ତି, “ଆମେ ବିକାଶ କରିବାକୁ ଯୋଜନା କରୁଥିବା ବେଳେ ବିଜେପି କେବଳ ତୈଳ ଓ ଗ୍ୟାସ ଦର ବୃଦ୍ଧି କରିବାରେ ଲାଗିଛି। କିରାସିନ ମଧ୍ୟ ଲୋକଙ୍କୁ ମିଳୁନାହିଁ। ଆମ ସରକାର ବିଧବା ଭତ୍ତା ବାବଦରେ ୧୦୦୦ ଟଙ୍କା ଦେଉଛନ୍ତି। ଆମେ ଲୋକଙ୍କୁ ଜାତିଗତ ପ୍ରମାଣପତ୍ର ଦେଉଛୁ। ଆମେ ରଘୁନାଥ ମୁର୍ମୁ କ୍ୟାମ୍ପସ ଗଠନ କରିଛୁ।”

ଗତ ସପ୍ତାହରେ ମମତା ନନ୍ଦିଗ୍ରାମ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାପରେ ସନ୍ଧ୍ୟାରେ କାର୍‌ରେ ଯାଉଥିବା ବେଳେ କିଛି ଲୋକ ଭିଡ଼ ଜମାଇଥିଲେ। ସେ କାର୍‌ରୁ ବାହାରି ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ତେବେ ଏହି ସମୟରେ ହଠାତ୍‌ ଭିଡ଼ ବଢ଼ି ଯାଇଥିଲା ଓ କିଛି ସମୟ ପରେ ମମତା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। ତାଙ୍କ ଗୋଡ଼, ବେକ ଓ କାନ୍ଧରେ ଆଘାତ ଲାଗିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ସେ ୧୪ ତାରିଖ ଯାଏ କୌଣସି ପ୍ରକାରର ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେଇ ନଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।